ଅନିଶ୍ଚିତତାରେ ଏମ୍ସ ସାଟେଲାଇଟ ସେଣ୍ଟର

0

 

ସ୍ଥାନାନ୍ତର ବିରୋଧରେ ଆନ୍ଦୋଳନ ମୁଖୀ କଂଗ୍ରେସ

ବାଲେଶ୍ୱର/ujjwal kar : ତକ୍ରାଳୀନ କେନ୍ଦ୍ରର ଉପା ସରକାରଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ବାଲେଶ୍ୱରର ଏମ୍ସ ସାଟେଲାଇଟ  ସେଣ୍ଟର, ସୁପର ସ୍ପେଶାଲିଟି ହସପିଟାଲ ଏଣ୍ଡ ଇଣ୍ଟରନ୍ୟାସନାଲ ପବ୍ଲିକ୍ ହେଲ୍ଥ ସ୍କୁଲର ପ୍ରତିଷ୍ଠା  ଅନିଶ୍ଚିତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଜିଲ୍ଲା କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଜେନା ଏମ୍ସ ସାଟେଲାଇଟସେଣ୍ଟରର ବନ୍ଦ ପାଇଁ ସରକାରୀ ସ୍ତରରେ ଚାଲିଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ । ଉପା ସରକାରଙ୍କ ସମୟରେ ସେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ନିଆଯାଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଇ ନ ଦେବାକୁ ସମ୍ପ୍ରତି ରୀତିମତ ଉଦ୍ୟମ ଚାଲିଛି ବୋଲି ଶ୍ରୀ ଜେନା ଆରୋପ ଉଠାଇଛନ୍ତି । ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ୍,  ଏମ୍ସ ସାଟେଲାଇଟ ସେଣ୍ଟର, ସୁପର ସ୍ପେଶାଲିଟି ହସପିଟାଲ ଓ ଇଣ୍ଟରନ୍ୟାସନାଲ ପବ୍ଲିକ୍ ହେଲ୍ଥ ସ୍କୁଲ, ଟ୍ରମା ସେଣ୍ଟର ଏବଂ ମାତୃ-ଶିଶୁ ଯତ୍ନଗୃହ ପ୍ରତିଷ୍ଠା ପାଇଁ ସେତେବେଳେ ପ୍ରସ୍ତାବ ପାରିତ ହୋଇଥିଲା । ତକ୍ରାଳୀନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ୍ ୨୦୧୪ ମସିହା ଫେବୃୟାରୀ ୨୬ ତାରିଖରେ ଭୁବନେଶ୍ୱର ଗସ୍ତ ସମୟରେ ଏହି ପ୍ରସ୍ତାବ ଘୋଷଣା ମଧ୍ୟ କରିଥିଲେ ।  ଏମିତିକି ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହିସବୁ ପ୍ରକଳ୍ପ ପାଇଁ ଅର୍ଥ ମଧ୍ୟ ମଞ୍ଜୁର ହୋଇଥିଲା । ସମସ୍ତ ପ୍ରକାର ଆବଶ୍ୟକ ଭିତ୍ତିମଭୂମି ଥିବା ସତ୍ତେ୍ୱ  ୨୦୧୬ ଜୁନ୍ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରସ୍ତାବିତ ଏମ୍ ପଡ଼ିଆକୁ ସଭା କରିବାକୁ ଆସିଥିଲେ ବି ସେଟ୍ଲାଇଟ ସେଣ୍ଟର କିମ୍ବା ସ୍ପେଶାଲିଟି ହସପିଟାଲ ଓ ଇଣ୍ଟରନ୍ୟାସନାଲ ପବ୍ଲିକ୍ ହେଲଥ୍ ସ୍କୁଲ ବାବଦରେ ପଦେ ହେଲେ ଉଚ୍ଚାରଣ କରିଲେ ନାହିଁ । ଏଥି ପାଇଁ ପ୍ରଶାସନ ପକ୍ଷରୁ ୨୫ ଏକର ଜମି ହସ୍ତାନ୍ତର ହେବା ସହିତ ବାଉଣ୍ଡ୍ରି ୱାଲ ମଧ୍ୟ ସରିଛି ।  ମାତ୍ର ଏହାର  ନେଇ ଅନିଶ୍ଚିତତା ଦେଖାଯାଇଛି । ଏହା ପ୍ରତିଷ୍ଠା ହେଲେ ଉତ୍ତର ଓଡ଼ିଶା ସମେତ ପଡେ଼ାଶୀ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଏମିତିକି  ବାଂଲାଦେଶର ଲୋକେ ବିଶେଷ ଭାବେ ଉପକୃତ ହୋଇପାରି ଥାନ୍ତେ । ମାତ୍ର ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କେନ୍ଦ୍ର ସରକାର ପ୍ରୟାସ କରୁଥିବା ବେଳେ ରାଜ୍ୟ ସରକାର ଚୁପଚାପ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କର ଏହି ସ୍ଥାନାନ୍ତର ନିଷ୍ପତିକୁ ବିରୋଧ ପାଇଁ ସ୍ୱର ଉତ୍ତୋଳନର ଆବଶ୍ୟକତା ରହିଛି । ଉତ୍ତର ଓଡ଼ିଶା ସମେତ ପୂର୍ବ ଭାରତର ସାମୂହିକ ସ୍ୱାର୍ଥରକ୍ଷା ପାଇଁ ରାଜନୀତିର ଉଦ୍ଧ୍ୱର୍ରେ ରହି ଆସନ୍ତା୧୬ ତାରିଖରେ ସହରର ଗାନ୍ଧୀସ୍ମୃତି ଭବନ ପରିସରରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେ ସମସ୍ତଙ୍କୁ ନିବେଦନ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ଜିଲ୍ଲା ସଭାପତି  ସତ୍ୟନାରାୟଣ ମହାନ୍ତି, ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଂଜନ ଷଡ଼ଙ୍ଗୀ, ଦେବୀ ପ୍ରସନ୍ନ ଚଣ୍ଡ,  ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା, ବରିଷ୍ଠ  କଂଗ୍ରେସ ନେତା ସତ୍ୟଶିବ ଦାସ, ରଂଜନ ବାଗ, ଭାଗବତ ସାହୁଙ୍କ ସମେତ ଯୁବନେତା ବେଣୁମାଧବ ପଣ୍ଡା, ବିକ୍ରମ ପଣ୍ଡା, ବିଧାନ ଚନ୍ଦ୍ର ଜେନା, ସନ୍ତୋଷ କୁମାର ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । 

Leave A Reply

Your email address will not be published.