ଦଣ୍ଡୋର ପାଣିଷଣ୍ଢ ପୀଠରେ ତ୍ରୀଦିବସୀୟ ରାମତାରକ ଯଜ୍ଞ ଶୁଭାରମ୍ଭ

0

ଶିଶୁ କଳାକାରଙ୍କ ଦ୍ଵାରା ଆକର୍ଷଣୀୟ ସଂସ୍କୃତିକ ନୃତ୍ୟ ପରିବେଷଣ

ଓଡ଼ଗାଁ, ୨୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋର ଗ୍ରାମସ୍ଥିତ ପାଣିଷଣ୍ଢ ଠାକୁରାଣୀଙ୍କ ପବିତ୍ର ପୀଠରେ ଶନିବାର ଭକ୍ତିଭାବ ଓ ବେଦମନ୍ତ୍ର ଧ୍ୱନି ମଧ୍ୟରେ ତିନି ଦିନିଆ ରାମତାରକ ଯଜ୍ଞର ଶୁଭାରମ୍ଭ ହୋଇଛି। ଶୁକ୍ରବାର ଅଙ୍କୁରାରୋପଣ ସହ ଯଜ୍ଞର ପ୍ରାରମ୍ଭିକ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଶନିବାର ସକାଳେ ଦଣ୍ଡୋର ଗ୍ରାମବାସୀଙ୍କ ପକ୍ଷରୁ ସନ୍ୟାସୀ ମିଶ୍ର କର୍ତ୍ତା ଭାବେ ସମସ୍ତ ବୈଦିକ କର୍ମକାଣ୍ଡୀ ବ୍ରାହ୍ମଣଙ୍କୁ ବରଣ କରିଥିଲେ। ପରେ ଜଳଯାତ୍ରା, କଳସ ସ୍ଥାପନ, ସୂର୍ଯ୍ୟ ପୂଜା, ପୀଠ ପୂଜା, ରୁଦ୍ରାଭିଷେକ, ଚଣ୍ଡୀ ପାଠ ସମେତ ବିଭିନ୍ନ ବୈଦିକ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଶେଷରେ ରାମତାରକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରାଯାଇଥିଲା।
ଏହି ଯଜ୍ଞରେ ପଣ୍ଡିତ ସନ୍ତୋଷ କୁମାର ତ୍ରିପାଠୀ ଆଚାର୍ଯ୍ୟ, ତୋଫାନ ତ୍ରିପାଠୀ ପୁସ୍ତକାଚାର୍ଯ୍ୟ, ଲଳିତ ମୋହନ ତ୍ରିପାଠୀ ବ୍ରହ୍ମା, ପଣ୍ଡିତ ଲଡୁ କିଶୋର ରଥ ଅଭିଷେକ ଏବଂ ପଣ୍ଡିତ ଜଳନ୍ଧର ରଥ ଚଣ୍ଡୀପାଠର ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି ହେମନ୍ତ ହୋତା, ଜଗନ୍ନାଥ ମିଶ୍ର, ଅନନ୍ତ ଆଚାର୍ଯ୍ୟ, ଅରୁଣ ତ୍ରିପାଠୀ, ଦିନମଣି ଆଚାର୍ଯ୍ୟ ଓ ନାରାୟଣ ଷଡ଼ଙ୍ଗୀ ପ୍ରମୁଖ ବୈଦିକ ବିଧିବିଧାନ ସମ୍ପାଦନ କରିଥିଲେ।
ଅପରାହ୍ନରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯଜ୍ଞସ୍ଥଳକୁ ଯାଇ ଆଶିର୍ବାଦ ଭିକ୍ଷା କରିବା ସହ କାର୍ଯ୍ୟଗ୍ରହିତାଙ୍କୁ ଉତ୍ସାହିତ କରିଥିଲେ। ସନ୍ଧ୍ୟାରେ ଦଣ୍ଡୋର ଗ୍ରାମର ବିଭିନ୍ନ କ୍ଲବର ମିଳିତ ଆୟୋଜନରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ସହ ଗାୟତ୍ରୀ ବିଦ୍ୟାମନ୍ଦିର, ମଶାବାରୀର ଛାତ୍ରଛାତ୍ରୀମାନେ ଉଚ୍ଚକୋଟିର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ପୁରସ୍କୃତ ହୋଇଥିଲେ । ଏହି ତିନି ଦିନିଆ ରାମତାରକ ଯଜ୍ଞ ୨୯ ଜୁନ୍ ଅପରାହ୍ନରେ ପୂର୍ଣ୍ଣାହୁତି ଓ ଉଦ୍ୟାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.