ବ୍ରହ୍ମପୁର:- ୧୭/୧୧/୨୬(ରଜତ ପଟ୍ଟନାୟକ)ଏହି ଖବର ଆମକୁ ଜଣାଇଛନ୍ତି ଜଳ ସମ୍ପଦ ବିଭାଗର ଅବସରପ୍ରାପ୍ତ ଯନ୍ତ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ,ନିଜେ ଜଳ ସମ୍ପଦ ବିଭାଗରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ରୁ ଅବସର ନେଇଛନ୍ତି।ତାଙ୍କର ପୈତୃକ ଗ୍ରାମ ସୋରଡ଼ା ବ୍ଲକ୍ ଅନ୍ତର୍ଗତ ନୁଆଁଗଡ,ଋଷିକୂଲ୍ୟା ନଦୀ ବନ୍ୟା ଦ୍ବାରା ଭୀଷଣ କ୍ଷୟ କ୍ଷତିର ସମ୍ମୁଖୀନ ହୋଇଛି। ଏହି ମନୁଷ୍ୟକୃତ ବନ୍ୟାର ପ୍ରକୃତ ରହସ୍ୟ କେଉଁଠି ଲୁଚି ରହିଛି ତାହାକୁ ପ୍ରତ୍ୟକ୍ଷ କରିବା ଏବଂ ଆଗାମୀ ଦିନ ପାଇଁ ତାର ସ୍ଥାୟୀ ପ୍ରତିକାରର ବ୍ୟବସ୍ଥା କିପରି ହେବ ତାହା ର ପ୍ରସ୍ତାବ ଦେଇଛନ୍ତି।ପୂର୍ବତନ ମୁଖ୍ୟ ସାଶନ ସଚିବ ଶ୍ରୀ ସୁରେଶ ମହାପାତ୍ର ଏବଂ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ବନ୍ୟାକୁ ନେଇ ଗୁରୁତର ଅଭିଯୋଗ ଆଣିଥିଲେ ଯେ ଏହା ମନୁଷ୍ୟକୃତ ଅଟେ।ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବ୍ରହ୍ମପୁର ଠାରେ ଏବଂ ମୁଖ୍ୟ ସାଶନ ସଚିବ ଭୁବନେଶ୍ବର ଠାରେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟିକରଣ ରଖିଛନ୍ତି ଯେ ଏହା ମନୁଷ୍ୟକୃତ ନୁହେଁ।ସେଥିପାଇଁ ସେମାନେ ଫାଇଲିନ ସହିତ ଅର୍ଣ୍ଣବ ର ଏକ ତୁଳନାତ୍ମକ ସ୍ଥିତି ଦର୍ଶାଇ ଏଭଳି ସ୍ପଷ୍ଟିକରଣ ରଖିଛନ୍ତି ଯାହାକି ଭ୍ରମାତ୍ମକ ଅଟେ।ଫାଇଲିନ ଗଞ୍ଜାମ ଉପକୂଳରେ ସ୍ଥଳାବତରଣ କରି ପବନର ତାଣ୍ଡବ ସୃଷ୍ଟି କରିଥିଲା,ବର୍ଷାର ବିଶେଷ ପ୍ରଭାବ ନଥିଲା।କିନ୍ତୁ’ହୁଡ୍ ହୁଡ୍’ଏବଂ ‘ତିତିଲି’ ଆନ୍ଧ୍ର ଉପକୂଳରେ ସ୍ଥଳାବତରଣ କରି ଗଞ୍ଜାମ ଓ ଗଜପତି ରେ ବର୍ଷାର ତାଣ୍ଡବ ସୃଷ୍ଟି କରିଥିଲେ।ତିତିଲି ବେଳେ ୨୬୦.୪ ମିମି ବର୍ଷା ରେକର୍ଡ କରାଯାଇଥିଲା। ଅର୍ଣ୍ଣବ ମଧ୍ୟ ଆନ୍ଧ୍ର ଉପକୂଳରେ ସ୍ଥଳାବତରଣ କରିଛି।ତେଣୁ ପୂର୍ବ ସୂଚନା ପାଇବା ମାତ୍ରେ ତିତିଲିର ବର୍ଷା ପରିମାଣ ର ହିସାବ କୁ ନେଇ,ସତର୍କତାମୂଳକ ଭାବରେ ସୋରଡ଼ା ଜଳ ଭଣ୍ଡାରର ଜଳ ଧାରଣ କ୍ଷମତାକୁ ୬୦ ପ୍ରତିଶତରୁ କମ୍ ସ୍ଥରକୁ ଖସାଇବା ଉଚିତ ହୋଇଥାନ୍ତା। କିନ୍ତୁ ୮୮.୩ ପ୍ରତିଶତ ଜଳ ଥିବା ବେଳେ ସ୍ଵୟଂ ଚାଳିତ ଗେଟ୍ ଉପରେ ଦାୟିତ୍ଵ ଛାଡ଼ିଦେବା ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛି।ପାତ୍ରପୁରର ବର୍ଷା ପରିମାଣ ବିଶେଷରେ ମୂଖ୍ୟ ଶାସନ ସଚିବ କହିବା ସହିତ ସୋରଡ଼ା ଅଞ୍ଚଳର ବନ୍ୟାର ସମ୍ପର୍କ ନାହିଁ।ପ୍ରତ୍ୟେକ ବନ୍ଧର ନିଜସ୍ଵ ଭୌଗଳିକ ସ୍ଥିତି ଏବଂ ଆକସ୍ମିକ ପରିସ୍ଥିତି ଅନୁଯାୟୀ ଜଳ ପରିଚାଳନା ପ୍ରୋଟୋକଲ ମଧ୍ୟ ଭିନ୍ନ ଅଟେ।ପୂର୍ବ ସୂଚନା ନଥାଇ ଅତର୍କିତ ବର୍ଷା କିମ୍ବା ଅନ୍ୟ କାରଣରୁ ବନ୍ୟା ହୋଇ ମାନବ କ୍ଷମତାର ବାହାର କୁ ଚାଲିଗଲେ ମଧ୍ୟ ଶେଷ ଅସ୍ତ୍ର ଭାବରେ,ସେ ସମୟରେ ବନ୍ଧର ସୁରକ୍ଷା ପାଇଁ ସ୍ଵୟଂ ଚାଳିତ ଗେଟ୍ ର ବ୍ୟବସ୍ଥା ରହିଛି।ତେଣୁ ସେଭଳି ବନ୍ୟାରେ,ବନ୍ଧର ସୁରକ୍ଷା ସର୍ବୋପରି ନ୍ୟାୟରେ ଯାହାବି କ୍ଷୟ କ୍ଷତି ହୁଏ ତାହାକୁ ସହ୍ୟ କରିବାକୁ ପଡେ।କିନ୍ତୁ ବାତ୍ୟାର ତୀବ୍ରତା,ସ୍ଥଳାବତରଣ ଏବଂ ବର୍ଷାର ପରିମାଣ ଇତ୍ୟାଦି ସବୁର ପୂର୍ବ ସୂଚନା ଥାଇ ମଧ୍ୟ ବନ୍ୟା ସମୟରେ ସ୍ଵୟଂ ଚାଳିତ ଗେଟ୍ ଦ୍ଵାରା ଜଳ ନିଷ୍କାସନକୁ ଅପେକ୍ଷା କରିବା ଭୁଲ ଅଟେ।ପୁଣି ସ୍ଵୟଂ ଚାଳିତ ଗେଟ୍ ଦ୍ଵାରା ଯେକୌଣସି ସମୟରେ ଜଳ ନିଷ୍କାସନ ହେବାର ସମ୍ଭାବନା ଥିବା ବିଷୟରେ ଆଗୁଆ ସତର୍କ ସୂଚନା ନ ଦେବା ଭୁଲ ଅଟେ।ଆଗରୁ ଜଳ ନିଷ୍କାସନ କରିଦେଇଥିଲେ,ବନ୍ୟା ଜଳ, ଜଳଭଣ୍ଡାର ରେ ଗଛିତ ହୋଇ ବନ୍ୟା କୁ ନିୟନ୍ତ୍ରଣ କରିଥାନ୍ତା।ବ୍ରହ୍ମପୁର ସହରର ପାନୀୟ ଜଳ ଯୋଗାଣ ବା ଜଳସେଚନ ରେ ବ୍ୟାହାତ ହୋଇନଥାନ୍ତା।କିନ୍ତୁ ସର୍ବୋଚ୍ଚ ଯନ୍ତ୍ରୀ,ପାନୀୟ ଜଳ ଯୋଗାଣ ଏବଂ ଜଳ ସେଚନର ଆବଶ୍ୟକତା କୁ ଜୋର୍ ଦେଇ ଆଗରୁ ପାଣି ଛାଡ଼ି ଦେବାଟାକୁ ଅନାବଶ୍ୟକ ବୋଲି କହିବା ବହୁତ ବଡ଼ ଭୁଲ ଅଟେ।ଭାରତ ରତ୍ନ ପାଇଥିବା ସାର୍ ବିଶ୍ଵେଶ୍ଵରାଏ ଓଡ଼ିଶାର ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ବନ୍ଧର ପରିକଳ୍ପନା କରିଥିଲେ।କିନ୍ତୁ ସର୍ବୋଚ୍ଚ ଯନ୍ତ୍ରୀ,ବିରାଟ ଅଞ୍ଚଳର ଧନ ଓ ଜୀବନ ବିନିମୟରେ,ପାନୀୟ ଜଳ ଯୋଗାଣ ଓ ଜଳ ସେଚନର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଚାହୁଁଥିଲେ।ବନ୍ୟା ସମୟରେ ସ୍ଵୟଂ ଚାଳିତ ଗେଟ୍ ଦେଇ ନିଷ୍କାସିତ ଜଳ,ବନ୍ୟା ର ବିଭୀଷିକାକୁ ବଢ଼ାଇ ଦିଏ, ଯାହାକି ବେଡି ଉପରେ କୋରଡ଼ା ମାଡ ହୁଏ।ସେହି ବନ୍ୟା ଯେଉଁ କ୍ଷତି କରାଏ ତାକୁ ଅଧିକୃତ ଯନ୍ତ୍ରୀଙ୍କର ଅନଭିଜ୍ଞତା ଏବଂ ଅପରିଣାମ ଦର୍ଶିତାର ଫଳ ଏବଂ ତାହାକୁ ମନୁଷ୍ୟକୃତ ବନ୍ୟା କୁହାଯିବ। ଏହା କୌଣସି ରାଜନୈତିକ ବାଦ ବିବାଦର ବିଷୟ ନୁହେଁ।ବରଂ ଗୁରୁତର ବୈଷୟିକ ତୃଟି ଅଟେ।ଆଗରୁ ରାଜ୍ୟରେ ନିୟମିତ ବ୍ୟବଧାନରେ ପରୀକ୍ଷା ଦେଇ ମେଧାବୀ ଯନ୍ତ୍ରୀ ମାନେ ନିଯୁକ୍ତି ପାଉଥିଲେ।ଯଦ୍ବାରା ବୟସ୍କ ଏବଂ ବରିଷ୍ଠ ମାନଙ୍କ ପ୍ରତି ସମ୍ମାନ ବୋଧ ଏବଂ ତାଙ୍କ ଅଭିଜ୍ଞତାରୁ ଶିଖିବାର ଜିଜ୍ଞାସା କନିଷ୍ଠ ମାନଙ୍କ ଭିତରେ ଶୃଙ୍ଖଳିତ,ଆଜ୍ଞାଧୀନତା ଏବଂ ସ୍ଵତଃସ୍ପୃତ କାର୍ଯ୍ୟ କରିବାର ଆଗ୍ରହ ବୃଦ୍ଧିର ପରମ୍ପରା,ପ୍ରାକୃତିକ ଭାବରେ ସୃଷ୍ଟି ହେଉଥିଲା।ଏହି ଅଭ୍ୟାସ ସେମାନଙ୍କୁ ଭବିଷ୍ୟତରେ ବିଶିଷ୍ଟ ବିଶେଷଜ୍ଞ ରେ ପରିଣତ କରୁଥିଲା।ସେମାନେ ପୁଣି ସର୍ବୋଚ୍ଚ ପଦବୀରେ ବର୍ଷେ ଦୁଇ ବର୍ଷରୁ ଅଧିକ ରହୁନଥିଲେ।ସେହି ସ୍ଵଳ୍ପ ସମୟ ମଧ୍ୟରେ ବିପଦ ପଡ଼ିଲେ ସେମାନଙ୍କର କୃତିତ୍ଵ ଦେଖାଇବାର କୌଣସି ଅବସର ଛାଡ଼ୁନଥିଲେ।ଅତଏବ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ୨୦୨୫ ମସିହା ପର୍ଯ୍ୟନ୍ତ ବିଶିଷ୍ଟ ବିଶେଷଜ୍ଞ ମାନଙ୍କର ହାତରେ ସୁରକ୍ଷିତ ରହୁଥିଲା।ପୂର୍ବତନ ମୁଖ୍ୟ ଶାସନ ସଚିବ ଯେଉଁ ଦାବି ରଖିଥିଲେ ଯେ ତାଙ୍କ ଅମଳରେ ବିପର୍ଯ୍ୟୟର ସଫଳ ମୁକାବିଲା ହେଉଥିଲା।ତାହା ପୂର୍ବ ପରମ୍ପରା ପ୍ରକାରେ ଅଭିଜ୍ଞତା ହାସଲ କରିଥିବା ବିଶେଷଜ୍ଞମାନଙ୍କ ଦ୍ଵାରା ସମ୍ଭବ ହେଉଥିଲା,ତାଙ୍କ ନିଜର ଭୂମିକା ନଥିଲା।
ଯେଉଁ ସର୍ବୋଚ୍ଚ ଯନ୍ତ୍ରୀ ନିଜର ଉତ୍ତର ଦାୟିତ୍ଵରୁ ଖସିଯିବା ପାଇଁ ଭ୍ରମାତ୍ମକ ତଥ୍ୟ ରଖିଛନ୍ତି ତାଙ୍କର ନିଯୁକ୍ତି,ପରୀକ୍ଷା ମାଧ୍ୟମରେ ହୋଇନାହିଁ।୧୯୯୦ ମସିହାରୁ ୧୯୯୪ ମସିହା ମଧ୍ୟରେ ବିନା ପରୀକ୍ଷାରେ ହଜାରେ ପାଖାପାଖି ଯନ୍ତ୍ରୀ ଜଳ ସମ୍ପଦ ବିଭାଗରେ ପ୍ରବେଶ କରି ୨୦ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପରୀକ୍ଷା ବନ୍ଦ କରାଇ ଦେଇ ଥିଲେ।ସେମାନଙ୍କୁ ଓଡ଼ିଶା ସରକାର ୨୦୦୨ ମସିହାରେ ନିୟମିତ କରାଇଥିଲେ।ସେମାନେ ଶୃଙ୍ଖଳିତ ଭାବରେ ବରିଷ୍ଠ ମାନଙ୍କ ଠାରୁ ଶିକ୍ଷା ଗ୍ରହଣ କରି ବିଶେଷଜ୍ଞରେ ପରିଣତ ହୋଇପାରିଥାନ୍ତେ।କିନ୍ତୁ ସେମାନଙ୍କର ସଂଖ୍ୟାଧିକତା,ତତ୍କାଳୀନ ନିଯୁକ୍ତ ୫ ପ୍ରତିଶତ ଡିଗ୍ରୀ ଧାରୀ କନିଷ୍ଠ ଯନ୍ତ୍ରୀ ମାନଙ୍କ ପ୍ରତି ଈର୍ଷା ଏବଂ ଅସୂୟା ଭାବ ସେମାନଙ୍କୁ ଜିଦ୍ ଖୋର କରିଦେଲା। ବିଧାନସଭାର ନିଷ୍ପତ୍ତିକୁ ବଦଳାଇ ଦେବାର ଜିଦ୍ ସେମାନଙ୍କୁ ୨୦୧୪ ମସିହା ପର୍ଯ୍ୟନ୍ତ ଆଇନ ଗତ ଲଢେଇରେ ବ୍ୟସ୍ତ ରଖିଲା।ସେତେବେଳେ ଓଡ଼ିଶାରେ ସଚିବ ମାନଙ୍କର କ୍ଷମତା ବଢ଼ିଯାଇଥିଲା।ସଚିବ ମାନେ ବିଧାନସଭାର ନିଷ୍ପତ୍ତିକୁ ବଦଳାଇ ଦେଇ ପାରୁଥିଲେ।ତେଣୁ ଏହି ଯନ୍ତ୍ରୀ ମାନେ ସଚିବ ମାନଙ୍କ ସହିତ ଅନୈତିକ ଗୋଷ୍ଠୀ ଗଠନ କରି ଓଡ଼ିଶାର କୋଟି କୋଟି ଟଙ୍କା ଅଦାଲତରେ ଅଯଥା ବରବାଦ କରାଇ ଶେଷରେ ଏହି ଯନ୍ତ୍ରୀ ମାନେ ଏବଂ ତାଙ୍କ ସହିତ ସରକାର ମଧ୍ୟ ହାରିଯାଇଥିଲେ।ସେମାନଙ୍କର ସମସ୍ତ ରାଗ,ବଞ୍ଚିତ ରହିଯାଇଥିବା କିଛି ଡିଗ୍ରୀଧାରୀ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ପଡିଲା।ସେମାନଙ୍କୁ ତାଙ୍କର ଆଇନଗତ ଅଧିକାରରୁ ବହିଷ୍କାର କରିବାରେ ଲାଗିଲେ ଏବଂ ସଫଳ ମଧ୍ୟ ହେଲେ।ଅପର ପକ୍ଷରେ,ସେମାନଙ୍କ ବେଳର କେତେକ ଯନ୍ତ୍ରୀ ସବୁଥିରେ ବିଫଳ ହୋଇ ଦିନ ମଜୁରିଆ ଭାବରେ ରହିଯାଇଥିଲେ, ସେମାନଙ୍କୁ ବେନିୟମ ଢଙ୍ଗରେ ବାରମ୍ବାର ଉପରକୁ ଉଠାଇ ବର୍ତ୍ତମାନ ବନ୍ୟା ନିୟନ୍ତ୍ରଣ ଭଳି ଅତି ଗୁରୁତ୍ଵ ପୂର୍ଣ ନିଷ୍ପତ୍ତି ନେବାର ପଦବୀ ମାନଙ୍କରେ ବସାଇ ଛନ୍ତି।ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ମଧ୍ୟ ତାଙ୍କ ସମୟରେ, ହାଇକୋର୍ଟରେ ବିଭିନ୍ନ ମିଥ୍ୟା ତଥ୍ୟ ରଖାଇ ଗଳାବାଟ ପ୍ରସ୍ତୁତ କରିବାରେ ଭରପୁର ସହଯୋଗ କରିଥିଲେ। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମଧ୍ୟ ଜଳ ସମ୍ପଦ ବିଭାଗରେ ଥିବା ବେଳେ ଆହୁରି ଦୁଇ ପାଦ ଆଗକୁ ଯାଇ, ବିଭାଗରେ ଥିବା ଅଭିଜ୍ଞତା ସମ୍ପନ୍ନ ଯନ୍ତ୍ରୀ ମାନଙ୍କର,କେତେକ ପଦବୀ ଉପରେ ଥିବା ଆଇନଗତ ଅଧିକାର କୁ ଜବରଦସ୍ତ ଅପହରଣ କରି ନେଇଥିଲେ।ସେହି ପଦବୀ ମାନଙ୍କରେ ଏହି ଦିନ ମଜୁରିଆ ଯନ୍ତ୍ରୀ ମାନଙ୍କୁ ବସାଇ ଜଳ ସମ୍ପଦ ବିଭାଗର ନିଯୁକ୍ତି କ୍ଷେତ୍ରରେ ଏକ କଳା ଇତିହାସ ରଚନା କରିଛନ୍ତି।ସାରା ବିଶ୍ବରେ, ଚାକିରି ରେ ଥିବା ବେଳେ ଯନ୍ତ୍ରୀ ମାନଙ୍କର ଉଚ୍ଚ ଶିକ୍ଷା ଗ୍ରହଣ ଏବଂ ଅଭିଜ୍ଞତା ହାସଲକୁ ପ୍ରୋତ୍ସାହନ ଦିଆଯାଉ ଥିବା ବେଳକୁ କେଵଳ ଓଡ଼ିଶାରେ ଠିକ୍ ଓଲଟା ହୋଇଛି,ସଚିବ ମାନେ ଏହି ଯନ୍ତ୍ରୀ ମାନଙ୍କୁ ତାଙ୍କର ଅଧସ୍ତନଙ୍କର ଅଧସ୍ତନ କରି ଦେଇ ଦଣ୍ଡିତ କରିଛନ୍ତି।ସଚିବ ମାନଙ୍କର ଅହେତୁକ କ୍ଷମତା ବୃଦ୍ଧି, ସରକାରୀ ଆତଙ୍କିକରଣ ର ରୂପ ନେଇଥିଲା।ଅଧସ୍ତନ କର୍ମଚାରୀମାନେ କେବଳ ଡରି ଥରି କାମ କରୁଛନ୍ତି ତାଙ୍କର ନିଜସ୍ଵ ସ୍ପୃହା ରହୁ ନାହିଁ,ବିଶେଷଜ୍ଞ ଗଢିବାର ରାସ୍ତା ବନ୍ଦ ହୋଇଯାଇଛି।ଏହା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ।ତେଣୁ ସେ ଯେଉଁ ଦିନ ତାଙ୍କର ବର୍ତ୍ତମାନର ପଦବୀରେ ଯୋଗ ଦେଇଛନ୍ତି,ସେହି ଦିନ ମୁଁ ତାଙ୍କୁ ଚିଠି ମାଧ୍ୟମରେ ଏ ବିଷୟରେ ଜଣାଇ ଦେଇଛି।ଏଭଳି ଅନୈତିକ ନିଯୁକ୍ତି ନିମନ୍ତେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୦୦୫ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଅନେକ ଗୁଡ଼ିଏ କେଶ୍ ଚାଲିଛି।ଗୋଟିଏ ପଟେ ନିରିହ ଜନତାଙ୍କର ଟିକସ ଅର୍ଥ ଅପବ୍ୟୟ କରାଯାଉଥିବା ବେଳେ ଅନ୍ୟ ପଟେ ସେମାନଙ୍କୁ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇ,ନିଜର ଭୁଲ ନଥିବାର ସଫେଇ ଦିଆଯାଉଛି।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।ଏଭଳି ଯନ୍ତ୍ରୀ ମାନଙ୍କର ଆଧିପତ୍ୟ ୨୦୩୦ ମସିହା ପର୍ଯ୍ୟନ୍ତ ଚାଲିବ।ଏହି ଯନ୍ତ୍ରୀ ମାନଙ୍କର ନିଯୁକ୍ତିରେ ଆନୁପାତିକ ନିଅଣ୍ଟିଆ ଥିବା ପଦବୀ ପୂରଣ ପାଇଁ କେବଳ ଅନୁସୂଚିତ ଜାତି ଏବଂ ଜନଜାତିର ସ୍ଵତନ୍ତ୍ର ନିଯୁକ୍ତି ପରୀକ୍ଷା ୨୦୦୫ ମସିହାରେ ହୋଇଥିଲା। ସେମାନଙ୍କର ନିଯୁକ୍ତି କୋହଳ ନିୟମରେ ହୋଇଥିଲା।ସେମାନେ ସମସ୍ତ ବଡ଼ ବଡ଼ ପଦବୀରେ ୨୦୪୦ ମସିହା ପର୍ଯ୍ୟନ୍ତ ରହିବେ।ତାପରେ ୨୦୦୯,୨୦୧୬ ଏବଂ ୨୦୨୧ ମସିହାରେ ଯନ୍ତ୍ରୀମାନେ ପରୀକ୍ଷା ଦେଇ ନିଯୁକ୍ତି ପାଇଛନ୍ତି।ବହୁତ ବର୍ଷ ଅନ୍ତରରେ ଏବଂ ବହୁତ ସଂଖ୍ୟାରେ ନିଯୁକ୍ତିମାନ ଦିଆଯାଇଛି।ଯାହା ଫଳରେ ପ୍ରଥମ କେତେ ଜଣ ସର୍ବୋଚ୍ଚ ଯନ୍ତ୍ରୀ ପଦବୀକୁ ଯିବେ ଏବଂ ସେଠାରେ ବହୁ ବର୍ଷ ରହିବେ।ସେତେବେଳେ ଶେଷ କେତେ ଜଣ ବିନା ପଦୋନ୍ନତିରେ ରହିଯିବେ।ଏପରି ସ୍ଥଳେ ଉପରୁ ତଳକୁ ଜ୍ଞାନ ଏବଂ ଅଭିଜ୍ଞତାର ଚଳନ ତଥା ତଳୁ ଉପରକୁ ସମ୍ମାନ ବୋଧ ବା ଆଜ୍ଞାଧିନତା ରହିବ ନାହିଁ।ଏମାନଙ୍କର କାର୍ଯ୍ୟକାଳ ୨୦୬୦ ମସିହା ପର୍ଯ୍ୟନ୍ତ ଚାଲିବ।
ନିଯୁକ୍ତି ପ୍ରକ୍ରିୟା କେଵଳ ଖାଲି ଥିବା ସ୍ଥାନ ପୂରଣ କରିଦେବା ନିମନ୍ତେ ଉଦ୍ଦିଷ୍ଟ ନୁହେଁ।ଏହା ପଛରେ ବହୁତ ଗୁଡିଏ ମନୋସ୍ତାତ୍ତ୍ଵିକ ବିଚାର ଯୋଗ୍ୟ ଦିଗ ରହିଛି।ରାଜ୍ୟର ପ୍ରଗତି,ଶାନ୍ତି,ସୁରକ୍ଷା ଓ ସୌହାର୍ଦ୍ଦ୍ୟର ସହିତ ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରି, ପ୍ରତିଯୋଗିତା ପୂର୍ଣ୍ଣ ବିଶ୍ଵରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବା ନିମନ୍ତେ ଏହା ଏକ ସନ୍ତୁଳିତ ଚୟନ ବ୍ୟବସ୍ଥା। ଆଗରୁ OSE Rules ୧୯୪୧ ପ୍ରକାରରେ ସବୁ ଠିକ୍ ଭାବରେ ଚାଲିଥିଲା।କିନ୍ତୁ ଏହି ବିନା ପରୀକ୍ଷାର ଯନ୍ତ୍ରୀ ମାନଙ୍କର ବହୁଳ ପ୍ରବେଶ,୨୦ ବର୍ଷର ପରୀକ୍ଷା ବନ୍ଦ,ଚଞ୍ଚକତା ପୂର୍ଣ୍ଣ ୨୦୧୨ ମସିହାର Cadre restructuring,ବହୁ ବର୍ଷ ଅନ୍ତରରେ ନିଯୁକ୍ତି ପରୀକ୍ଷା ଏବଂ ବହୁତ ସଂଖ୍ୟାରେ ଯନ୍ତ୍ରୀ ମାନଙ୍କର ଏକକାଳୀନ ନିଯୁକ୍ତି, ପୂର୍ବର ସମସ୍ତ ସୁବ୍ୟବସ୍ଥା କୁ ବିଗାଡି ଦେଇଛି।UPSC ପ୍ରତ୍ୟେକ ବର୍ଷ ଅଧିକାରୀ ନିଯୁକ୍ତି କରିବାର ସୁନ୍ଦର ସନ୍ତୁଳିତ ବ୍ୟବସ୍ଥା ପ୍ରଚଳନ କରିଛି। ଓଡ଼ିଶାରେ ମଧ୍ୟ ସେହି ଅନୁରୂପ ନୂତନ ଭାବରେ ନିଜସ୍ଵ ସନ୍ତୁଳିତ ଚୟନ ପ୍ରକିୟା ବିକଶିତ କରାଯାଉ।ସଚିବ ମାନଙ୍କର କ୍ଷମତା ନିୟନ୍ତ୍ରଣରେ ରଖାଯାଉ, ଆତଙ୍କିକରଣ ବନ୍ଦ କରାଯାଉ।ସବୁ ବିଭାଗର ସବୁ ବର୍ଗର ଅଧିକାରୀ ମାନଙ୍କ ଭିତରୁ ବିଶେଷଜ୍ଞ ନିର୍ମାଣର କାର୍ଯ୍ୟ ଆରମ୍ଭ କରାଯାଉ।ସଚିବ ମାନଙ୍କର ମନୋମୁଖୀ ନିର୍ଣ୍ଣୟ ହେତୁ ଉଚ୍ଚ ନ୍ୟାୟାଳୟକୁ ଭାରାକ୍ରାନ୍ତ କରି ରଖିଥିବା ହଜାର ହଜାର କେଶ୍,ସରକାରଙ୍କ ନିଜସ୍ଵ ସ୍ତରରେ ବିଚାର କରି ନିଷ୍ପତ୍ତି ନିଆଯାଉ।ବର୍ତ୍ତମାନର ଅଧିକାରୀ ମାନଙ୍କୁ ବିଶେଷ ତାଲିମ ପ୍ରଦାନ କରି ସେମାନଙ୍କର ଜ୍ଞାନ ବୃଦ୍ଧି କରାଯାଉ,ପ୍ରତ୍ୟେକ କାର୍ଯ୍ୟର ଉପଯୁକ୍ତ ସମୀକ୍ଷା କରାଯାଉ ଏବଂ ଉତ୍ତର ଦାୟିତ୍ଵ ନିର୍ଦ୍ଧାରିତ କରି କଠୋର ଦଣ୍ଡ ବ୍ୟବସ୍ଥା କରାଯାଉ ଏବଂ ଉତ୍କୃଷ୍ଟ କାର୍ଯ୍ୟ ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ବି କରାଯାଉ ଯାହା ଫଳରେ ସାଧାରଣ ଜନତାଙ୍କର ସୁରକ୍ଷା ନିଶ୍ଚିତ କରାଯାଇ ପାରିବ।
Sign in
Sign in
Recover your password.
A password will be e-mailed to you.