ଏକତା, ଅଖଣ୍ଡତା ଓ ସଚ୍ଚୋଟତାର ବାର୍ତ୍ତା ଦେଲା ସାଇକ୍ଲୋଥନ
ଝାରସୁଗୁଡ଼ା, ୩୧/୧୦/୨୦୨୬: ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ପରିସରରେ ଜାତୀୟ ଏକତା ଦିବସ ଓ ସତର୍କତା ସଚେତନତା ସପ୍ତାହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋ ଫଳକରେ ମାଲ୍ୟାର୍ପଣପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଅଧ୍ୟକ୍ଷ ଶ୍ରୀ ଦେବତା ଏହି ଦିବସ ପାଳନର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଦେଶର ଏକତା, ଅଖଣ୍ଡତା, ନୈତିକତା ଓ ସଚ୍ଚୋଟତାର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଧାରଣା ଦେଇଥିଲେ । ଦେଶର ଅଖଣ୍ଡତା ଓ ଜାତୀୟ ସଂହତିକୁ ସୁଦୃଢ଼ କରିବା ସହ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସତ୍ୟନିଷ୍ଠା, ସ୍ୱଚ୍ଛତା ଓ ଦାୟିତ୍ୱବୋଧକୁ ଆପଣାଇବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ବିଦ୍ୟାଳୟର ଇଣ୍ଟିଗ୍ରିଟି କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଜାତୀୟ ଏକତା ଓ ସତର୍କତା ସଚେତନତା ସମ୍ପର୍କିତ ଶପଥ ପାଠ କରିବା ସହିତ ସାଇକ୍ଲୋଥନରେ ଅଂଶଗ୍ରହଣ କରି ଜାତୀୟ ଏକତା, ସାମାଜିକ ସଂହତି, ଦୁର୍ନୀତିମୁକ୍ତ ସମାଜ ଓ ସଚ୍ଚୋଟ ଜୀବନଯାପନର ବାର୍ତ୍ତା ପ୍ରେରଣ କରିଥିଲେ ।

ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣପୂର୍ବକ ମନରେ ଦେଶପ୍ରେମ, ନୈତିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବା ସହ ଏକ ସୁସ୍ଥ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନ ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।