ଓଡ଼ଗାଁରେ ବିଜୁଳି ବିଭ୍ରାଟ ଏବେ ନିତିଦିନିଆ; ଅଞ୍ଚଳବାସୀଙ୍କ ପାଇଁ କିଏ ହେବ ସାହା-ଭରସା, ନେତା ଓ ପ୍ରଶାସନ ନିରବଦ୍ରଷ୍ଟା

0 1

ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ରାଜ୍ୟର ଏକ ପ୍ରମୁଖ ଅଞ୍ଚଳ ଭାବେ ପରିଚିତ। ଏହି ଅଞ୍ଚଳର ଚତୁଃପାର୍ଶ୍ୱରେ ଅନେକ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ, ସଂରକ୍ଷିତ ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାହାଡ଼ ଅବସ୍ଥିତ ରହିଛି। ବିକାଶଶୀଳ ଓଡ଼ଗାଁକୁ ସହରୀୟ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଗଠନ କରାଯାଇଥିଲେ ମଧ୍ୟ, ମୌଳିକ ସୁବିଧା ମଧ୍ୟରୁ ଅନ୍ୟତମ ବିଦ୍ୟୁତ୍ ସେବା ଏଠାରେ ଏବେ ବି ଅବ୍ୟବସ୍ଥାର ଚିତ୍ର ପ୍ରଦର୍ଶନ କରୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଓଡ଼ଗାଁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବେ ସାତ ସପନ ପାଲଟିଯାଇଛି। ପ୍ରାୟ ପ୍ରତିଦିନ ୧୦ ରୁ ୧୫ ଘଣ୍ଟା ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ଲାଗି ରହୁଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେଉଛି। ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ, ଯେପରି ଦୈନିକ ୧୨ ଘଣ୍ଟା ବିଦ୍ୟୁତ୍ ଯୋଗାଣ ଏବଂ ୧୨ ଘଣ୍ଟା ବିଦ୍ୟୁତ୍ କାଟ ନୀତି ଏଠାରେ ଚାଲିଛି। ଓଡ଼ଗାଁ ଅଞ୍ଚଳରେ ଅନେକ ପୁରାତନ ଧାର୍ମିକ ପୀଠ, ଘନ ଜଙ୍ଗଲ ଓ ବଣ୍ୟଜନ୍ତୁ ଉପଦ୍ରବର ସମ୍ଭାବନା ଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାର ଆବଶ୍ୟକତା ରହିଛି। କିନ୍ତୁ ବାସ୍ତବ ଚିତ୍ର ଏହାର ସମ୍ପୂର୍ଣ୍ଣ ବିପରୀତ। ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଘରୋଇ କାର୍ଯ୍ୟ, ବ୍ୟବସାୟ, ଚିକିତ୍ସା, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ବିଭିନ୍ନ ଜରୁରୀ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି।
ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟରୁ ବିଦ୍ୟୁତ୍ ବିଭ୍ରାଟ ଆରମ୍ଭ ହୋଇଥିବାବେଳେ ରାତି ୧୨ ପର୍ଯ୍ୟନ୍ତ ଯୋଗାଣ ସ୍ବାଭାବିକ ହୋଇନଥିଲା। ଖବର ଲେଖାଯିବା ସୁଦ୍ଧା ସାରା ଅଞ୍ଚଳ ଅନ୍ଧାରରେ ରହିଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ଗ୍ରାହକମାନେ ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ଓଡ଼ଗାଁ ବିଦ୍ୟୁତ୍ କାର୍ଯ୍ୟାଳୟକୁ ପହଞ୍ଚି ସମସ୍ୟାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ସେଠାରେ କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଓ କୌଣସି କର୍ମଚାରୀ ଉପସ୍ଥିତ ନଥିବା ଦେଖି ସେମାନେ କ୍ଷୋଭ ପ୍ରକାଶ କରିଥିଲେ। କେତେକ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଯେ, ନିଜ ସୁରକ୍ଷା ଦୃଷ୍ଟିରୁ କର୍ମଚାରୀମାନେ କାର୍ଯ୍ୟାଳୟ ବନ୍ଦ କରି ଚାଲିଯାଇଥିଲେ।
ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଓ ସମସ୍ୟା ସମାଧାନରେ ଅବହେଳାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ତଥାପି ଏ ନେଇ ଜନପ୍ରତିନିଧି କିମ୍ବା ପ୍ରଶାସନିକ ସ୍ତରରେ କୌଣସି ଦୃଶ୍ୟମାନ ପଦକ୍ଷେପ ପରିଲକ୍ଷିତ ହେଉନଥିବାରୁ ଲୋକେ ପ୍ରଶ୍ନ ଉଠାଇଛନ୍ତି— ଓଡ଼ଗାଁବାସୀଙ୍କ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେବେ କିଏ? ଏବଂ କେବେ ସୁଧୁରିବ ଏହି ବିଦ୍ୟୁତ୍ ସେବା ବ୍ୟବସ୍ଥା?
ସ୍ଥାନୀୟ ଅଞ୍ଚଳବାସୀ ଶୀଘ୍ର ବିଦ୍ୟୁତ୍ ବ୍ୟବସ୍ଥାର ସୁଧାର ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସମ୍ପୃକ୍ତ ବିଭାଗ ଏବଂ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି।

Leave A Reply

Your email address will not be published.