କେଜିବିଭି ବିଦ୍ୟାଳୟ ସମୂହର ଜିଲାସ୍ତରୀୟ ପ୍ରତିଯୋଗିତା ଅନ୍ୱେଷା -୨୦୧୭

0

 

ବାରିପଦାରୁ ଦିଲ୍ଲୀପ ମହାନ୍ତି  : ବାରିପଦା ଛଉପଡ଼ିଆଠାରେ ତିନି ଦିନିଆ ପ୍ରତିଯୋଗିତା କେଜିବିଭି ବିଦ୍ୟାଳୟ ସମୂହର ଜିଲାସ୍ତରୀୟ ପ୍ରତିଯୋଗିତା ଆନ୍ୱେଷା-୨୦୧୭ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଅନିରୁଦ୍ଧ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ  ଭାବେ ପ୍ରଦୀପ ପ୍ରଜ୍ଜୁଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲାରେ ରହିଥିବା ସମସ୍ତ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ଅଧ୍ୟୟନ ରତ ୧୫ ଶହ  ଓ ଆରଏସଟି ସେଣ୍ଟରଗୁଡ଼ିକରେ ରହି ଅଧ୍ୟୟନ କରୁଥିବା ୮ ଶହ ଛାତ୍ରୀମାନେ ଏହି ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ ଯୋଗ ଦେଇ ଆଜିର ଏହି ଛାତ୍ରୀମାନେ ହେଉଛନ୍ତି ସର୍ଗୀଫୁଲ ଅର୍ଥାତ୍ ଶାଳ ଗଛର ମଞ୍ଜି । ଶାଳ ମଞ୍ଜି ଯେପରି ଗଛରୁ ମାଟିରେ ପଡ଼ିବାର ୨୪ ଘଣ୍ଟା ମଧ୍ୟରେ ଅଙ୍କୋରଦଗମ କ୍ଷମତା ଧାରଣ କରିବାରେ ସଫଳ ହୋଇଥାଏ ଠିକ୍ ସେହିପରି ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀମାନେ ସଠିକ୍ ଦିଗଦର୍ଶନ ମାଧ୍ୟମରେ ସଫଳତାର ଶୀର୍ଷ ଛୁଇଁ ପାରିଥାନ୍ତି । ନଚେତ ସେମାନେ ୨୪ ଘଣ୍ଟା ପରର ଶାଳଗଛ ମଞ୍ଜି ହୋଇଯାଇଥାନ୍ତି ବୋଲି କହିଥିଲେ । ସେହିପରି ମୟୂରଭଞ୍ଜ ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକ ନିଜ ବକ୍ତବ୍ୟରେ ଅନ୍ୱେଷା କାର୍ଯ୍ୟକ୍ରମ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଛପି ରହିଥିବା ଅନ୍ତର୍ନିହିତ ପ୍ରତିଭାର ଉନ୍ମେଷ ତଥା ପରିପ୍ରକାଶ  ନିମନ୍ତେ ଏକ ଉପଯୁକ୍ତ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥାଏ । ଏଥିରେ ଯିଏ ଯେଉଁ ପ୍ରକାର ପ୍ରତିଭାକୁ ପରିପ୍ରକାଶ କରିପାରିବ ତାହା ତାକୁ ସେହି ମାର୍ଗରେ ଆଗହୁ ରାସ୍ତା କଢ଼ାଇ ନେଇଯାଇ ଥାଏ । ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜକୁ ଜଣେ ଜଣେ ଆଇପିଏସ, ଆଇଏଏସ, କ୍ରୀଡ଼ାବିତ ଆଦି ଭାବେ ଗଢ଼ି ତୋଳିବାର ଲକ୍ଷ ରଖି ଆଗକୁ ଆଗେଇଲେ ସଫଳତା ତାଙ୍କ ନିକଟକୁ ଆପଣା ଛାଏଁ ଆସି ଯିବ ବୋଲି କହିଥିଲେ । ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁ ଆନ୍ୱେଷା ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶର ଏକ ମାଧ୍ୟମ ଭାବେ ସହାୟତା ପ୍ରଦାନ କରିଥାଏ ଏବଂ ଆଜି ଉପସ୍ଥିତ ରହିଥିବା ଛାତ୍ରୀମାନଙ୍କ ମଧ୍ୟରେ କାଲିର ମଦର ଟେରେସା, ଝାନ୍ସୀ ରାଣୀ ଲକ୍ଷ୍ମୀବାଈ, କୁନ୍ତଳାକୁମାରୀ ସାବତ ଆଦି ମହିୟସୀ ମହିଳାଙ୍କ ଭଳି ପ୍ରତିଭା ସମ୍ପନ୍ନ ଗୁଣ ପରିପୂର୍ଣ୍ଣ ରହିଛି । ଯିଏ ନିଜକୁ ଯେପରି ଭାବରେ ଗଢ଼ିବାର ଆଗ୍ରହ ଓ ଲକ୍ଷ ନେଇ ନିଜର ଚଲାପଥରେ ଅଗ୍ରସର ହେଲେ ସେ ତାର ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାରେ ସଫଳ ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ମୟୂରଭଞ୍ଜ ମାଟିର କନ୍ୟା ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରଉତ୍ତୋଳନକାରୀ ସ୍ନେହା ସୋରେନ ପିତା ମାତା, ଗୁରୁ ଓ ଗୁରୁଜନଙ୍କର ଆଶୀର୍ବାଦ ସହିତ ସେମାନଙ୍କ ଉପଦେଶକୁ ମାନି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଆଗକୁ ଆଗେଇଲେ ସଫଳତା ମିଳିବା ସମ୍ଭବ ହୋଇଥାଏ ବୋଲି କହିଥିବା ବେଳେ ଗତ ୨୦୧୬ର କସ୍ତୁରବା କନ୍ୟା ଖୁଣ୍ଟା କେଜିବିଭିର ଛାତ୍ରୀ ଅନୀତା ମଣ୍ଡଳ କହିଥିଲେ ଯେ ବିଫଳତା ସଫଳତାର ଚାବିକାଠି । ୨୦୧୫ କସ୍ତୁରବା କନ୍ୟା ପ୍ରତିଯୋଗିତା ଅଂଶ ଗ୍ରହଣ କରି ବିଫଳ ହେବା ପରେ ସେଥିରୁ ପ୍ରେରଣା ପାଇ ଥିଲି ଏବଂ ୨୦୧୬ରେ ଏହି ସଫଳତା ହାସଲ କରିପାରିଥିଲି । ତେଣୁ ସମସ୍ତେ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଆଗ୍ରସର ହେବାକୁ ଉପସ୍ଥିତ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ଣ୍ଣ ଚନ୍ଦ୍ର ବ୍ରହ୍ମାଙ୍କ ସଂଯୋଜନାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିବା ବେଳେ ପଙ୍କଲ ମହାପାତ୍ର ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଉପସ୍ଥିତ ଛାତ୍ରୀମାନଙ୍କ ମଧ୍ୟରେ ଜୁନିଆର ଓ ସିନିଅର ବର୍ଗରେ ପେଣ୍ଟି, କୁଇଜ, ସାଂସ୍କୃତିକ ନୃତ୍ୟ, ମେହେନ୍ଦି, ମୁରୁଜ, କମେଡ଼ି ସର୍କସ ଓ ସାୟାରୀ, ସଂଙ୍ଗୀତ, ବକ୍ତୃତା ଆଦି ବିଭିନ୍ନ ପ୍ରତିଯୋଗିତାମାନ ଆରମ୍ଭ ହୋଇଥିଲା । ଏଥିରେ ଭଦ୍ରଖ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲାଗୁଡ଼ିକରେ ଥିବା କେଜିବିଭି ଓ ଆରଏସଟିରେ ଅଧ୍ୟୟନ ରତ ଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.