କରଜ ଟଙ୍କା ମାଗିବାରୁ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

0

ଓଡ଼ଗାଁ,୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ବଡପୁଟ ଗ୍ରାମରେ କରଜ ଟଙ୍କା ମାଗିବାକୁ କେନ୍ଦ୍ର କରି ଜଣେ ଦୋକାନୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ବଡପୁଟ ଗ୍ରାମର ଫିରୋଜ ସାମଲ ଗତ ୩୦ ଜୁନ ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ନିଜ ଗ୍ରୋସରୀ ଦୋକାନରେ ବସିଥିବାବେଳେ ଗ୍ରାମର ଶୁଭମ ଦାଶ ଓରଫ ତୋଫାନଙ୍କୁ ପୂର୍ବରୁ ବାକି ଥିବା ୧୫୦ ଟଙ୍କା ମାଗିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଶୁଭମ ଫିରୋଜଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଚୁଟି ଧରି ଘୋଷାଡ଼ି ନିକଟରେ ଥିବା ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଫଳରେ ଫିରୋଜଙ୍କ ମୁଣ୍ଡର ପଛପଟେ ଗୁରୁତର ଆଘାତ ଲାଗିଥିଲା।
ପୁଅକୁ ରକ୍ଷା କରିବାକୁ ଆସିଥିବା ଫିରୋଜଙ୍କ ମା’ଙ୍କୁ ମଧ୍ୟ ଅଭିଯୁକ୍ତ କାଠ ଫାଳିଆରେ ମାଡ଼ ମାରିଥିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଫିରୋଜଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଆହତ ମା’-ପୁଅଙ୍କୁ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଫିରୋଜ ସାମଲ ଶରଣକୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ଅଭିଯୁକ୍ତ ଶୁଭମ ଦାଶଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.