ବେଲଗୁଣ୍ଠା ଏନ.ଏ.ସି.ରେ ମନମୁଖୀ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଓ ପ୍ରଶାସନିକ ଅନିୟମିତତା ଅଭିଯୋଗ

0

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା କାଉନସିଲର, ବ୍ୟବସାୟୀ ସଙ୍ଘ ଓ ସାହି ବାସିନ୍ଦା ।


ବେଲଗୁଣ୍ଠା-୨୦/୭-(ଶିବରାମ ଚୌଧୁରୀ )-କାଉନସିଲରଙ୍କ ଗୁରୁତର ଅଭିଯୋଗ: ଗୋପନରେ ହେଲା ବୈଠକ, ମିଳୁନି ନିଷ୍ପତ୍ତିର ନକଲ ବେଲଗୁଣ୍ଠା ଏନ.ଏ.ସି.ର ୭ ନମ୍ବର ୱାର୍ଡର ମହିଳା କାଉନସିଲର ଟି. ବବିତା କୁମାରୀ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଙ୍କୁ ବେଲଗୁଣ୍ଠା ପଞ୍ଚାୟତ ସମିତି ଠାରେ ଅଭିଯୋଗ ଶୁଣାଣି ଶିବିର ରେ ପ୍ରଦାନ କରିଥିବା ପତ୍ର ଅନୁଯାୟୀ, ଗତ ୦୫.୦୬.୨୦୨୬ ରିଖ ପୂର୍ବାହ୍ନ ୦୯.୦୦ ଟାରେ ଏକ ସାଧାରଣ ବୈଠକ ପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର କାଉନସିଲର ଜଣକ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଯେ, ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୦୪.୦୬.୨୦୨୬ ରେ ହିଁ ଗୋପନୀୟ ଭାବେ ବୈଠକ ଶେଷ କରାଯାଇଛି। ଏହି ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତି ବା ନିର୍ଦ୍ଧାରଣର ନକଲ ମାଗିବା ସତ୍ତ୍ୱେ କାର୍ଯ୍ୟନିର୍ବାହୀ ଅଧିକାରୀ ତାହା ପ୍ରଦାନ ନକରି ଦାୟିତ୍ୱହୀନତା ପ୍ରଦର୍ଶନ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏଥି ସହିତ ସେ
ହୋଲ୍ଡିଂ ଟ୍ୟାକ୍ସ କମାଇବାକୁ ଦାବି କରିଛନ୍ତି ।ପରିଷଦ ପକ୍ଷରୁ ପୂର୍ବରୁ ହୋଲ୍ଡିଂ ଟ୍ୟାକ୍ସକୁ ମନମୁଖୀ ଭାବେ ଶହେ ପ୍ରତିଶତ ବୃଦ୍ଧି କରାଯାଇଥିଲା, ଯାହାକୁ ନେଇ ଜନଅସନ୍ତୋଷ ଦେଖାଦେବାରୁ ଗତ ୦୪.୦୬.୨୦୨୬ ର ସେହି ବିବାଦୀୟ ବୈଠକରେ ଏହାକୁ କେବଳ ୨୦ ପ୍ରତିଶତ ହ୍ରାସ କରାଯାଇଛି। କାଉନସିଲରଙ୍କ କହିବା ଅନୁଯାୟୀ, ୭ ନମ୍ବର ୱାର୍ଡରେ ବାସ କରୁଥିବା ଅଧିକାଂଶ ଲୋକ ଆର୍ଥିକ ଅନଗ୍ରସର, ହରିଜନ ଓ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଏହି ବର୍ଦ୍ଧିତ ଟ୍ୟାକ୍ସ ବୋଝ ସେମାନଙ୍କ ପକ୍ଷେ ବହନ କରିବା ଅସମ୍ଭବ। ତେଣୁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଟ୍ୟାକ୍ସ କମାଇବା ସହ ବୈଠକର ନକଲ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି।ଅନ୍ୟପଟେ ବେଲଗୁଣ୍ଠା ବଣିକ ସଂଘ ଓ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଏହି ଅହେତୁକ ଟ୍ୟାକ୍ସ ବୃଦ୍ଧିକୁ ତୀବ୍ର ବିରୋଧ କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି। ବଣିକ ସଂଘ ସଭାପତି ଓ ସଦସ୍ୟମାନଙ୍କ ଅଭିଯୋଗ ଅନୁଯାୟୀ, କୌଣସି ପୂର୍ବ ସୂଚନା ନଦେଇ ହୋଲ୍ଡିଂ ଟ୍ୟାକ୍ସକୁ ପ୍ରାୟ ୭୦ ରୁ ୮୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହାକି ସମ୍ପୂର୍ଣ୍ଣ ବେଆଇନ। ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ୱାର୍ଡ ବୈଠକରେ ଆଲୋଚନା ମାଧ୍ୟମରେ ଟ୍ୟାକ୍ସ ଧାର୍ଯ୍ୟ ହେବା କଥା, କିନ୍ତୁ ଏଠାରେ ସେହି ନିୟମକୁ ଜଳାଞ୍ଜଳି ଦିଆଯାଇଛି। ବର୍ତ୍ତମାନ ବ୍ୟବସାୟ ମାନ୍ଦା ଥିବା ବେଳେ ଏଭଳି ଟ୍ୟାକ୍ସ ବୃଦ୍ଧି ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଦେବ ବୋଲି ସଂଘ ଆଶଙ୍କା ପ୍ରକାଶ କରିଛି।ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ଦାବି ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଏହି ସମସ୍ତ ଘଟଣା ସହିତ ବେଲଗୁଣ୍ଠା ଏନ.ଏ.ସି.ର ୫ ନମ୍ବର ୱାର୍ଡର ନିଗମାନନ୍ଦ ନଗରର ଜନସାଧାରଣ ମଧ୍ୟ ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୱାର୍ଡବାସୀଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନ ହେବ ସେମାନଙ୍କ ଅଞ୍ଚଳରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳରେ ଲୋକେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ଏନ.ଏ.ସି. ପକ୍ଷରୁ ପୂର୍ବରୁ ଏକ ନଳକୂପ ଖନନ କରାଯାଇଥିଲେ ହେଁ ତାହା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇନାହିଁ କିମ୍ବା ପାଇପଲାଇନ ସଂଯୋଗ କରାଯାଇ ନାହିଁ। ଏଥିସହ ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଦୂଷିତ ଜଳ ଜମି ରହି ମଶା ବଂଶ ବୃଦ୍ଧି ପାଉଛି ଏବଂ ସାଧାରଣ ଲୋକେ ରୋଗବ୍ୟାଧିର ଶିକାର ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବହୁ ସ୍ଥାନୀୟ ବାସିନ୍ଦା ସ୍ୱାକ୍ଷର କରି ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।

Leave A Reply

Your email address will not be published.