ଓଡ଼ଗାଁ, ୧୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ନବମ ଦିନରେ ଅନୁଷ୍ଠିତ ଦୁଇଟି ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ ବ୍ରଦର୍ସ ଇଲେଭେନ୍ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛନ୍ତି। ଦିନର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ ଏସ୍ଆର୍ଏସ୍ସି ମୁହାଁମୁହିଁ ହୋଇଥିଲେ। ଟସ୍ ଜିତି ଏସ୍ଆର୍ଏସ୍ସି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଏକ୍ସଟ୍ରିମ୍ ବ୍ଲାଷ୍ଟର ନିର୍ଦ୍ଧାରିତ ୧୨ ଓଭରରେ ୬ ଉଇକେଟ ହରାଇ ୧୩୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଏସ୍ଆର୍ଏସ୍ସି ଦଳ ୧୨ ଓଭରରେ ୮ ଉଇକେଟ ହରାଇ ମାତ୍ର ୯୦ ରନ୍ କରିପାରିଥିଲା। ଫଳରେ ଏକ୍ସଟ୍ରିମ୍ ବ୍ଲାଷ୍ଟର ୪୪ ରନ୍ର ବିଶାଳ ବିଜୟ ହାସଲ କରି ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଥିଲା। ବିଜୟୀ ଦଳର ରାମେଶ୍ୱର ୧୫ ବଲରୁ ଦ୍ରୁତ ୪୩ ରନ୍ ସଂଗ୍ରହ କରି ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ହାସଲ କରିଥିଲେ।
ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଜ୍ୟୋତି ଇଲେଭେନ୍ ଏମ୍ପୋରିଅର ଓ ବ୍ରଦର୍ସ ଇଲେଭେନ୍ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଟସ୍ ଜିତି ଜ୍ୟୋତି ଇଲେଭେନ୍ ଏମ୍ପୋରିଅର ବୋଲିଂ ଚୟନ କରିଥିଲା। ବ୍ରଦର୍ସ ଇଲେଭେନ୍ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୫ ଉଇକେଟ ବିନିମୟରେ ୯୬ ରନ୍ କରିଥିଲା। ବିଜୟ ଲକ୍ଷ୍ୟ ପିଛା କରିଥିବା ଜ୍ୟୋତି ଇଲେଭେନ୍ ଏମ୍ପୋରିଅର ନିର୍ଦ୍ଧାରିତ ଓଭରରେ ସମସ୍ତ ୧୦ ଉଇକେଟ ହରାଇ ମାତ୍ର ୮୮ ରନ୍ରେ ସୀମିତ ରହିଥିଲା। ଫଳରେ ବ୍ରଦର୍ସ ଇଲେଭେନ୍ ୮ ରନ୍ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ବିଜୟୀ ଦଳର ରାଜେନ୍ଦ୍ର ୨ ଓଭରରେ ୧୬ ରନ୍ ଦେଇ ୪ଟି ଉଇକେଟ ନେଇ ଚମତ୍କାର ପ୍ରଦର୍ଶନ କରି ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ। ଆଜିର ମ୍ୟାଚଗୁଡ଼ିକୁ ରୋହନ୍, ଚନ୍ଦନ, ଆକବର, ଅଶୋକ, ଅମିତ୍, ସନ୍ତୋଷ, ଅଭି ଓ ବିକାଶ ସୁଚାରୁ ଭାବେ ପରିଚାଳନା କରିଥିଲେ। ସଂଘର ସମ୍ପାଦକ ତଥା କ୍ରୀଡ଼ାପ୍ରେମୀ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନର ଖେଳ ସଫଳତାର ସହ ଆୟୋଜିତ ହୋଇଥିଲା। ସମ୍ପାଦକ ଶ୍ରୀ ନାୟକଙ୍କ ସୂଚନାନୁସାରେ, ଓସିଏଲ୍-୨୦୨୬ର ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ୍ ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ। ଫାଇନାଲରେ ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ ବ୍ରଦର୍ସ ଇଲେଭେନ୍ ମଧ୍ୟରେ ଚାମ୍ପିୟନ୍ ଟ୍ରଫି ପାଇଁ ଲଢେଇ ଦେଖିବାକୁ କ୍ରିକେଟ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।
Sign in
Sign in
Recover your password.
A password will be e-mailed to you.