ବୁର୍ଲା, ୧୦ ଜୁଲାଇ ୨୦୨୬:ଦେଶର ସର୍ବୋକୃଷ୍ଟ ସୁରକ୍ଷିତ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଗଠନ ଲକ୍ଷ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏକ ସ୍ୱତନ୍ତ୍ର ଜନସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ନଅ ଗୋଟି ଜିଲ୍ଲାର ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ସୁରକ୍ଷା ଓ ସେବାର ସ୍ୱଚ୍ଛତା ବଜାୟ ରଖିବାରେ ସକ୍ରିୟ ସହଭାଗୀ ହେବାକୁ ଆହ୍ୱାନ କରାଯାଇଛି।
୨୧ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଆସୁଥିବା ଟିପିଡବ୍ଲୁଓଡିଏଲ୍ ବିଦ୍ୟୁତ୍ ସୁରକ୍ଷା କ୍ଷେତ୍ରରେ ଉନ୍ନତ ଭିତ୍ତିଭୂମି, ଆଧୁନିକ ପ୍ରଯୁକ୍ତି ଏବଂ କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ନିରନ୍ତର ବିନିଯୋଗ କରିଆସୁଛି। ନିକଟରେ ସଂସ୍ଥା ଓଭରହେଡ୍ ବିଦ୍ୟୁତ୍ ଲାଇନ୍ ରକ୍ଷଣାବେକ୍ଷଣ ପାଇଁ ଅଧିକ ସଂଖ୍ୟକ ମ୍ୟାନଲିଫ୍ଟର୍ ଯାନ ନିୟୋଜନ କରିଥିବା ବେଳେ, ଉଚ୍ଚତାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପ୍ରଶିକ୍ଷଣ ପାଇଁ ଆଧୁନିକ ଭର୍ଟିଗୋ ଟେଷ୍ଟ ଷ୍ଟ୍ରକ୍ଚର୍ ସ୍ଥାପନ କରିଛି।ଏହାସହ ଟାଟା ପାୱାର ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଟ୍ୟୁଟ୍ (TPSDI) ସହଯୋଗରେ ପଶ୍ଚିମ ଓଡ଼ିଶାର ସମସ୍ତ ଅପରେସନାଲ୍ ସର୍କଲର ପ୍ରତିନିଧିଙ୍କୁ ନେଇ ବିଦ୍ୟୁତ୍ ସୁରକ୍ଷା ବିଷୟରେ ‘ଟ୍ରେନିଂ ଅଫ୍ ଟ୍ରେନର୍ସ’ (ToT) କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି।
ଏହି ସମସ୍ତ ପଦକ୍ଷେପକୁ ଆହୁରି ସୁଦୃଢ଼ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ବର୍ତ୍ତମାନ ଉପଭୋକ୍ତାମାନଙ୍କୁ ସୁରକ୍ଷା ସହଯୋଗୀ ଭାବେ ଆଗକୁ ଆସି ଅସୁରକ୍ଷିତ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସୂଚନା ଦେବା ଏବଂ ସମସ୍ତ ବିଦ୍ୟୁତ୍ ସମ୍ବନ୍ଧୀୟ ଅଭିଯୋଗକୁ ନିର୍ଦ୍ଦିଷ୍ଟ ଗ୍ରାହକ ସେବା ବ୍ୟବସ୍ଥା ମାଧ୍ୟମରେ ପଞ୍ଜୀକରଣ କରିବାକୁ ଅନୁରୋଧ କରିଛି।
ଦୈନଦିନ ଅନେକ ଉପଭୋକ୍ତା ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ୟା ପାଇଁ ସିଧାସଳଖ କ୍ଷେତ୍ର କର୍ମଚାରୀ କିମ୍ବା ପରିଚିତ ଅଧିକାରୀଙ୍କ ସହ ଯୋଗାଯୋଗ କରୁଥିବା ନଜିର ରହିଛି। ଏହାଦ୍ୱାରା ସମସ୍ୟାର ସମାଧାନ ହୋଇଥିଲେ ମଧ୍ୟ ତାହା ଔପଚାରିକ ଅଭିଯୋଗ ବ୍ୟବସ୍ଥାରେ ପଞ୍ଜୀକୃତ ହେଉନଥିବାରୁ ଅଭିଯୋଗର ନିରୀକ୍ଷଣ, ଅନୁଧ୍ୟାନ ଓ ସମୟବଦ୍ଧ ସମାଧାନ ପ୍ରକ୍ରିୟା ପ୍ରଭାବିତ ହେଉଛି।
ତେଣୁ ସମସ୍ତ ଉପଭୋକ୍ତାଙ୍କୁ ଅନୁରୋଧ କରାଯାଉଛି ଯେ, ବିଦ୍ୟୁତ୍ ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ କିମ୍ବା ସେବା ଆବଶ୍ୟକତା ପାଇଁ କେବଳ ଟିପିଡବ୍ଲୁଓଡିଏଲ୍ର ଟୋଲ୍-ଫ୍ରି ହେଲ୍ପଲାଇନ୍୧୯୧୨କିମ୍ବା୧୮୦୦-୨୦୨୮ରେ ଯୋଗାଯୋଗ କରି ଅଭିଯୋଗ ପଞ୍ଜୀକରଣ କରନ୍ତୁ। ପ୍ରତ୍ୟେକ ଅଭିଯୋଗକୁ ଏକ ସ୍ୱତନ୍ତ୍ର ରେଫରେନ୍ସ ନମ୍ବର ପ୍ରଦାନ କରାଯାଇଥାଏ ଏବଂ ସମାଧାନ ନହେବା ପର୍ଯ୍ୟନ୍ତ ତାହାର ନିରନ୍ତର ଅନୁଧ୍ୟାନ କରାଯାଇଥାଏ।ଏହାଦ୍ୱାରା ସେବାର ଦକ୍ଷତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆହୁରି ବୃଦ୍ଧି ପାଇବ।
ଏହାସହଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଇଛି ଯେ, ଯଦି କୌଣସି କର୍ମଚାରୀ କିମ୍ବା ବ୍ୟବସାୟିକ ସହଯୋଗୀ ଆବଶ୍ୟକୟ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ (PPE) ଯଥା ସୁରକ୍ଷା ହେଲମେଟ୍, ଗ୍ଲୋବସ୍, ସୁରକ୍ଷା ଜୋତା, ସୁରକ୍ଷା ବେଲ୍ଟ କିମ୍ବା ଅନୁମୋଦିତ ସିଡ଼ି ବ୍ୟବହାର ନକରି କାର୍ଯ୍ୟ କରୁଥିବା ଦେଖନ୍ତି କିମ୍ବା ଅନ୍ୟ କୌଣସି ଅସୁରକ୍ଷିତ କାର୍ଯ୍ୟପ୍ରଣାଳୀ ଲକ୍ଷ୍ୟ କରନ୍ତି, ତେବେ ତୁରନ୍ତ ଟିପିଡବ୍ଲୁଓଡିଏଲ୍କୁ ସୂଚନା ପ୍ରଦାନ କରନ୍ତୁ। ଏହାଦ୍ୱାରା ସଂସ୍ଥା ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରି ବିପଦକୁ ହ୍ରାସ କରିବା ସହ ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିପାରିବ।
ଏହି ପଦକ୍ଷେପ ସମ୍ପର୍କରେ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଟିପିଡବ୍ଲୁଓଡିଏଲ୍ରେ ବିଦ୍ୟୁତ୍ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। କର୍ମଚାରୀ, ସହଯୋଗୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ନିରନ୍ତର ଭାବେ ଭିତ୍ତିଭୂମି, ପ୍ରଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରୁଛୁ। ଏହି ପ୍ରୟାସରେ ଉପଭୋକ୍ତାଙ୍କ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଲ୍ ସେଣ୍ଟର ମାଧ୍ୟମରେ ପଞ୍ଜୀକୃତ ପ୍ରତ୍ୟେକ ଅଭିଯୋଗ ଓ ସଚେତନ ନାଗରିକଙ୍କ ଦ୍ୱାରା ଜଣାଯାଉଥିବା ପ୍ରତ୍ୟେକ ଅସୁରକ୍ଷିତ କାର୍ଯ୍ୟପ୍ରଣାଳୀ ଆମକୁ ଶୀଘ୍ର ପଦକ୍ଷେପ ନେବା, ସେବାର ମାନ ବୃଦ୍ଧି କରିବା ଏବଂ ସମଗ୍ର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।”
ଏହି ଜନସଚେତନତା ଅଭିଯାନ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ଉପଭୋକ୍ତାଙ୍କୁ କେବଳ ବିଦ୍ୟୁତ୍ ସେବାର ଲାଭାର୍ଥୀ ନୁହେଁ, ବରଂ ଏକ ସୁରକ୍ଷିତ, ସ୍ୱଚ୍ଛ ଓ ଦାୟିତ୍ୱବାନ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଗଠନର ସକ୍ରିୟ ସହଭାଗୀ ଭାବେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି।