ପୁରୀ, ୧୦/୭: ଯୁବ କଂଗ୍ରେସ ନେତା ଅବିନାଶ ମିଶ୍ର ଓ ରାମଚନ୍ଦ୍ର ସାହୁଙ୍କୁ ମିଥ୍ୟା ମାମଲାରେ ଫସାଇଛି ପୋଲିସ । ଖାଲି ସେତିକିନୁହେଁ, ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ଯୁବନେତା ଅବିନାଶ ଙ୍କୁ ଜେଲକୁ ପଠାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ଶୁକ୍ରବାର ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଚେରି ଛକରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭକାରୀମାନେ ଏସପି କାର୍ଯ୍ୟାଳୟ ଅଭିମୁଖେ ଯାଇ ପୁଲିସ ପ୍ରଶାସନ ଓ ରାଜ୍ୟ ସରକାର ବିରୋଧରେ ନାରାବାଜି କରିଥିଲେ। ପରେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଆଠଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।
ଜିଲ୍ଲା କଂଗ୍ରେସ ସଭାପତି ଇଂ. ରାଜେଶ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ କୁହାଯାଇଥିଲା ଯେ, ଗତ ୬ ଜୁଲାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ସେହି ଘଟଣାରେ ପୁଲିସ କେତେକ କଂଗ୍ରେସ କର୍ମୀଙ୍କୁ ଅଟକ ଓ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅବିନାଶ ମିଶ୍ର ଓ ରାମଚନ୍ଦ୍ର ସାହୁଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଇ ଜେଲକୁ ପଠାଯାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା।
କଂଗ୍ରେସ ପକ୍ଷରୁ ପ୍ରଦାନ କରାଯାଇଥିବା ଆଠଦଫା ଦାବିପତ୍ରରେ ପାଠ୍ୟପୁସ୍ତକରେ ତ୍ରୁଟି ଓ ବିଳମ୍ବିତ ବିତରଣ, ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସରଳ ଦର୍ଶନ ବ୍ୟବସ୍ଥା, ରାମମନ୍ଦିର ଓ ବଦ୍ରିନାଥ ମନ୍ଦିରର ଦାନ ଅର୍ଥ ସମ୍ପର୍କିତ ଅଭିଯୋଗର ତଦନ୍ତ, ଇସ୍କନକୁ କର୍ଡନ ପାସ ବଣ୍ଟନ, ପୁରୀ ମହାନଗର ନିଗମ ପକ୍ଷରୁ ନଳା ସଫା ନହେବା, ବାରମ୍ବାର ବିଦ୍ୟୁତ କାଟ, ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଡ଼ାଜଳା ୟୁନିଟ୍ ସ୍ଥାପନ ଭଳି ପ୍ରସଙ୍ଗ ସାମିଲ ଥିଲା।
ବିକ୍ଷୋଭ ସ୍ଥଳକୁ ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର, ସିଟି ଡିଏସପି ଓ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗର ଆଇନଗତ ଦିଗକୁ ଯାଞ୍ଚ କରି ଉପଯୁକ୍ତ ଦଫାରେ ଅଭିଯୋଗପତ୍ର ଦାଖଲ ପାଇଁ ପଦକ୍ଷେପ ନିଆଯିବ ବୋଲି ସେମାନେ ଆଶ୍ୱାସନ ଦେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।
ଏହି ବିକ୍ଷୋଭରେ ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ର, ଜୟନାରାୟଣ ପଟ୍ଟନାୟକ, ବିଦ୍ୟୁତଲତା ଆଚାର୍ଯ୍ୟ, ସୁଜିତ ମହାପାତ୍ର, ବିଶ୍ୱରଞ୍ଜନ ମହାପାତ୍ର, ନିରଞ୍ଜନ ରଥ, ସୁକାନ୍ତ ପ୍ରଧାନ, କାଳୀ ପ୍ରସାଦ ନାୟକ, ସରସ୍ୱତୀ ପାତ୍ର, ଲଲାଟେନ୍ଦୁ ଦାସ, ଜୟଶ୍ରୀ ପାତ୍ରଙ୍କ ସମେତ ବହୁ ବରିଷ୍ଠ, ଯୁବ ଓ ଛାତ୍ର କଂଗ୍ରେସ ନେତା ଏବଂ ଶତାଧିକ କର୍ମୀ ଯୋଗଦେଇଥିଲେ |