ଓଡ଼ଗାଁ, ୩୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ପଞ୍ଚାୟତର ଯାତ୍ରାବରପାଟଣା ଗ୍ରାମରେ ଜଣେ ନାବାଳିକା ନିଖୋଜ ମାମଲାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଅଭିଯୋଗକାରିଣୀ ସୁଶାନ୍ତି ବାରିକ ଆହତ ହୋଇଥିବା ବେଳେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ନାବାଳିକା ନିଖୋଜ ଘଟଣାକୁ ନେଇ ସନ୍ଦେହ ହେଉଥିବା ପରିବାର ସହ ସୁଶାନ୍ତି ବାରିକଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇ ଗଣ୍ଡଗୋଳରେ ପରିଣତ ହୋଇଥିଲା। ଅଭିଯୋଗ ଅନୁସାରେ, ରମେଶ ବାରିକ ଏକ ଟାଙ୍ଗିଆରେ ସୁଶାନ୍ତିଙ୍କ ମୁଣ୍ଡକୁ ଆଘାତ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଆହତ ସୁଶାନ୍ତିଙ୍କୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସମ୍ପର୍କରେ ଅଭିଯୋଗ ପାଇ ଓଡ଼ଗାଁ ପୋଲିସ ମାମଲା ନଂ ୧୪୧/୨୦୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ରମେଶ ବାରିକଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଘଟଣାରେ ବ୍ୟବହୃତ ଏକ ଟାଙ୍ଗିଆ ଜବତ କରିଛି। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଅନ୍ୟପକ୍ଷରେ, ଏହି ଘଟଣାରେ ସମ୍ପୃକ୍ତ ଥିବା ରମେଶଙ୍କ ଭାଇ ଚକର ବାରିକ ଫେରାର ଥିବା ଜଣାପଡ଼ିଛି। ପୋଲିସ ତାଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ ଯେ, ନାବାଳିକା ନିଖୋଜ ମାମଲାରେ ସନ୍ଦେହ ହେଉଥିବା ପରିବାର ଓ ଅଭିଯୋଗକାରିଣୀଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିବାରୁ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଉଭୟ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.