ଓଡ଼ଗାଁ, ୪।୭(ଶ୍ରୀକାନ୍ତ କୁମାର ମିଶ୍ର): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର ଶୁକ୍ରବାର ଓଡ଼ଗାଁ ଏନ୍ଏସି ଓ ଆଖପାଖ ଅଞ୍ଚଳରେ ‘ଲୋକଙ୍କ ଦୁଆରେ’ କାର୍ଯ୍ୟକ୍ରମ କରିଥିଲେ। ଏହି ଅବସରରେ ସେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, କବି, ଲେଖକ, ପରିବେଶବିତ, ନାଟ୍ୟ ନିର୍ଦ୍ଦେଶକ ଓ ଆର୍ମି ଭେଟେରାନଙ୍କ ପରିବାରକୁ ସାକ୍ଷାତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଓ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାଜପା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ନୟାଗଡ଼ ବିଧାନସଭାର ପୂର୍ବତନ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ମଧ୍ୟ ସାମିଲ ହୋଇଥିଲେ। ସେମାନେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ ମହାରଣା, ନାଟ୍ୟ ନିର୍ଦ୍ଦେଶକ ଓ ଆର୍ମି ଭେଟେରାନ ପରିବାର ସଦସ୍ୟ ନରେନ୍ଦ୍ର କୁମାର ତ୍ରିପାଠୀ, ମନ୍ଦିର ଶିଳ୍ପୀ ତଥା ସଂଗଠକ ଜୟକୃଷ୍ଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶିବରାମ ପଟ୍ଟନାୟକ, ସାମାଜିକ କର୍ମୀ ସୁକାନ୍ତ କୁମାର ସାହୁ, ଦଣ୍ଡୋର ଗ୍ରାମର ଯୁବ କବି ଓ ଲେଖକ ଶାନ୍ତନୁ ବିଷୋୟୀ ଏବଂ କୁରାଳ ଗ୍ରାମର ପ୍ରାକ୍ତନ ଶିକ୍ଷକ ତଥା ପରିବେଶବିତ ସୁକାନ୍ତ କୁମାର ଚୌଧୁରୀଙ୍କ ବାସଭବନକୁ ଯାଇ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଆର୍ମି ଭେଟେରାନ ଓ ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକଙ୍କ ସହ ସ୍ଥାନୀୟ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଶେଷକରି ନୟାଗଡ଼ ରାଜପାଟଣା ୩୩/୧୧ କେଭି ଗ୍ରିଡ୍ ଷ୍ଟେସନରୁ ଓଡ଼ଗାଁ ବିଦ୍ୟୁତ ସେକ୍ସନକୁ ପ୍ରସ୍ତାବିତ ୩୩ କେଭି ବିଦ୍ୟୁତ ଲାଇନର ଶୀଘ୍ର କାର୍ଯ୍ୟକାରିତା, ଓଡ଼ଗାଁରେ ପ୍ରସ୍ତାବିତ ୩୩ କେଭି ଗ୍ରିଡ୍ ଷ୍ଟେସନ ପ୍ରତିଷ୍ଠା ଏବଂ ବରକନ୍ୟା ଝରଣାରୁ ନିର୍ଗତ ଜଳକୁ ବୁଢ଼ାବୁଢ଼ୀଆଣି ଡ୍ୟାମ ସହ ସଂଯୋଗ କରିବା ନେଇ ଆଲୋଚନା ହୋଇଥିଲା। ଏହି ପ୍ରସ୍ତାବଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରାଯାଉଥିବା ବେଳେ ଜିଲ୍ଲାପାଳ ମଧୁମିତା ରଥ ଓ ସମ୍ପୃକ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା ଜାରି ରହିଥିବା ସୂଚନା ସାଂସଦ ଡ଼. ପାତ୍ର ଦେଇଥିଲେ।
କାର୍ଯ୍ୟକ୍ରମରେ ଏନ୍ଏସି ଭାଜପା ନେତା ସଞ୍ଜୟ କୁମାର ସାହୁ, ତପନ କୁମାର ସାମନ୍ତରାୟ, ବିକାଶ ପରିଷଦ ସଭାପତି ସୁଶାନ୍ତ କୁମାର ସାହୁଙ୍କ ସମେତ ବ୍ଲକ ଓ ଏନ୍ଏସି ସ୍ତରର ଅନେକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.