ନୂତନ ଏନ୍ଏସି କାର୍ଯ୍ୟାଳୟ,କଲ୍ୟାଣୀ ମଣ୍ଡପ, ବିଜୁ ଆଦର୍ଶ କଲୋନୀ ଓ ପରିମଳ ଉପଚାର କେନ୍ଦ୍ରର ଉଦ୍ଘାଟନ
ଓଡ଼ଗାଁ, ୧୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ପ୍ରାୟ ୮ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁକ୍ରବାର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୪ କୋଟି ୫୦ ଲକ୍ଷ ଟଙ୍କାରେ ନବନିର୍ମିତ ଓଡ଼ଗାଁ ଏନ୍ଏସି କାର୍ଯ୍ୟାଳୟ। ୧ କୋଟି ୯୦ ଲକ୍ଷ ଟଙ୍କାରେ ଶ୍ରୀରାମ କଲ୍ୟାଣୀ ମଣ୍ଡପ, ଆଖୁପଦର। ୧ କୋଟି ଟଙ୍କାରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ସମ୍ପ୍ରସାରଣ। ୨ କୋଟି ୩୫ ଲକ୍ଷ ଟଙ୍କାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ୧୯ ଲକ୍ଷ ଟଙ୍କାରେ ଗଣେଶ ମାର୍କେଟର ୧୮ ଦୋକାନ ଗୃହ ନବୀକରଣ କରାଯାଇଥିଲା। ଲୋକାର୍ପଣ ଉତ୍ସବରେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରକଳ୍ପର ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ। ନୟାଗଡ଼ ବିଧାୟକ ଡା. ଅରୁଣ କୁମାର ସାହୁ ଏବଂ ଜିଲ୍ଲାପାଳ ମଧୁମିତା ରଥ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ପରେ ଓଡ଼ଗାଁ ବ୍ଲକ୍ ରୋଡସ୍ଥିତ କଲ୍ୟାଣୀ ମଣ୍ଡପ ପରିସରରେ ଆୟୋଜିତ ସଭାରେ ଅତିଥିମାନେ ନଗରବାସୀଙ୍କୁ ସମ୍ବୋଧିତ କରିଥିଲେ। ବିଧାୟକ ଡା. ଅରୁଣ କୁମାର ସାହୁ ପୂର୍ବ ସରକାରଙ୍କ ସମୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମତ ରଖିଥିଲେ। ସାଂସଦ ଡା. ସମ୍ବିତ ପାତ୍ର ନଗରର ବିକାଶ ପାଇଁ ସୃଷ୍ଟି ହୋଇଥିବା ସ୍ଥାୟୀ ଭିତ୍ତିଭୂମିର ସୁରକ୍ଷା ଓ ସଠିକ୍ ବ୍ୟବହାର କରିବା ନଗରବାସୀଙ୍କ ଦାୟିତ୍ୱ ବୋଲି କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୫୧ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଡିଓ ପ୍ରୀତିବାଳା ରଣା, ତହସିଲଦାର ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ପବିତ୍ର କୁମାର ସେଠୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିଙ୍କ ସହିତ ବହୁ ସଂଖ୍ୟକ ନଗରବାସୀ ଉପସ୍ଥିତ ଥିଲେ।