ସମ୍ବଲପୁରରେ ଅନୁଷ୍ଠିତ ପ୍ରାନ୍ତ ଅଭ୍ୟାସ ବର୍ଗରେ ୧୪ ସାଂଗଠନିକ ଜିଲ୍ଲାରୁ ୩୦୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଅଂଶଗ୍ରହଣ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ଅଭ୍ୟାସ ବର୍ଗ ଜୁନ ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସାସନସ୍ଥିତ ବିର୍ଲା ଓପନ୍ ମାଇଣ୍ଡ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଚାରିଦିନିଆ ଅଭ୍ୟାସ ବର୍ଗରେ ପଶ୍ଚିମ ଓଡ଼ିଶାର ୧୪ଟି ସାଂଗଠନିକ ଜିଲ୍ଲାରୁ ୩୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ସାଂଗଠନିକ ଓ ବୈଚାରିକ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଅଭ୍ୟାସ ବର୍ଗରେ ରାଜ୍ୟ ସମ୍ପାଦକ ଆଗାମୀ ବର୍ଷ ପାଇଁ ସଂଗଠନର କାର୍ଯ୍ୟଯୋଜନା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ୨୦୨୬-୨୭ ବର୍ଷ ପାଇଁ ପଶ୍ଚିମ ଓଡ଼ିଶା ପ୍ରାନ୍ତର ନୂତନ ସାଂଗଠନିକ ଦାୟିତ୍ୱ ଘୋଷଣା କରାଯାଇଥିଲା।
ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ୯ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି। ଜିତେନ୍ଦ୍ର ମହାନନ୍ଦଙ୍କୁ ଜିଲ୍ଲା ପ୍ରମୁଖ, ଘନଶ୍ୟାମ ପଟ୍ଟନାୟକଙ୍କୁ ଜିଲ୍ଲା ସଂଯୋଜକ, ହିତେଶ ଝାଙ୍କୁ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ, ଦମୟନ୍ତୀ ପାଣ୍ଡେଙ୍କୁ ସୁନ୍ଦରଗଡ଼ ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ସଂଯୋଜିକା, ସତ୍ୟନାରାୟଣ ଦାସଙ୍କୁ ଝାରସୁଗୁଡ଼ା ଖଣ୍ଡ ସହ-ସଂଯୋଜକ, ତରାନା ବେହେରାଙ୍କୁ କିର୍ମିରା ଖଣ୍ଡ ସଂଯୋଜିକା, ଶାନ୍ତନୁ ରୋହିଦାସଙ୍କୁ ଲଇକେରା ଖଣ୍ଡ ସଂଯୋଜକ, ରେବତୀ ରଞ୍ଜନ ନାୟକଙ୍କୁ କୋଲାବିରା ଖଣ୍ଡ ସଂଯୋଜକ ଏବଂ ବିଭୋର ନନ୍ଦାଙ୍କୁ ଲଖନପୁର ଖଣ୍ଡ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି।
ନୂତନ ଦାୟିତ୍ୱପ୍ରାପ୍ତ କାର୍ଯ୍ୟକର୍ତ୍ତାମାନେ ଆଗାମୀ ଦିନରେ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ରପ୍ରେମର ଭାବନା ସହ ଯୋଡ଼ିବା ସହ ବିଭିନ୍ନ ଶିକ୍ଷାଗତ ଓ ସାମାଜିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଜିଲ୍ଲା ସଂଯୋଜକ ଘନଶ୍ୟାମ ପଟ୍ଟନାୟକ ପ୍ରକାଶ କରିଛନ୍ତି।