ଜିଲ୍ଲାପାଳଙ୍କ ସହ ଦଶମ ଶ୍ରେଣୀ ଏ୧ କୃତୀ ଛାତ୍ରୀମାନଙ୍କ ସ୍ୱତନ୍ତ୍ର ଆଲୋଚନା ଚକ୍ର

0

ଝାରସୁଗୁଡା: ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୃତୀ ଛାତ୍ରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସମାସିଂହା ସ୍ଥିତ କେ.ଜି. ବାଳିକା ଉଚ୍ଚ ବିଦ୍ୟାଳୟର ଏ୧ ଗ୍ରେଡ୍ ପାଇଥିବା ୧୫ ଜଣ କୃତୀ ଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସାକ୍ଷାତକାର ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ଉପସ୍ଥିତ ରହିଥିଲେ।ଜିଲ୍ଲାପାଳ ଛାତ୍ରୀମାନଙ୍କ ସହ ପ୍ରାୟ ଦୁଇ ଘଣ୍ଟା କାଳ ସମୟ ଅତିବାହିତ କରିବା ସହ ସେମାନଙ୍କର ଉଚ୍ଚ ଶିକ୍ଷା ଓ ଆଗାମୀ ଭବିଷ୍ୟତ ପାଇଁ ଉତ୍ସାହିତ କରିଥିଲେ।

ଏହି ଆଲୋଚନା କାର୍ଯ୍ୟକ୍ରମରେ ପ୍ରତ୍ୟେକ ଛାତ୍ରୀ ଜିଲ୍ଲାପାଳଙ୍କ ସମ୍ମୁଖରେ ନିଜ ନିଜର କ୍ୟାରିୟର ଆଶା, ଆକାଂକ୍ଷା ଏବଂ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଚହ୍ବାଣ ଛାତ୍ରୀମାନଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମୂଲ୍ୟବାନ ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଛାତ୍ରୀମାନଙ୍କୁ ଅଧିକ ପ୍ରେରଣା ଯୋଗାଇବା ପାଇଁ ଜିଲ୍ଲାପାଳ ନିଜ ପିଲାଦିନର ଅନୁଭୂତି, ଶିକ୍ଷାଗତ ସଂଘର୍ଷ ଏବଂ ଜଣେ ଆଇ ଏ ଏସ ଅଫିସର ହେବା ପର୍ଯ୍ୟନ୍ତର ନିଜର ସଫଳତା ଯାତ୍ରାର କାହାଣୀ ସେମାନଙ୍କ ସହ ସେୟାର କରିଥିଲେ, ଯାହା ଉପସ୍ଥିତ ସମସ୍ତ ଛାତ୍ରୀଙ୍କୁ ବେଶ ଅନୁପ୍ରାଣିତ କରିଥିଲା।

ଏହି ସ୍ୱତନ୍ତ୍ର ପ୍ରେରଣାଦାୟୀ ଅଧିବେଶନରେ କୃତୀ ଛାତ୍ରୀମାନେ ମଧ୍ୟ ସେମାନଙ୍କ ଆଗାମୀ ପାଠପଢ଼ା ଏବଂ କ୍ୟାରିୟର ଗଠନର ବିଭିନ୍ନ ବିକଳ୍ପ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଅନେକ କୌତୁହଳପୂର୍ଣ୍ଣ ପ୍ରଶ୍ନ ପଚାରିଥିଲେ। ଜିଲ୍ଲାପାଳ ସ୍ନେହର ସହ ସମସ୍ତ ପ୍ରଶ୍ନର ସରଳ ସମାଧାନ ବତାଇଥିଲେ। ସମ୍ପୂର୍ଣ୍ଣ ଆଲୋଚନା ଚକ୍ରଟି ଉଭୟ ତଥ୍ୟଭିତ୍ତିକ ଏବଂ ପ୍ରେରଣାଦାୟୀ ରହିଥିବା ବେଳେ, ଏହା ଛାତ୍ରୀମାନଙ୍କ ମନରେ କଠିନ ପରିଶ୍ରମ କରି ଭବିଷ୍ୟତରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏକ ନୂତନ ଆତ୍ମବିଶ୍ୱାସ ଭରିଦେଇଛି।

Leave A Reply

Your email address will not be published.