ଝାଡେଶ୍ୱରୀ କ୍ଲବର ବାର୍ଷିକ ଉତ୍ସବ ପାଳିତ: ୧୪୫ ପ୍ରତିଭାଙ୍କୁ ସମ୍ମାନିତ, ଯୋଗ କ୍ଷେତ୍ରରେ ବିଶେଷ ସମ୍ମାନ ପ୍ରଦାନ

0

ପୁରୀ, (ଅନିମେଶ ପଟ୍ଟନାୟକ):  ଝାଡେଶ୍ୱରୀ କ୍ଲବ ପ୍ରାଙ୍ଗଣରେ କ୍ଲବର ବାର୍ଷିକ ଉତ୍ସବ–୨୦୨୬ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା, କ୍ରୀଡ଼ା, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ଶିକ୍ଷା ଓ ସଂସ୍କାର ମାଧ୍ୟମରେ ସମାଜ ଗଠନରେ ଅଗ୍ରଣୀ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ କାଉନସିଲର ପ୍ରୀତମ ଜଗଦ୍ଦେବ, ସମାଜସେବୀ ସୁମୀତ୍ ଚନ୍ଦୁକା, କ୍ଲବ ସଭାପତି କୃଷ୍ଣ ଚନ୍ଦ୍ର ଦାସ, ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର, ଯୁଗ୍ମ ସଭାପତି ପ୍ରଦ୍ୟୁମ୍ନ କୁମାର ମିଶ୍ର, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଥ ଦାସ ଏବଂ କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଉତ୍ସବରେ ପ୍ରାୟ ୨୫ଟି ବିଦ୍ୟାଳୟରୁ ଆସିଥିବା ୧୪୫ ଜଣ କୃତୀ ପ୍ରତିଭାଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କ ଉତ୍ସାହକୁ ବଢ଼ାଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଆନ୍ତର୍ଜାତୀୟ ଯୋଗବିତ୍ ନିଖିଳ କୁମାର ଦଳାଇଙ୍କୁ “ଯୋଗ ବିଶାରଦ” ଏବଂ ତାଙ୍କ ସହଧର୍ମିଣୀ ମଧୁଛନ୍ଦା ସ୍ୱାଇଁଙ୍କୁ “ଯୋଗ ଶିରୋମଣି” ସମ୍ମାନରେ ଭୂଷିତ କରାଯାଇଥିଲା। ଯୋଗ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ସମାଜରେ ସ୍ୱାସ୍ଥ୍ୟ ସଚେତନତା ପ୍ରସାରରେ ଭୂମିକାକୁ ଏହି ସମ୍ମାନ ମାଧ୍ୟମରେ ସ୍ୱୀକୃତି ଦିଆଯାଇଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ ସିତେନ୍ଦ୍ର ନାଥ ଦାସ ସକ୍ରିୟ ସହଯୋଗ କରିଥିବା ବେଳେ ଶେଷରେ ବରିଷ୍ଠ ଜିମ୍ନାଷ୍ଟିକ୍ସ ପ୍ରଶିକ୍ଷକ ସଞ୍ଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବହୁ ସଂଖ୍ୟକ ଅଭିଭାବକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।

Leave A Reply

Your email address will not be published.