ବିଦ୍ୟାଳୟ ପରିଚାଳନା କମିଟି:ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞଙ୍କ ସ୍ଥାନରେ ଅଙ୍ଗନବାଡ଼ି ଓ ଆଶା କର୍ମୀ !

0

ଭୁବନେଶ୍ୱର: ୧୯/୦୭/୨୦୨୬- ଭାରତ ସରକାରଙ୍କ ନୂତନ ଶିକ୍ଷା ନୀତି -୨୦୨୦ ଏବଂ ପିଲାଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ -୨୦୦୯ ଆଧାରରେ, ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା, ପରିଚାଳନାରେ ସ୍ଵଚ୍ଛତା ସହିତ ଦକ୍ଷତା ବୃଦ୍ଧି, ଉତ୍ତରଦାୟିତ୍ୱ ସ୍ଥିର କରିବା, ପରିଚାଳନାରେ ସ୍ଥାନୀୟ ଲୋକଙ୍କ ଯୋଗଦାନ ସକାଶେ , ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପିତା, ମାତା, ଅଭିଭାବକ, ପୁରାତନ ଛାତ୍ର, ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞ, ବରିଷ୍ଠ ଛାତ୍ର ଛାତ୍ରୀ, ଶିକ୍ଷକ ପ୍ରତିନିଧି, ସ୍ଥାନୀୟ ଅଙ୍ଗନବାଡି କର୍ମୀ, ସ୍ଵାସ୍ଥ୍ୟ କର୍ମୀ ପ୍ରଭୃତି ଙ୍କୁ ନେଇ ଏକ ବିଦ୍ୟାଳୟ ପରିଚାଳନା କମିଟି ଗଠନର ମାର୍ଗଦର୍ଶିକା ସରକାର ଜାର କରି , ଏ ପ୍ରକ୍ରିୟାକୁ ଚଳିତ ମାସ ବାଇଶି ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ମାର୍ଗଦର୍ଶିକାରେ କମିଟିର ସଦସ୍ୟ ଚୟନ ପାଇଁ ଥିବା ସୂଚିରେ କେତେକ ଅସଙ୍ଗତି ଥିବାରୁ, ଅନେକ ବିଦ୍ୟାଳୟର ଶିକ୍ଷକ ମାନେ ଦ୍ଵନ୍ଦରେ ପଡ଼ିଛନ୍ତି। ତା’ ସହିତ, କମିଟିର ଢାଞ୍ଚା ଉପରେ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ, ସଚେତନ ପୁରାତନ ଛାତ୍ର ଛାତ୍ରୀ ଉଦବେଗ ପ୍ରକାଶ ସଙ୍ଗେ ସଙ୍ଗେ, କମିଟି ଗଠନର ସ୍ଵଛତା ଉପରେ ପ୍ରଶ୍ନ କରିଛନ୍ତି।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀଙ୍କ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀ ମାନଙ୍କ ନିକଟକୁ ଗତ ମାସ ଛବିଶ ତାରିଖରେ ଏକ ପତ୍ର ମାଧ୍ୟମରେ ବିଦ୍ୟାଳୟ ପରିଚାଳନା କମିଟି ଗଠନର ମାର୍ଗଦର୍ଶିକା ପଠାଇବା ସହିତ, ଚଳିତ ମାସ ବାଇଶି ତାରିଖ ସୁଦ୍ଧା କମିଟି ଗଠନର ପ୍ରକ୍ରିୟା ଶେଷ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଉକ୍ତ ମାର୍ଗଦର୍ଶିକାରେ, କମିଟି ଗଠନ କାଳରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଆଧାରରେ କମିଟିର ଆକାର ସ୍ଥିର କରିବାକୁ କୁହାଯାଇଛି। କମିଟିରେ ପିତା , ମାତା ଅବା ଅଭିଭାବକଙ୍କ ସଂଖ୍ୟା ପଞ୍ଚସ୍ତରୀ ଶତକଡା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିତା ମାତାଙ୍କ ମଧ୍ୟରେ ପଚାଶ ଶତକଡା ମହିଳା ସଦସ୍ୟା ସାମିଲ ହେବେ ବୋଲି କୁହାଯାଇଛି। ଏଥିରେ ତଫସିଲଭୁକ୍ତ ଜାତି, ଜନଜାତି, ଅନ୍ୟ ପଛୁଆବର୍ଗ ର ସଦସ୍ୟଙ୍କ ସମାନୁପାତିକ ଯୋଗଦାନକୁ ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।

ଚୟନ ହୋଇଥିବା ପିତା ମାତା, ଅଭିଭାବକ ସଦସ୍ୟ ମାନେ ଅବଶିଷ୍ଟ ପଚିଶ ଶତକଡା ସଦସ୍ୟଙ୍କ ମଧ୍ୟରୁ ଏକ- ତୃତୀୟାଂଶ ସଦସ୍ୟଙ୍କୁ ସ୍ଥାନୀୟ ଶାସନ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧି ଯଥା – ଓ୍ଵାର୍ଡ ମେମ୍ବର, ସମିତି ସଭ୍ୟ ଇତ୍ୟାଦି ଙ୍କ ମଧ୍ୟରୁ ମନୋନୀତ କରିବେ। ସେହିପରି , ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞ, ବରିଷ୍ଠ ଛାତ୍ର, ପୁରାତନ ଛାତ୍ର ଏବଂ ସ୍ଥାନୀୟ ଅଙ୍ଗନବାଡି କର୍ମୀ, ସ୍ଵାସ୍ଥ୍ୟ କର୍ମୀଙ୍କ ମଧ୍ୟରୁ ଏକ – ତୃତୀୟାଂଶ ସଦସ୍ୟ ଚୟନ କରିବେ। ଅବଶିଷ୍ଟ ଏକ – ତୃତୀୟାଂଶ ସଦସ୍ୟ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟରୁ ରହିବେ। କମିଟିର କାର୍ଯ୍ୟକାଳ ଦୁଇବର୍ଷ ରହିବ ବୋଲି ଧାର୍ଯ୍ୟ କରାଯାଇଛି।

ମାର୍ଗ ଦର୍ଶିକାରେ ଏପରି ବ୍ୟବସ୍ଥା ଥିବାବେଳେ, ଏଥିସହିତ ସଂଲଗ୍ନ ହୋଇଥବା ପରିଶିଷ୍ଟ ଗୁଡ଼ିକରେ ଏହାକୁ ଉଲ୍ଲଘଂନ କରିବା ପରି ସୂଚନା ଦିଆଯାଇଛି। ପିତା, ମାତା ଅବା ଆବଶ୍ୟକସ୍ଥଳେ ଅଭିଭାବକ କମିଟିର ସଦସ୍ୟ ରହି ପାରିବାର ଆଇନ୍ ଥିବାବେଳେ, ପରିଶିଷ୍ଟରେ କେବଳ ପିତା ମାତାଙ୍କ ଉଲ୍ଲେଖ ରହିଛି। ସେହିପରି, ଶିକ୍ଷାବିତ ଏବଂ ଶିକ୍ଷା ବିଶେଷଜ୍ଞଙ୍କୁ କମିଟିର ସଦସ୍ୟ ଭାବେ ମନୋନୀତ କରିବାର ପ୍ରାବଧାନ ଥିବା ବେଳେ, କୈ।ଣସି ପରିଶିଷ୍ଟରେ ଏହାର ସୂଚନା ନାହିଁ। ଜଣେ ବରିଷ୍ଠ ଛାତ୍ର ସଦସ୍ୟ ରହିବେ ବୋଲି ଆଇନ୍ କହୁଥିବା ବେଳେ, କୈ।ଣସି ପରିଶିଷ୍ଟରେ ଏ ସମ୍ପର୍କରେ ସୂଚନା ନାହିଁ। ଏପରିକି ପାଞ୍ଚଶହ ସଂଖ୍ୟା ବିଶିଷ୍ଟ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟରେ ପୁରାତନ ଛାତ୍ରଙ୍କ ସଦସ୍ୟତା ପାଇଁ ପରିଶିଷ୍ଟରେ ସୂଚନା ନାହିଁ। ଏହାବାଦ୍, ଅଙ୍ଗନବାଡି ଏବଂ ଆଶା କର୍ମୀ ଉଭୟଙ୍କୁ ସଦସ୍ୟ ଆକାରରେ କମିଟି କୁ ମନୋନୀତ କରାଯାଉଥିବା ବେଳେ, ଶିକ୍ଷାବିତ ବା ଶିକ୍ଷା ବିଶେଷଜ୍ଞୁ ବାଦ୍ ଦିଆଯାଇଛି।

ଶିକ୍ଷକମାନେ ମାର୍ଗ ଦର୍ଶିକାର ମୂଳ ଆଇନ୍ କୁ ନ ଦେଖି, କେବଳ ପରି ଶିଷ୍ଟକୁ ଅନୁପାଳନ କରୁଥିବାରୁ କେତେକ ଅସଙ୍ଗତି ଦେଖାଦେଇଛି। ଏଇଥି ପାଇଁ, କମିଟି ଗଠନର ମୂଳ ଆଭିମୁଖ୍ୟ ବାଧାପ୍ରାପ୍ତ ହେଉଛି ବୋଲି, ଅନେକ ବୁଦ୍ଧିଜୀବୀ, ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞ ଅଭିଯୋଗ କରିଛନ୍ତି। ଏହା ସହିତ ଆଉ ଏକ ବଡ ପ୍ରଶ୍ନ ମଧ୍ୟ ମୁଣ୍ଡ ଟେକିଛି। ତାହା ହେଉଛି – ଶିକ୍ଷାନୁଷ୍ଠାନ ରେ ଶିକ୍ଷାବିତ, ଶିକ୍ଷା ବିଶେଷଜ୍ଞ, ପୁରାତନ ଛାତ୍ର ଙ୍କୁ ଅଣଦେଖା କରି, ସେହି ସ୍ଥାନରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀଙ୍କୁ କମିଟିକୁ ମନୋନୀତ କଲେ, ଏମାନେ ବିଦ୍ୟାଳୟ ପରିଚାଳନାକୁ କେମିତି ଏବଂ କେଉଁ ଜ୍ଞାନରେ ରୁଦ୍ଧିମନ୍ତ କରି ପାରିବେ ? ଏତଦବ୍ୟତୀତ, କମିଟିର ସଦସ୍ୟ ଚୟନରେ ଶିକ୍ଷକ ମାନଙ୍କ ଭୂମିକାକୁ ମାର୍ଗଦର୍ଶିକା ବାରଣ କରିଥିବା ବେଳେ, କମିଟି ଗଠନକୁ ଶିକ୍ଷକ ମାନେ ପ୍ରଭାବିତ କରୁଥିବାର ଅଭିଯୋଗ ଆସୁଛି। ରାଜ୍ୟ ସଚିବାଳୟର ଅବସର ପ୍ରାପ୍ତ ଅନୁଶାସନ ସଚିବ ଶ୍ରୀଯୁକ୍ତ ଡମ୍ବରୁଧର ଘଣା ଙ୍କ କହିବା ଅନୁସାରେ, ଆଇନ୍ ଏବଂ ପରିଶିଷ୍ଟ ଉଭୟ ସମାନ ରହିବା ଉଚିତ୍। ଏଠାରେ ପରିଶିଷ୍ଟ ମୂଳ ଆଇନର ବିରୁଦ୍ଧାଚରଣ କରୁଛି। ଏହା ଏକ ବଡ ଅସଙ୍ଗତି।

ଶିକ୍ଷାନୁଷ୍ଠାନର ସୁପରିଚାଳନା, ଶିକ୍ଷା ପ୍ରଦାନର ଗୁଣବତ୍ତା, ଶିକ୍ଷକଙ୍କ ଉତ୍ତରଦାୟିତ୍ୱ , ପରିଚାଳନାରେ ସ୍ଵଛତା ଏବଂ ସର୍ବୋପରି ପିତା, ମାତା, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ଯୋଗଦାନକୁ ଧ୍ୟାନ ଦେଇ, ଏ’ ଦ୍ବନ୍ଦ୍ବାତ୍ମକ ମାର୍ଗଦର୍ଶିକାର ଆବଶ୍ୟକ ସଂଶୋଧନ କରିବାକୁ ଦାବି ହେଉଛି।

Leave A Reply

Your email address will not be published.