ବରଗଡ଼ :- ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହଠାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଅନ୍ତର୍ଗତ ଚିଠା ନିର୍ବାଚନ ତାଲିକା ଆନୁଷ୍ଠାନିକ ଭାବେ ଆଜି ପ୍ରକାଶ ପାଇଛି। ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚିଠା ଭୋଟର ତାଲିକା ଉନ୍ମୋଚନ କରିବା ସହ ଏହାକୁ ପ୍ରାଞ୍ଜଳ ଭାବରେ ଉପସ୍ଥାପନ କରିଥିଲେ। ଏଥିସହ ସେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ ପ୍ରକ୍ରିୟାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିଷୟରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ସବିଶେଷ ସୂଚନା ପ୍ରଦାନ କରି ଅବଗତ କରାଇଥିଲେ। ସାଧାରଣ ଜନସାଧାରଣଙ୍କ ପାଇଁ ଦାବି ଓ ଆପତ୍ତି ଦାଖଲ କରିବାର ସମୟସୀମା ଆଜିଠୁ ଆରମ୍ଭ ହୋଇ ୪ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ଚିଠା ପ୍ରକାଶନ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମଧୁଛନ୍ଦା ସାହୁ, ବରଗଡ଼ ଉପ-ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ ଏବଂ ପଦ୍ମପୁର ଉପ-ଜିଲ୍ଲାପାଳ ହେମସାଗର ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହାଛଡ଼ା ଡେପୁଟି କଲେକ୍ଟର ଶ୍ରୀମତୀ ସୂର୍ଯ୍ୟମଣି ଭୋଇ, ଏଚ୍.ଆର୍.ଏମ୍.ଏସ୍. (HRMS) ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଏହି ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ। ତଥ୍ଯ ଅନୁସାରେ ବରଗଡ଼ ଜିଲ୍ଲାର ସମୁଦାୟ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୧,୮୧,୨୮୧ ଥିଲା। ଏହି ସମସ୍ତ ଭୋଟରଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ପଞ୍ଜୀକରଣ ଫର୍ମ ବଣ୍ଟନ ଶେଷ ହୋଇଥିବା ବେଳେ ସେଥିମଧ୍ୟରୁ ୯୩.୭୦ ପ୍ରତିଶତ ଅର୍ଥାତ୍ ୧୧,୦୬,୮୭୬ ଟିର ଡିଜିଟାଇଜେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଚିଠା ପ୍ରସ୍ତୁତ ହୋଇଛି। ବୈଠକରେ ସୂଚନା ଦିଆଯାଇଛି ଯେ, ଏହି ସ୍ୱତନ୍ତ୍ର ସଂଶୋଧନ ଅବଧି ମଧ୍ୟରେ ସମସ୍ତ ଯୋଗ୍ୟ ନୂତନ ଭୋଟରଙ୍କ ନାମ ସାମିଲ କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ତାଲିକାରେ ଥିବା ଯେକୌଣସି ତ୍ରୁଟିର ସଂଶୋଧନ କରାଯାଇଛି। ପ୍ରକାଶିତ ଚିଠା ଭୋଟର ତାଲିକାକୁ ନେଇ କୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ, ଜନସାଧାରଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୃକ୍ତ ଫର୍ମ ଜରିଆରେ ଆବେଦନ କରିପାରିବେ ବୋଲି ଜିଲ୍ଲା ନିର୍ବାଚନ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post