ମହେନ୍ଦ୍ରଗିରିରେ ଆରମ୍ଭ ହେଲା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ୍

11

ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମ୍ ଟି ବି ସାଇକ୍ଲିଂ ଚାମ୍ପିୟନଶିପ୍ ଉଦ୍‌ଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିସ୍ଥିତ କଇଁପୁରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ରାଜ୍ୟ ସାଇକ୍ଲିଂ ଲିଗ୍ ଓ ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମ୍ ଟି ବି ସାଇକ୍ଲିଂ ଚାମ୍ପିୟନଶିପ୍ ଆଜି ଉଦ୍‌ଘାଟିତ ହୋଇଛି।
ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ କଇଁପୁର ସରକାରୀ ଏସ୍ ଏସ୍ ଡି ହାଇସ୍କୁଲ ଖେଳ ପଡ଼ିଆ ଓ ମହେନ୍ଦ୍ରଗିରିର ଏମ୍ ଟି ବି ଟ୍ରାକ୍‌ରେ ଅନୁଷ୍ଠିତ ହେଉଛି।
ଉଦ୍‌ଘାଟନୀ ସମାରୋହରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନଶିପ୍‌ର ଶୁଭାରମ୍ଭ କରିଥିଲେ। ସେ ସାଇକ୍ଲିଷ୍ଟମାନଙ୍କୁ ଉତ୍ସାହିତ କରିବା ସହ ମହେନ୍ଦ୍ରଗିରି ଅଞ୍ଚଳରେ ସାଇକ୍ଲିଂ କ୍ରୀଡ଼ାର ବିକାଶ ପାଇଁ ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। ସ୍ଥାନୀୟ ତହସିଲଦାର ଶ୍ରୀ ସୁକାନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ସ୍ୱାଗତ ଜଣାଇଥିଲେ।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମହିଳା ଓ ପୁରୁଷ ସାଇକ୍ଲିଷ୍ଟଙ୍କ ସମେତ କୋଚ୍ , ଟିମ୍ ମ୍ୟାନେଜର ଓ ଟେକ୍ନିକାଲ୍ ଅଫିସିଆଲ୍‌ମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଚାମ୍ପିୟନଶିପ୍ ଉଦୀୟମାନ ସାଇକ୍ଲିଷ୍ଟମାନଙ୍କୁ ପ୍ରତିଭା ପ୍ରଦର୍ଶନ ସହ ପ୍ରତିଯୋଗିତାମୂଳକ ଅଭିଜ୍ଞତା ହାସଲ ଓ ଉଚ୍ଚସ୍ତରୀୟ ସାଇକ୍ଲିଂ ପାଇଁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରୁଛି।
ମହେନ୍ଦ୍ରଗିରିର ଚ୍ୟାଲେଞ୍ଜିଂ ଏମ୍ ଟି ବି ଟ୍ରାକ୍‌ରେ ବିଭିନ୍ନ ବର୍ଗର ପ୍ରତିଯୋଗିତା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆୟୋଜନର ସଫଳତା ପାଇଁ ସ୍ଥାନୀୟ କଇଁପୁର ଓ ବେଲାପଦର ଗ୍ରାମବାସୀଙ୍କ ସହଯୋଗ ସହ ଆୟୋଜକ କୋଚ୍ , ଟିମ୍ ମ୍ୟାନେଜର ଓ ଟେକ୍ନିକାଲ୍ ଅଫିସିଆଲ୍‌ମାନଙ୍କ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି।

Leave A Reply

Your email address will not be published.