-
ପ୍ରତିଦିନ ଜାଗା ବଦଳାଇ ପୋଲିସକୁ ଦେଉଛନ୍ତି ଚକମା, ଆନ୍ତଃଜିଲ୍ଲା ଖେଳାଳିଙ୍କ ସକ୍ରିୟ ଅଂଶଗ୍ରହଣ,
-
ପ୍ରତ୍ୟହ ୨୦ରୁ ୨୨ ଲକ୍ଷ ଟଙ୍କାର କାରବାର ସନ୍ଦେହ,
-
ଭଦ୍ରମୁଖା ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି,

ଓଡ଼ଗାଁ, ୨୭।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ପ୍ରାୟ ୧୦ଟି ନିର୍ଦ୍ଦିଷ୍ଟ ସ୍ଥାନରେ ବେଆଇନ ଜୁଆ ଆସର ନିୟମିତ ଭାବେ ଚାଲୁ ହେଉଥିବା ଅଭିଯୋଗ ଉଠିଛି। ପୋଲିସକୁ ଚକମା ଦେବା ପାଇଁ ଆୟୋଜକମାନେ ପ୍ରତିଦିନ ସ୍ଥାନ ପରିବର୍ତ୍ତନ କରୁଥିବା କୁହାଯାଉଛି। ସାକେରୀ ଦିଅଁକୁଣ୍ଡ, ଗୋଡ଼ିପାଟଣା ନିମେଶ୍ୱର, ଦୂତୀକେଶ୍ୱର, ରବିଗାଡ଼ିଆ, ସାନବାଙ୍କତରା, ପାଇକବାଙ୍କତରା, କଇଠପଲ୍ଲୀ, ଡହଙ୍ଗୀ, ଢୋଲମସ୍କା, ଭାଟସାହି ଓ ହାତିଆଶିଳା ଭଳି ସ୍ଥାନର ଜନବସତି ଠାରୁ କିଛି ଦୂରବର୍ତ୍ତୀ ନିର୍ଜନ ଜଙ୍ଗଲିଆ କ୍ଷେତ୍ରରେ ଏହି ଜୁଆ ଆସର ବସୁଥିବା ଅଭିଯୋଗ ରହିଛି। ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା ଓ ବୁଗୁଡ଼ା ସମେତ ନୟାଗଡ଼, ଇଟାମାଟି, ଦଶପଲ୍ଲା ଓ ଶରଣକୁଳ ଅଞ୍ଚଳରୁ ବହୁ ସଂଖ୍ୟକ ଜୁଆ ଖେଳାଳି ଦାମୀ ଚାରିଚକିଆ ଓ ବାଇକରେ ଆସି ଖେଳରେ ସାମିଲ ହେଉଛନ୍ତି। ସେମାନେ ରାସ୍ତାକଡ଼ରେ ଗାଡ଼ି ରଖି ଜୁଆ ଆଡ୍ଡାକୁ ଯାଉଥିବା ସାଧାରଣରେ ଅଭିଯୋଗ ରହିଛି । ସୂଚନା ଅନୁସାରେ, ପ୍ରତିଦିନ ପ୍ରାୟ ୨୦ରୁ ୨୨ ଲକ୍ଷ ଟଙ୍କାର କାରବାର ହେଉଥିବା ଆଲୋଚିତ ହେଉଛି। ଖେଳାଳିମାନେ ଜିତିବା-ହାରିବାର ସମ୍ମୁଖୀନ ହେଉଥିଲେ ମଧ୍ୟ ଆୟୋଜକ ମାନେ ନିର୍ଦ୍ଦିଷ୍ଟ ଅର୍ଥ ଆଦାୟ କରି ଲାଭବାନ ହେଉଥିବା ଅଭିଯୋଗ ରହିଛି। ଏପରିକି ଆୟୋଜକ ମାନେ ପୋଲିସକୁ ଟଙ୍କା ଦିଆଯାଉଥିବା କହି ଖେଳାଳିଙ୍କଠାରୁ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହେଉଥିବାରୁ ଏଥିପ୍ରତି ସଚେତନତାର ଆବଶ୍ୟକତା ରହିଛି।
ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ, ସମାଜରେ ଭଦ୍ରଲୋକର ପରିଚୟ ଦେଇ ଏଭଳି ବେଆଇନ କାର୍ଯ୍ୟକଳାପ ରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବା ଦରକାର ରହିଛି। ସାମାଜିକ ମୂଲ୍ୟବୋଧର ମର୍ଯ୍ୟାଦା ରକ୍ଷାକରିବା ନିମନ୍ତେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।