ତୃତୀୟ ଦିନରେ ଓଡ଼ଗାଁ ଥଣ୍ଡର, ବ୍ଳାକ୍ ହଣ୍ଟର, ବିଷ୍ଟ ଇଲେଭେନ ଓ ଏସ୍‌ଆର୍‌ଏସ୍‌ସି ବିଜୟୀ,

0

ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬;

ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ତୃତୀୟ ଦିନରେ ଚାରିଟି ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ତଥା ଖେଳ ମଣିଷ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିନବ୍ୟାପୀ ଖେଳଗୁଡ଼ିକ ସଫଳତାର ସହ ସମ୍ପନ୍ନ ହୋଇଥିଲା।
ପ୍ରଥମ ମ୍ୟାଚରେ ଓଡ଼ଗାଁ ଥଣ୍ଡର ଓ ଥଣ୍ଡର ଷ୍ଟ୍ରାଇକର୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଟସ୍ ଜିତି ଥଣ୍ଡର ଷ୍ଟ୍ରାଇକର୍ସ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଓଡ଼ଗାଁ ଥଣ୍ଡର ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ୍ ହରାଇ ୧୧୪ ରନ୍ ସଂଗ୍ରହ କରିଥିଲା। ଜବାବରେ ଥଣ୍ଡର ଷ୍ଟ୍ରାଇକର୍ସ ୧୦ ଓଭରରେ ୬ ୱିକେଟ୍ ବିନିମୟରେ ୮୫ ରନ୍ କରିପାରିଥିଲେ। ଫଳରେ ଓଡ଼ଗାଁ ଥଣ୍ଡର ୨୯ ରନ୍‌ରେ ବିଜୟୀ ହୋଇଥିଲା। ମଙ୍ଗଳ୍ ୧୮ ବଲରେ ୪୨ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ। ଦ୍ୱିତୀୟ ମ୍ୟାଚରେ ଗୋଲ୍ଡେନ ସ୍ପୋର୍ଟସ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୬ ୱିକେଟ୍ ହରାଇ ୭୯ ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ବ୍ଳାକ୍ ହଣ୍ଟର ୮ ଓଭରରେ ୪ ୱିକେଟ୍ ହରାଇ ୮୪ ରନ୍ ସଂଗ୍ରହ କରି ୬ ୱିକେଟ୍‌ରେ ବିଜୟ ହାସଲ କରିଥିଲା। ସୁମନ ୨୦ ବଲରେ ୪୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ। ତୃତୀୟ ମ୍ୟାଚରେ ଫ୍ରେଣ୍ଡସ୍ ଇଲେଭେନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୮୪ ରନ୍ କରିଥିଲା। ଜବାବରେ ବିଷ୍ଟ ଇଲେଭେନ ୮ ଓଭରରେ ୪ ୱିକେଟ୍ ବିନିମୟରେ ୮୯ ରନ୍ ସଂଗ୍ରହ କରି ସହଜ ବିଜୟ ହାସଲ କରିଥିଲା। ସ୍ମୃତି ରଞ୍ଜନ ୧୭ ବଲରେ ୩୩ ରନ୍ କରିବା ସହ ୨ ଓଭରରେ ମାତ୍ର ୯ ରନ୍ ଦେଇ ୩ଟି ୱିକେଟ୍ ନେଇ ଅଲ୍‌ରାଉଣ୍ଡ ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଦିନର ଚତୁର୍ଥ ମ୍ୟାଚରେ ଶ୍ରୀରାମ ସ୍ପୋର୍ଟସ କ୍ଲବ୍ (ଏସ୍‌ଆର୍‌ଏସ୍‌ସି) ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୮୯ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାଇପର କିଙ୍ଗ୍ସ ମାତ୍ର ୭ ଓଭରରେ ସମସ୍ତ ୱିକେଟ୍ ହରାଇ ୭୦ ରନ୍‌ରେ ସୀମିତ ରହିଥିଲା। ଫଳରେ ଏସ୍‌ଆର୍‌ଏସ୍‌ସି ୧୯ ରନ୍‌ରେ ବିଜୟୀ ହୋଇଥିଲା। ରିତେଶଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।
ଆଜିର ମ୍ୟାଚଗୁଡ଼ିକୁ କିସନ୍, ଚନ୍ଦନ, ରାମନାଥ, ଆରିୟାନ୍, ଶୁଭମ୍, ସୌରଭ, ଅଭି, ରାମ ଓ ଉମାକାନ୍ତ ପରିଚାଳନା କରିଥିଲେ। ବୁଧବାରର
ସ୍କାଏ ୱାଲକେନ୍ ବନାମ ଏଲେଭେନ୍ ଏମ୍ପୋରିଅର, ଡବ୍ଲ୍ୟୁଟିଆର ବନାମ ଓଡ଼ଗାଁ ପ୍ଲାଟୁନ୍, ଆଇରନ୍ ଇଗଲ ବନାମ ସ୍ମାଇଲ ଇଲେଭେନ୍,
କେ ଇଲେଭେନ୍ ବନାମ ବ୍ରଦର ଇଲେଭେନ୍ (ବି) ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଓଡ଼ଗାଁ କ୍ରିକେଟ ଲିଗ୍‌ରେ ପ୍ରତିଦିନ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

Leave A Reply

Your email address will not be published.