ଚୋରି ମାମଲାରେ ୩ ଗିରଫ, ସୁନା-ରୂପା ଅଳଙ୍କାର ଜବତ

0

ରାଉରକେଲା,(ବସନ୍ତ କୁମାର ଜେନା) : ସେକ୍ଟର-୭ ଥାନା ପୋଲିସ ଏକ ଚୋରି ମାମଲାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତ ଏବଂ ଚୋରି ସାମଗ୍ରୀ କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ତିନି ଜଣଙ୍କୁ ଅଦାଲତକୁ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ଗତ ମେ ୪ ତାରିଖରେ ସେକ୍ଟର-୭ ଅଞ୍ଚଳର ବାସିନ୍ଦା ନୃସିଂହ ଚରଣ ରାଉତଙ୍କ ଲିଖିତ ଅଭିଯୋଗ ଆଧାରରେ ସେକ୍ଟର-୭ ଥାନାରେ ଏକ ଚୋରି ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ପୋଲିସ ଜୁଲାଇ ୨ ତାରିଖରେ ଶେଖର ମୁଖୀ (୨୧) ଓ ଭୂଷଣ ନାୟକ (୨୦)ଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେମାନେ ଚୋରି କରିଥିବା ସୁନା ଓ ରୂପା ଅଳଙ୍କାର ସମୀର କର୍ମକାରଙ୍କୁ ବିକ୍ରି କରିଥିବା ସ୍ୱୀକାର କରିଥିଲେ। ଏହାପରେ ପୋଲିସ ସମୀର କର୍ମକାରଙ୍କୁ ମଧ୍ୟ ଗିରଫ କରିଥିଲା।

ପୋଲିସ ଚଢ଼ାଉ କରି ଦୁଇଟି ସୁନା ମୁଦି, ଏକ ଯୋଡ଼ା ସୁନା ଚୁଡ଼ି (ଶଙ୍ଖା), ଗୋଟିଏ ରୂପା ଥାଳି, ଦୁଇଟି ଛୋଟ ରୂପା ଗ୍ଲାସ୍, ଗୋଟିଏ ରୂପା ବ୍ରେସଲେଟ୍ ଏବଂ ତିନୋଟି ରୂପା ହାର ଜବତ କରିଛି।

ତଦନ୍ତରୁ ଜଣାପଡ଼ିଛି ଯେ ଗିରଫ ଅଭିଯୁକ୍ତ ଶେଖର ମୁଖୀ ଏବଂ ଭୂଷଣ ନାୟକଙ୍କ ନାମରେ ସେକ୍ଟର-୭, ସେକ୍ଟର-୧୯ ଓ ପ୍ଲାଣ୍ଟସାଇଟ୍ ଥାନାରେ ପୂର୍ବରୁ ଏକାଧିକ ଚୋରି ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.