ଓଡ଼ଗାଁ ଓ ଶରଣକୁଳର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହକାରେ ରଥଯାତ୍ରା ପାଳିତ,

0

କୁରାଳରେ ଶିଳ୍ପପତି ପଦ୍ମ ଚରଣ ପାତ୍ରଙ୍କ ଛେରାପହଁରା, ହଜାର ହଜାର ଭକ୍ତଙ୍କ ସମାଗମ,

ଓଡ଼ଗାଁ, ୧୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଧାର୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶରେ ରଥଯାତ୍ରା ପାଳିତ ହୋଇଯାଇଛି। କୁରାଳ ଗ୍ରାମରେ ଅଧିଷ୍ଠିତ ଶ୍ରୀ ଦଧିବାମନ ଜୀଉଙ୍କ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ପରମ୍ପରା ଅନୁଯାୟୀ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ରଥର ପବିତ୍ରିକରଣ ଓ ପ୍ରତିଷ୍ଠା ପରେ ଶ୍ରୀଜୀଉଙ୍କ ପହଣ୍ଡି କରାଯାଇ ରଥ ଉପରେ ବିଜେ କରାଯାଇଥିଲା। ପୂଜାର୍ଚ୍ଚନା ପରେ କୁରାଳ ଗ୍ରାମର ବିଶିଷ୍ଟ ଶିଳ୍ପପତି ପଦ୍ମ ଚରଣ ପାତ୍ର ଛେରାପହଁରା କରିଥିଲେ। ଏହାପରେ ରଥର ଚାରମାଳ ଖୋଲାଯାଇ ଅଶ୍ୱ ବନ୍ଧାଯିବା ସହ ରଥଟଣା ଆରମ୍ଭ ହୋଇଥିଲା। ଓଡ଼ଗାଁ ଶ୍ରୀ ରାଧାକାନ୍ତ ଜିଉ ମଠରେ ଅଧିଷ୍ଠିତ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଦାରୁ ମୂର୍ତ୍ତିଙ୍କୁ ସମସ୍ତ ବିଧିବିଧାନ ପୂର୍ବକ ପହଣ୍ଡି କରାଯାଇ ରଥାରୁଢ଼ କରାଯିବା ସହ ଉତ୍ସାହ ସହକାରେ ଶହଶ୍ରାଧିକ ଭକ୍ତଙ୍କ ସମାଗମରେ ରଥଟଣା ଯାଇଥିଲା । ଶରଣକୁଳ ଓ ଆଖପାଖ ପଞ୍ଚାୟତ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଭକ୍ତ ରଥ ଟାଣିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେହିପରି କୋମଣ୍ଡରେ ଡଙ୍କନାଶନ (ଦଧିବାମନ) ପୀଠ, ରଙ୍ଗଣୀପାଟଣା, କୋରପିଠା, ଗୌଡ଼ପୁଟ, ନନ୍ଦିଘୋର, ପଞ୍ଚରିଡ଼ା, ସାକେରି ସମେତ ବିଭିନ୍ନ ଗ୍ରାମରେ ମଧ୍ୟ ଛୋଟ ଓ ବଡ଼ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ, ଶରଣକୁଳରେ ତିନି ରଥରେ ତିନି ଠାକୁର ବିଜେ କରିବା ପରେ ଲଡୁବାବା ମନ୍ଦିରର ପରିଚ୍ଛା ତୋଷବନ୍ତ କର ତିନିଟି ରଥରେ ଶୁଦ୍ଧ ଜଳ ସିଞ୍ଚନ କରିଥିଲେ। ପରେ ବଳଭଦ୍ରଙ୍କ ରଥରେ ସୁନୀଲ କୁମାର ବଡ଼ପଣ୍ଡା, ସୁଭଦ୍ରାଙ୍କ ରଥରେ ଲୋକନାଥ ପୁଷ୍ପପାଳକ ଏବଂ ଜଗନ୍ନାଥଙ୍କ ରଥରେ ଶିବ ପ୍ରସାଦ ପୁଷ୍ପପାଳକ ଛେରାପହଁରା କରିଥିଲେ। ଏହାପରେ ଭକ୍ତମାନେ ଭକ୍ତିଭାବର ସହ ତିନି ରଥ ଟାଣି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ। ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ ହୋଇଥିବାବେଳେ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ମନ୍ଦିର କମିଟି, ସେବାୟତ, ସ୍ୱେଚ୍ଛାସେବୀ ଓ ପ୍ରଶାସନର ସହଯୋଗ ରହିଥିଲା।

Leave A Reply

Your email address will not be published.