କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଓ ମାରୱାଡ଼ି ସୋସାଇଟିର ମିଳିତ ପ୍ରୟାସ: ବିନା ମୂଲ୍ୟରେ ପ୍ରୋସଥେଟିକ୍ସ ବଣ୍ଟନ

0

ଭୁବନେଶ୍ୱର, ୧୪ ଜୁଲାଇ :କ୍ୟାନ୍ସର ଚିକିତ୍ସାଧୀନ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସମ୍ମାନ ଫେରାଇ ଆଣିବା ଲକ୍ଷ୍ୟରେ ସ୍ଥାନୀୟ ମାରୱାଡ଼ି ସୋସାଇଟି କମ୍ୟୁନିଟି ହଲ୍‌ଠାରେ ଏକ କାର୍ଯ୍ୟକ୍ରମ ୧୩ ଜୁଲାଇରେ ଆୟୋଜିତ ହୋଇଯାଇଛି। ସ୍ୱର୍ଗତ ଜୀବେଶ ମିଶ୍ରଙ୍କ ସ୍ମୃତିରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଏବଂ ମାରୱାଡ଼ି ସୋସାଇଟିର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସେବାମୂଳକ କାର୍ଯ୍ୟକ୍ରମ କ୍ୟାନ୍ସର ଚିକିତ୍ସାଧୀନ ମହିଳାମାନଙ୍କୁ ବିନା ମୂଲ୍ୟରେ ଉନ୍ନତମାନର କୃତ୍ରିମ କେଶ ଓ କୃତ୍ରିମ ସ୍ତନ ବଣ୍ଟନ କରାଯାଇଛି।
ପବିତ୍ର ଗଣେଶ ବନ୍ଦନା ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଅରୂପ ପଟ୍ଟନାୟକ ଉପସ୍ଥିତ ରହି ସଂସ୍ଥାର ଆଭିମୁଖ୍ୟ ଏବଂ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରାଥମିକ ପର୍ଯ୍ୟାୟରେ ମୋଟ ୧୦ ଜଣ କ୍ୟାନ୍ସର ଚିକିତ୍ସାଧୀନ ମହିଳା ପ୍ରୋସଥେଟିକ୍ସ ପ୍ରଦାନ କରାଯାଇଥିଲା। ଚିକିତ୍ସା ସମୟରେ କେଶ ଝଡ଼ିବା ଏବଂ ଅସ୍ତ୍ରୋପଚାର ଯୋଗୁଁ ମହିଳାମାନେ ଯେଉଁ ମାନସିକ ସଂକଟ ଦେଇ ଗତି କରନ୍ତି, ତାହାକୁ ଦୂର କରି ସେମାନଙ୍କ ମନରେ ନୂତନ ଆଶା ସଞ୍ଚାର କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଜୀବେଶ ମିଶ୍ରଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। ମାରୱାଡ଼ି ସୋସାଇଟିର କୋଷାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ଅଗ୍ରୱାଲ ଅନୁଷ୍ଠାନର ଏହି ମହତ କାର୍ଯ୍ୟଧାରାକୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏହିପରି ମିଳିତ ଭାବେ ସେବା କାର୍ଯ୍ୟ ଜାରି ରଖିବେ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଓ ମାରୱାଡ଼ି ସୋସାଇଟିର ବହୁ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଚିକିତ୍ସାଧୀନ ମହିଳା ଓ ସେମାନଙ୍କ ପରିବାର ବର୍ଗ ଫାଉଣ୍ଡେସନର ଏହି ସେବାକୁ ଉଚ୍ଚ ପ୍ରଶଂସା କରିବା ସହ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.