ମହାପ୍ରୟାଣ ଗାଡ଼ି ନମିଳିବା ଘଟଣା: ଜିଲ୍ଲାପାଳଙ୍କୁ ବିଜେଡିର ଦାବିପତ୍ର, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି

0

ଝାରସୁଗୁଡ଼ା, ୬/୭: ଲାଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଓଡ଼ିଆପାଲି ଗ୍ରାମରେ ଜଣେ ମୃତ ମହିଳାଙ୍କ ଶବ ପରିବହନ ପାଇଁ ସରକାରୀ ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ବାଧ୍ୟ ହୋଇ ମୋଟରସାଇକେଲରେ ଶବ ବୋହି ନେଇଥିବା ଘଟଣାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଘଟଣାକୁ ମାନବୀୟ ମର୍ଯ୍ୟାଦାର ଚରମ ଉଲ୍ଲଂଘନ ଓ ପ୍ରଶାସନିକ ଅବହେଳା ବୋଲି ବିଜେଡି ଅଭିହିତ କରିଛି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସରକାରଙ୍କ ମହାପ୍ରୟାଣ ଯୋଜନାର ସଠିକ୍ କାର୍ଯ୍ୟକାରିତା ନ ଥିବାରୁ ସ୍ଥାନୀୟ ଗରିବ ବ୍ୟକ୍ତି ନରେଶ ଛତ୍ରିଆ ନିଜ ମୃତ ସ୍ତ୍ରୀ ଯମୁନା ନାୟକଙ୍କ ଶବକୁ ଲାଇକେରା ସିଏଚସିରୁ ବାଇକରେ ନେବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଏହାର ଆନୁଷ୍ଠାନିକ ଓ ସମୟସୀମା ଭିତ୍ତିକ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି।

ଏଥିସହ ଶୋକସନ୍ତପ୍ତ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା ଯୋଜନା ଓ ମୁଖ୍ୟମନ୍ତ୍ରୀ ସାହାଯ୍ୟ ପାଣ୍ଠି (ସିଏମଆରଏଫ୍)ରୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା, ଲାଇକେରା ସମେତ ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ୨୪×୭ ହେଲ୍ପଲାଇନ ଓ କାର୍ଯ୍ୟକ୍ଷମ ଷ୍ଟାଣ୍ଡବାଇ ଶବବାହୀ ଗାଡ଼ିର ବ୍ୟବସ୍ଥା କରିବା ସହ ସରକାରୀ ଡାକ୍ତରଖାନା ଓ ବ୍ଲକ ପ୍ରଶାସନର କର୍ମଚାରୀମାନଙ୍କୁ ଗରିବ ଲୋକଙ୍କ ପ୍ରତି ସମ୍ବେଦନଶୀଳ ବ୍ୟବହାର ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାକୁ ଦାବି କରାଯାଇଛି।

ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ପରିଷଦ ସଭାପତି ତୁଳାବତୀ ମିଞ୍ଜ, ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ଜୟନ୍ତୀ ବାହୁକ, ଲାଇକେରା ବ୍ଲକ ଚେୟାରମ୍ୟାନ ସଞ୍ଜୀତ କୁମାର ନାୟକ, ଲାଇକେରା ବ୍ଲକ ବିଜେଡି ସଭାପତି ସତ୍ୟ ପ୍ରକାଶ ନାୟକ, ଭାଇସ ଚେୟାରମ୍ୟାନ ଭଗବତୀ ବେହେରା, ସମିତି ସଭ୍ୟା ଅନୁପମା ଜୟପୁରିଆ, ନୀଳିମା ମାଝୀ ଏବଂ କୋଲାବିରା ବ୍ଲକ ବିଜେଡି ସଭାପତି ପୁରୁଷୋତ୍ତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଜେଡି ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.