ଘଷାଦେଇପୁରରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ମହାରଣାଙ୍କ ମୃତ୍ୟୁ, ପରିବାରକୁ କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

0

ଓଡ଼ଗାଁ, ୧୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରାବରା ପଞ୍ଚାୟତର ଘଷାଦେଇପୁର ଗ୍ରାମରେ ଗତ ୯ ତାରିଖରେ ଘଟିଥିବା ଗ୍ୟାସ ସିଲିଣ୍ଡର ଅଗ୍ନିକାଣ୍ଡରେ ଗୁରୁତର ଭାବେ ଦଗ୍ଧ ହୋଇଥିବା ପ୍ରକାଶ ମହାରଣା (୪୮)ଙ୍କର କଟକ ସ୍ଥିତ ବଡ଼ ଡାକ୍ତରଖାନାରେ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ଶନିବାର ଅପରାହ୍ନରେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମ ଶ୍ମଶାନରେ ପ୍ରକାଶ ମହାରଣାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଅନ୍ୟପକ୍ଷରେ, ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଭାବେ ଦଗ୍ଧ ହୋଇଥିବା ପୁତୁରା କାଳୁ ମହାରଣା ଏବେ ମଧ୍ୟ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୩୦ଟା ବେଳେ ପ୍ରକାଶ ମହାରଣା ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡରର ସେଫ୍ଟି କ୍ୟାପ୍ ଖୋଲୁଥିବା ସମୟରେ ହଠାତ୍ ଗ୍ୟାସ ତୀବ୍ର ବେଗରେ ବାହାରିବା ଆରମ୍ଭ ହୋଇଥିଲା । ପାଖାପାଖି ୧୦ରୁ ୧୫ ଫୁଟ ଦୂରରେ ଜଳୁଥିବା ଚୁଲିର ନିଆଁ ଗ୍ୟାସ ସଂସ୍ପର୍ଶରେ ଆସିବାରୁ ସିଲିଣ୍ଡରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରକାଶ ମହାରଣାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ପୁତୁରା କାଳୁ ମହାରଣା ମଧ୍ୟ ଗୁରୁତର ଭାବେ ଦଗ୍ଧ ହୋଇଥିଲେ। ଖବର ପାଇ ଓଡ଼ଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପରେ ଉଭୟଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥା ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରକାଶ ମହାରଣାଙ୍କ ମୃତ୍ୟୁ ଘଟିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସିଲିଣ୍ଡରରୁ ଗ୍ୟାସ ନିର୍ଗତ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଦର୍ଶାଇ ସମ୍ପୃକ୍ତ ଗ୍ୟାସ ଏଜେନ୍ସି କିମ୍ବା ଯୋଗାଣକାରୀ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ ଯଥୋଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। ଶୀଘ୍ର କ୍ଷତିପୂରଣ ନ ମିଳିଲେ ନ୍ୟାୟ ଦାବିରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.