ବାଲେଶ୍ୱରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ

0

ବାଲେଶ୍ୱର, ଜୁଲାଇ ୧୬, ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌, ବାଲେଶ୍ୱର ୟୁନିଟ୍ ପକ୍ଷରୁ ଫେରୋ ଆଲଏଜ୍ ପ୍ଲାଣ୍ଟ (ଏଫ୍‌ଏପି) କାର୍ଯ୍ୟକାରୀ ଅଞ୍ଚଳ ଅନ୍ତର୍ଗତ ଛାନପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଆୟୋଜିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ସୁତେଇ ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟ, ରେମୁଣାସ୍ଥିତ ଫେରୋ ଆଲଏଜ୍ ପ୍ଲାଣ୍ଟର ପରିବେଶ ବିଭାଗ ମୁଖ୍ୟଙ୍କ ସମେତ ‘ଦିଶା’ର ନେତୃବୃନ୍ଦ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଚାରାରୋପଣ କରିଥିଲେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଷ୍ଟିସାଧନର ଆବଶ୍ୟକତା ସମ୍ପର୍କରେ ସଚେତନତା, ଜୈବ ବିବିଧତା ସଂରକ୍ଷଣ ଏବଂ ବିଦ୍ୟାଳୟ ପରିସରକୁ ସବୁଜିମାରେ ଭରିଦେବା ଉଦ୍ଦେଶ୍ୟରେ ସ୍କୁଲ କ୍ୟାମ୍ପସ ଭିତରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି। ଏଥିସହିତ ଅଞ୍ଚଳର ସବୁଜ ବଳୟ ବୃଦ୍ଧି ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ରାସ୍ତାକଡ଼ରେ ବିଭିନ୍ନ ଜଙ୍ଗଲୀ ବୃକ୍ଷ ଚାରା ମଧ୍ୟ ଲଗାଯାଇଛି।

ଏହି ଅଭିଯାନ ଅଧୀନରେ ବାଲେଶ୍ୱର ଏଫ୍‌‌ଏପିର ଆଖପାଖ ଗ୍ରାମଗୁଡ଼ିକରେ ମୋଟ ୨,୦୦୦ ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
କେବଳ ବୃକ୍ଷରୋପଣ ନୁହେଁ, ବରଂ ପ୍ରତିଟି ଚାରା ଯେପରି ଏକ ସୁସ୍ଥ ବୃକ୍ଷରେ ପରିଣତ ହେବ, ସେଥିପାଇଁ ନିୟମିତ ପାଣି ଦେବା ଏବଂ ଏହାର ଯତ୍ନ ନେବାକୁ ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରାଯାଇଥିଲା। ଏହି ଅବସରରେ ପରିବେଶ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ବୋଲି ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆଗାମୀ ପିଢ଼ି ପାଇଁ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ କରିବା ସହ ଚାରାଗୁଡ଼ିକର ଯତ୍ନ ନେବାକୁ ସାମୂହିକ ସଂକଳ୍ପ ପାଠ କରାଯାଇଥିଲା।

ଏଭଳି ସାମୂହିକ ପ୍ରୟାସ ମାଧ୍ୟମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ନିଜର କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଭାବେ ପରିବେଶ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛି।

Leave A Reply

Your email address will not be published.