ଆସନ୍ତା ନଭେମ୍ବରରେ ପାରଳାରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଅଷ୍ଟମ ଓଡ଼ିଆ ଭାଷା ସମ୍ମିଳନୀ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା , ଭୁବନେଶ୍ୱରର ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ନିରଦଚରଣ ଖୁଣ୍ଟିଆ , ସଦସ୍ୟ ସଚିବ ଡ଼ଃ ସୁବ୍ରତ ପୃଷ୍ଟି , ପ୍ରକଳ୍ପ ଅଧିକାରୀ ଶ୍ରୀ ବିଜୟ କୁମାର ପ୍ରଧାନ ଓ ଶ୍ରୀ ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ପାରଳାଖେମୁଣ୍ଡିର ଐତିହାସିକ ପୃଷ୍ଠଭୂମି ଓ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବାରୁ ଏହି ମାଟିର ଭୂୟସୀ ପ୍ରଶଂସା କରିଥିଲେ। ଏଥି ସହ ସମସ୍ତଙ୍କର ସହଯୋଗରେ ଆସନ୍ତା ନଭେମ୍ବର ମାସରେ ପାରଳାଖେମୁଣ୍ଡିଠାରେ ଏକ ଭବ୍ୟ ରାଜ୍ୟସ୍ତରୀୟ ଅଷ୍ଟମ ଓଡ଼ିଆ ଭାଷା ସମ୍ମିଳନୀ କରିବା ପାଇଁ ଘୋଷଣା କରିଥିଲେ। ଓଡ଼ିଆ ଭାଷାର ପ୍ରଚାର , ପ୍ରସାର ଓ ସୁରକ୍ଷା ସହିତ ଏହାର ଐତିହ୍ୟ , ସାହିତ୍ୟ ଏବଂ ଗବେଷଣାକୁ ଅଧିକ ସମୃଦ୍ଧ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯିବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।
ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି , ମାନ୍ୟବର ରାଜ୍ୟପାଳ , ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ଭାଷାବିତ୍ , ସାହିତ୍ୟିକ , ଗବେଷକ , ଶିକ୍ଷାବିତ୍ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଓଡ଼ିଆ ଭାଷାପ୍ରେମୀମାନେ ଯୋଗଦେବାର ସମ୍ଭାବନା ରହିଥିବା ସୂଚନା ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତି , ଭବିଷ୍ୟତ ଚ୍ୟାଲେଞ୍ଜ , ଡିଜିଟାଲ୍ ଯୁଗରେ ଭାଷାର ବିକାଶ ଓ ନୂତନ ଗବେଷଣା ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହେବାର ଯୋଜନା ରହିଛି। ପାରଳାଖେମୁଣ୍ଡି ପରି ଐତିହ୍ୟବହନକାରୀ ସହରରେ ଏହି ସମ୍ମିଳନୀ ଆୟୋଜନ ହେବା ଦ୍ୱାରା ଗଜପତି ଜିଲ୍ଲାର ସାଂସ୍କୃତିକ ଓ ସାହିତ୍ୟିକ ପରମ୍ପରାକୁ ନୂତନ ପରିଚୟ ମିଳିବ ବୋଲି ଆଶା ପ୍ରକାଶ ପାଇଛି।
ଏହି ସମ୍ମିଳନୀ ଆସନ୍ତା ନଭେମ୍ବର ମାସ ୧୩ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ବହୁ ଶିକ୍ଷାବିତ , ବୁଦ୍ଧିଜୀବୀ , ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.