ପହିଲି ରଜରେ ରାମ ସାଗର ପାର୍କ ଉତ୍ସବମୁଖର;ଜମିଲା ପର୍ଯ୍ୟଟକଙ୍କ ଭିଡ଼,

0

ଓଡ଼ଗାଁ, ୧୪.୬(ଶ୍ରୀକାନ୍ତ କୁମାର ମିଶ୍ର): ପ୍ରଥମ ରଜ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନ୍ଏସି ଅଧୀନସ୍ଥ ରାମ ସାଗର ପାର୍କରେ ରବିବାର ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଶିଶୁଠାରୁ ଆରମ୍ଭ କରି ବୃଦ୍ଧ–ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ବୟସର ଲୋକ ପାର୍କରେ ଏକତ୍ରିତ ହୋଇ ରଜର ଆନନ୍ଦ ଉପଭୋଗ କରିଥିଲେ। ଖୋଲିବା ପରଠାରୁ ପାର୍କ ପରିସରରେ ଦର୍ଶକଙ୍କ ଭିଡ଼ ଲାଗି ରହିଥିବା ଦେଖାଯାଇଥିଲା। ପାର୍କ ସମ୍ମୁଖରେ ବିଭିନ୍ନ ପ୍ରକାରର ଚଟପଟି ଖାଦ୍ୟର ପସରା ମେଲିଥିବା ବେଳେ ଦର୍ଶକମାନେ ସେଗୁଡ଼ିକର ସ୍ୱାଦ ଆସ୍ୱାଦନ କରି ବେଶ୍ ମଜା ନେଇଥିଲେ। ସବୁଜ ଘାସର ଗାଲିଚା, ନୀଳ ଆକାଶ ଏବଂ ଆକର୍ଷଣୀୟ ରଙ୍ଗିନ ଆଲୋକ ସଜ୍ଜାରେ ରାମ ସାଗର ପାର୍କର ସୌନ୍ଦର୍ଯ୍ୟ ଅଧିକ ମନୋମୁଗ୍ଧକର ହୋଇଉଠିଥିଲା। ନୂଆ ଶାଢ଼ି ଓ ବିଭିନ୍ନ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ପରିବାର ସଦସ୍ୟମାନେ ପାର୍କରେ ବୁଲାବୁଲି କରିବା ସହ ବିଭିନ୍ନ ସ୍ଥାନରେ ବସି ଅବସର ବିନୋଦନ କରୁଥିଲେ। ଶିଶୁ ଉଦ୍ୟାନରେ ଛୋଟ ପିଲାମାନଙ୍କ ସହ ବୟସ୍କମାନେ ମଧ୍ୟ ଦୋଳି ଖେଳିବା ଓ ଅନ୍ୟାନ୍ୟ ମନୋରଞ୍ଜନଧର୍ମୀ ଖେଳରେ ଭାଗ ନେଉଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ, ଯୁବକ–ଯୁବତୀ ଏବଂ ସାଙ୍ଗସାଥୀମାନେ ସେଲଫି ଓ ଫଟୋ ଉଠାଇବାରେ ବ୍ୟସ୍ତ ରହିଥିବା ବେଳେ କିଛି ଦର୍ଶକ ବୋଟିଂର ଆନନ୍ଦ ମଧ୍ୟ ନେଇଥିଲେ। ସନ୍ଧ୍ୟାବେଳେ ପାର୍କ ବନ୍ଦ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ସହ ବିଭିନ୍ନ ଭାଷାର ସଙ୍ଗୀତର ତାଳେ ତାଳେ ପ୍ରଦର୍ଶିତ ମ୍ୟୁଜିକାଲ୍ ଫାଉଣ୍ଟେନ୍‌ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରିଥିଲା। ପହିଲି ରଜ ଅବସରରେ ଓଡ଼ଗାଁ ଏନ୍ଏସି ସମେତ ଆଖପାଖର ବିଭିନ୍ନ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ଲୋକ ପରିବାର ସହ ପାର୍କ ଭ୍ରମଣରେ ଆସିଥିବାରୁ ପରିସରରେ ପ୍ରବଳ ଜନସମାଗମ ଦେଖାଯାଇଥିଲା। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଓଡ଼ଗାଁ ଏନ୍ଏସିର ଅଧିକାରୀ ନିହାର ରଞ୍ଜନ ବେହେରା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସତର୍କ ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.