୪ ଦିନ ଧରି କୂଅ ଭିତରେ ଫସି ରହିଥିଲେ ତୁଳସିରାମ, ଜୀବନ୍ତ ଉଦ୍ଧାର ପରେ ଚାଞ୍ଚଲ୍ୟ

0

ବିଜେପୁର, ୧୧ ଜୁନ: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ଘଟିଥିବା ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ମାଡ଼ ମାରି ହତ୍ୟା ଉଦ୍ଦେଶ୍ୟରେ ଏକ ପରିତ୍ୟକ୍ତ କୂଅ ଭିତରକୁ ଫିଙ୍ଗି ଦିଆଯାଇଥିବା ବେଳେ ସେ ଦୀର୍ଘ ଚାରି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି।ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ପଦ୍ମପୁର ଅଞ୍ଚଳର ପୂରେନା ଗ୍ରାମର ତୁଳସିରାମ ଭୁଏ ବୋଲି ବିଜେପୁର ଥାନା ଅଧିକାରୀ (ଆଇଆଇସି) ସୁଶାନ୍ତ ମଣି ମହାନ୍ତି ସୂଚନା ଦେଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ଗତ ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ପାଞ୍ଚ ଜଣ ଦୁର୍ବୃତ୍ତ ତୁଳସିରାମଙ୍କୁ ସଂଘାତିକ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ସେ ଅଚେତ ହୋଇଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ମୃତ ଭାବି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ନର୍ସରୀ ପରିସରର ଏକ ନିଛାଟିଆ ଓ ପରିତ୍ୟକ୍ତ କୂଅ ଭିତରକୁ ଫିଙ୍ଗି ଦେଇଥିଲେ। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଅନ୍ଧାର କୂଅ ଭିତରେ ଖାଦ୍ୟ ଓ ପାଣି ବିନା ତୁଳସିରାମ ଚାରି ଦିନ ଧରି ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିବା ବେଳେ ଆଜି ଭାଗ୍ୟବଶତଃ ତାଙ୍କ ଚିତ୍କାର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ କାନରେ ପଡ଼ିଥିଲା। ସେ ନର୍ସରୀ ଅଞ୍ଚଳକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ କୂଅ ଭିତରୁ କ୍ଷୀଣ ସ୍ୱରରେ ସାହାଯ୍ୟ ମାଗୁଥିବା ଶୁଣି ଗ୍ରାମବାସୀଙ୍କୁ ଜଣାଇଥିଲେ।ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ବିଜେପୁର ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଡ଼ି ଓ ଦଉଡ଼ି ସାହାଯ୍ୟରେ ଏକ ସାହସିକ ଉଦ୍ଧାର ଅଭିଯାନ ଚଳାଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ତୁଳସିରାମଙ୍କୁ ସୁରକ୍ଷିତ ଭାବେ କୂଅ ଭିତରୁ ବାହାରକୁ ଅଣାଯାଇଥିଲା।
ଉଦ୍ଧାର ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତୁରନ୍ତ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି।ଏହି ଅମାନବିକ କାଣ୍ଡ ପଛରେ କେଉଁମାନଙ୍କର ହାତ ରହିଛି ଏବଂ ଆକ୍ରମଣର ପ୍ରକୃତ କାରଣ କଣ, ସେ ନେଇ ବିଜେପୁର ପୋଲିସ ତଦନ୍ତକୁ ଜୋରଦାର କରିଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଚାରି ଦିନ ଧରି କୂଅ ଭିତରେ ରହି ମଧ୍ୟ ଜୀବନ୍ତ ଉଦ୍ଧାର ହୋଇଥିବାରୁ ତୁଳସିରାମଙ୍କ ଘଟଣାକୁ ଅନେକେ ଅଲୌକିକ ବୋଲି ବର୍ଣ୍ଣନା କରୁଛନ୍ତି।

Leave A Reply

Your email address will not be published.