ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬; ଚତୁର୍ଥ ଦିନରେ ଇଲେଭେନ୍ ଏମ୍ପୋରିଅର, ଓଡ଼ଗାଁ ପଲଟନ, ଆଇରନ୍ ଇଗଲ୍ ଓ କେ. ଇଲେଭେନ୍ ବିଜୟୀ,
ଓଡ଼ଗାଁ, ୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ଚତୁର୍ଥ ଦିନରେ ଚାରିଟି ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ମ୍ୟାଚ୍ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
ପ୍ରଥମ ମ୍ୟାଚ୍ରେ ସ୍କାଏ ୱାଲକର ଦଳ ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଉଇକେଟ୍ ହରାଇ ୭୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇଲେଭେନ୍ ଏମ୍ପୋରିଅର ୪.୧ ଓଭରରେ ୨ ଉଇକେଟ୍ ହରାଇ ୭୪ ରନ୍ କରି ସହଜ ବିଜୟ ହାସଲ କରିଥିଲା। ତିତିଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ମ୍ୟାଚ୍ରେ ଫାଷ୍ଟ ଇନିଙ୍ଗସ୍ ଦଳ ୧୦ ଓଭରରେ ୬ ଉଇକେଟ୍ ବିନିମୟରେ ୮୩ ରନ୍ କରିଥିଲା। ପ୍ରତିଉତ୍ତରରେ ଓଡ଼ଗାଁ ପଲଟନ ୯.୩ ଓଭରରେ ୪ ଉଇକେଟ୍ ହରାଇ ୮୪ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଗିରିଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ମନୋନୀତ ହୋଇଥିଲେ। ତୃତୀୟ ମ୍ୟାଚ୍ରେ ସ୍ମାଇଲ୍ ଇଲେଭେନ୍ ଦଳ ୮.୫ ଓଭରରେ ସମସ୍ତ ଉଇକେଟ୍ ହରାଇ ୬୪ ରନ୍ କରିଥିଲା। ଏହାର ଜବାବରେ ଆଇରନ୍ ଇଗଲ୍ ୬.୨ ଓଭରରେ ୨ ଉଇକେଟ୍ ବିନିମୟରେ ୬୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଶିଶିରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସମ୍ମାନ ମିଳିଥିଲା।
ଦିନର ଚତୁର୍ଥ ମ୍ୟାଚ୍ରେ ବ୍ରଦର ଇଲେଭେନ୍ (ବି) ୯.୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୬୮ ରନ୍ କରିଥିଲା। ପରେ କେ. ଇଲେଭେନ୍ ୮.୨ ଓଭରରେ ୫ ଉଇକେଟ୍ ବିନିମୟରେ ୬୯ ରନ୍ କରି ମ୍ୟାଚ୍ ଜିତିଥିଲା। ବଟୁଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଚନ୍ଦନ, ରାମେଶ୍ୱର, ଗୋପାଳ, ଆରିୟନ, ଗୁଡୁ, ରାଜଶେଖର, ରୋହନ, ବିକାଶ, ରାମ, ଉମାକାନ୍ତ ଓ ବାଦଲ ମ୍ୟାଚ୍ଗୁଡ଼ିକ ପରିଚାଳନା କରିଥିଲେ। ଆସନ୍ତା ଗୁରୁବାର ପ୍ରି-କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଇଗଲ୍ ଫାଇଟର୍ସ ଓ ଏକ୍ସଟ୍ରିମ୍ ବ୍ଲାଷ୍ଟର୍ସ, ଡାଇନାମିକ୍ କିଙ୍ଗ୍ସ ଓ ଜୟଶିବ, ତଥା ଓଡ଼ଗାଁ ପଲଟନ ଓ ଶ୍ରୀରାମ ସ୍ପୋର୍ଟସ୍ କ୍ଲବ୍ ମଧ୍ୟରେ ମୁକାବିଲା ହେବ।