କୁଲେମୁରା ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ ଶରଣାପନ୍ନ ଗ୍ରାମବାସୀ

0

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଲେମୁରା ଗ୍ରାମପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟାପକ ଅନିୟମିତତା, ଜାଲିଆତି ଓ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ସମ୍ପର୍କରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତ ଅଧୀନରେ ସମ୍ପ୍ରତି ସମ୍ପାଦିତ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ସରକାରୀ ପାଣ୍ଠିର ଅପବ୍ୟବହାର ହୋଇଛି। ସାଲ୍ଲେଟିଟ୍ରା-ରୁଗୁଡ଼ି ବନ୍ଧ ଆଦର୍ଶ ପୋଖରୀ ଯୋଜନା, ଖଜୁରୀମୁଣ୍ଡା ମୁଦ୍ରାଯୋର (ଆମପଡ଼ା) ଅମୃତ ସରୋବର ଯୋଜନା, କୁଲେମୁରା କମ୍ୟୁନିଟି ସେଣ୍ଟର ନିର୍ମାଣ, ଜୁନାବନ୍ଧ ପାଚେରୀ ଘାଟ ଓ ଡୁମେରମୁଣ୍ଡା ଡ୍ରେନ ନିର୍ମାଣ କାର୍ଯ୍ୟ, ମୁଦ୍ରାଯୋର ଲାଲୁପଡ଼ା ଚେକଡ୍ୟାମ ଏବଂ ସାଲ୍ଲେଟିକ୍ରା ତଳିବନ୍ଧ ନିର୍ମାଣ ଆଦି ପ୍ରକଳ୍ପରେ ଗୁରୁତର ଅନିୟମିତତା ହୋଇଥିବା ସେମାନେ ଦର୍ଶାଇଛନ୍ତି।

ଗ୍ରାମବାସୀଙ୍କ କହିବାନୁସାରେ, କିଛି ଅସାଧୁ ଠିକାଦାର ଓ ସରକାରୀ କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଯୋଗୁଁ ଏଭଳି ଅନିୟମିତତା ଘଟୁଛି, ଯାହା ଫଳରେ ସରକାରୀ ଅର୍ଥର ଅପଚୟ ହେଉଛି ଏବଂ ବିକାଶ କାର୍ଯ୍ୟର ଗୁଣବତ୍ତା ପ୍ରଭାବିତ ହେଉଛି।

ତେଣୁ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ସମ୍ପୃକ୍ତ ଦୋଷୀ ଠିକାଦାର ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହ ସରକାରୀ ଅର୍ଥର ସୁରକ୍ଷା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଦାବିପତ୍ରରେ ମଧୁସୂଦନ ରଣା, ଶଙ୍କର ପଟେଲ, କୁମୁଦ ମେହେର, ବାସନ୍ତୀ ନାଏକ, ରୁକ୍ମଣୀ ଖଡ଼ିଆଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ।

Leave A Reply

Your email address will not be published.