‘ନିମୋଡା ନିମୋଡା’ ତାଳରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କଲା ବିଜେଡି

0

ବରଗଡ଼:- ରାଜ୍ୟର ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟିକୁ ନେଇ ବରଗଡ଼ରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ନିଆରା ଢଙ୍ଗରେ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଇଛି। ଗାନ୍ଧୀ ଛକରେ ଶତାଧିକ କର୍ମୀ ଏକାଠି ହୋଇ ‘ନିମୋଡା ନିମୋଡା’ ଗୀତର ତାଳେ ତାଳେ ଝୁମିଝୁମି, ହାତରେ ଝାଳମୁଡ଼ି ଓ ସୁଖୁଆ ଧରି ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ପ୍ରତିବାଦର ଏହି ଅଭିନବ ଶୈଳୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆନ୍ଦୋଳନକାରୀଙ୍କ କହିବା ଅନୁସାରେ, ଯେଉଁ ପାଠ୍ୟପୁସ୍ତକରୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ, ସେଥିରେ ବର୍ଣ୍ଣଗତ ତ୍ରୁଟି, ତଥ୍ୟଗତ ଭୁଲ, ବିଷୟବସ୍ତୁର ଅସଙ୍ଗତି ଓ ମୁଦ୍ରଣ ସମସ୍ୟା ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେମାନଙ୍କ ଅଭିଯୋଗ, ଏହା କେବଳ ଛାପା ଭୁଲ ନୁହେଁ, ବରଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଅବହେଳା।
ପ୍ରତିବାଦକାରୀମାନେ ବ୍ୟଙ୍ଗ କରି କହିଥିଲେ, ଆଜିର ସରକାରଙ୍କ ପାଖରେ ବୋଧହୁଏ ପ୍ରଚାର ପାଇଁ ସମୟ ଅଛି, କିନ୍ତୁ ପାଠ୍ୟପୁସ୍ତକ ଠିକ୍ ଭାବେ ଯାଞ୍ଚ କରିବାକୁ ସମୟ ନାହିଁ। ଛାତ୍ରଛାତ୍ରୀଙ୍କ ହାତରେ ଭୁଲ ବହି ପହଞ୍ଚିବା ପରେ ମଧ୍ୟ ଯଦି ସରକାର ନିରବ ରହୁଛନ୍ତି, ତେବେ ଏହାକୁ ଦାୟିତ୍ୱହୀନତା ବୋଲି କୁହାଯିବ ବୋଲି ସେମାନେ ମତ ରଖିଥିଲେ।
ଆନ୍ଦୋଳନରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ବହୁ ବରିଷ୍ଠ ନେତା, ଛାତ୍ର ପ୍ରତିନିଧି ଓ କର୍ମୀ ଉପସ୍ଥିତ ଥିଲେ।
ବକ୍ତାମାନେ କହିଥିଲେ, ଶିକ୍ଷା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଏପରି ବଡ଼ ତ୍ରୁଟିକୁ ସାଧାରଣ ଘଟଣା ବୋଲି ଦେଖାଯାଇପାରିବ ନାହିଁ। ଏହା ପରୀକ୍ଷା ପ୍ରସ୍ତୁତି, ପାଠପଢ଼ା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସିଧାସଳଖ ପ୍ରଭାବିତ କରୁଛି। ସେମାନଙ୍କ ଦାବି, ଶିକ୍ଷାମନ୍ତ୍ରୀ ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିବା ସହ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ।
ପ୍ରତିବାଦକାରୀମାନେ ଆହୁରି ଦାବି କରିଥିଲେ ଯେ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ଛାତ୍ରଛାତ୍ରୀଙ୍କୁ ସଠିକ୍ ଓ ତ୍ରୁଟିମୁକ୍ତ ବହି ଯୋଗାଇ ଦିଆଯାଉ। ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ପାଠ୍ୟପୁସ୍ତକ ପ୍ରକାଶ ପୂର୍ବରୁ ବିଶେଷଜ୍ଞ କମିଟି ଦ୍ୱାରା କଡ଼ା ଯାଞ୍ଚ ବ୍ୟବସ୍ଥା କରିବାକୁ ମଧ୍ୟ ସେମାନେ ଦାବି କରିଥିଲେ। ଆନ୍ଦୋଳନ ସମୟରେ ‘ଶିକ୍ଷା ବଞ୍ଚାଅ’, ‘ଛାତ୍ର ସ୍ୱାର୍ଥ ବଞ୍ଚାଅ’ ଓ ‘ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅ’ ସ୍ଲୋଗାନରେ ଗାନ୍ଧୀ ଛକ ପ୍ରକମ୍ପିତ ହୋଇଥିଲା। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା।
ଶେଷରେ ବିଜେଡି ନେତାମାନେ ସତର୍କ କରି କହିଥିଲେ, ସରକାର ଯଦି ଶୀଘ୍ର ପଦକ୍ଷେପ ନ ନିଅନ୍ତି ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ନ ଦିଅନ୍ତି, ତେବେ ଏହି ଆନ୍ଦୋଳନକୁ ସାରା ରାଜ୍ୟରେ ଆହୁରି ଜୋରଦାର କରାଯିବ। ସେମାନଙ୍କ ମତରେ, ଶିକ୍ଷାରେ ଅବହେଳା ମାନେ ଆଗାମୀ ପିଢ଼ିର ଭବିଷ୍ୟତ ସହ ଖେଳ, ଏବଂ ଏହା ବିରୋଧରେ ସେମାନଙ୍କ ଲଢ଼େଇ ଜାରି ରହିବ।

Leave A Reply

Your email address will not be published.