ଭୁବନେଶ୍ୱରରେ ୨୩ତମ ଜାତୀୟ ସିଏ ସମ୍ମିଳନୀ ୨୦୨୬ ଉଦ୍ଘାଟିତ

0

ଓଡ଼ିଶାର ଦୁଇ ଶୀର୍ଷ ସିଏ ଫାଇନାଲ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ

ଭୁବନେଶ୍ୱର, ୩ ଜୁଲାଇ: ‘ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ICAI) ର ଭୁବନେଶ୍ୱର ଶାଖା (EIRC) ପକ୍ଷରୁ ଆୟୋଜିତ ୨୩ତମ ଜାତୀୟ ସିଏ ସମ୍ମିଳନୀ ୨୦୨୬ ସ୍ଥାନୀୟ ମେ’ଫେୟାର କନଭେନସନଠାରେ ଭବ୍ୟ ଭାବେ ଉଦ୍ଘାଟିତ ହୋଇଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୂଳ ବିଷୟବସ୍ତୁ (ଥିମ୍) “ଇନଫିନିଟି – ବିୟଣ୍ଡ ବାଉଣ୍ଡାରିଜ୍” ରହିଛି।
ସମ୍ମିଳନୀର ପ୍ରାରମ୍ଭରେ ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ସିଏ (ଡ.) ଗୌତମ ଲେଙ୍କା ସ୍ୱାଗତ ଭାଷଣ ଦେଇ ଦେଶର ବଦଳୁଥିବା ଆର୍ଥିକ ଓ ପ୍ରଯୁକ୍ତିଗତ ପରିବେଶରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ବୃଦ୍ଧିଶୀଳ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହାପରେ କନଫରେନ୍ସ ହୋଷ୍ଟିଂ କମିଟିର ଅଧ୍ୟକ୍ଷ ସିଏ ପ୍ରଶାନ୍ତ ପଣ୍ଡା ସମ୍ମିଳନୀର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ICAIର କେନ୍ଦ୍ରୀୟ ପରିଷଦ ସଦସ୍ୟ ତଥା କନଫରେନ୍ସ ଡିରେକ୍ଟର ସିଏ ରବି କୁମାର ପଟୱା ଏବଂ ସିଏ ସଞ୍ଜୀବ ସାଙ୍ଗୀ ନିଜ ଅଭିଭାଷଣରେ ସିଏ ପେଶାରେ ଜ୍ଞାନର ଅଦ୍ୟତନ (Update), ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ବୃତ୍ତିଗତ ଉତ୍କର୍ଷର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସ୍ୱର୍ଣ୍ଣ ପଦକ ସମ୍ମାନ:
ଉଦ୍ଘାଟନୀ ଅଧିବେଶନର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶାର ସିଏ ଫାଇନାଲ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଶୀର୍ଷ ସ୍ଥାନ ହାସଲ କରିଥିବା ଦୁଇଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ। ଏହି ଅବସରରେ ସେମାନଙ୍କୁ ସମ୍ମାନିତ କରାଯିବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଏହାସହିତ ସମ୍ମିଳନୀର ଏକ ବିଶେଷ ସ୍ମରଣିକା (Souvenir) ମଧ୍ୟ ଉନ୍ମୋଚିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀ ଦିଲୀପ ରାୟ ନିଜ ଅଭିଭାଷଣରେ କହିଥିଲେ ଯେ, ଦେଶର ଆର୍ଥିକ ବିକାଶ, ସୁଶାସନ ଓ ଆର୍ଥିକ ଶୃଙ୍ଖଳା ରକ୍ଷାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ସେ ଯୁବ ପେଶାଦାରମାନଙ୍କୁ ନିରନ୍ତର ଜ୍ଞାନାର୍ଜନ କରିବା ସହ ଆଗାମୀ ଦିନର ନୂତନ ଆହ୍ୱାନଗୁଡ଼ିକର ସାମ୍ନା କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଭୁବନେଶ୍ୱର ଶାଖାର ସଚିବ ସିଏ ସୌମ୍ୟ ସୁନୀଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.