ଜନବସତିମୁହାଁ ହେଉଛନ୍ତି ହାତୀ, ବଢୁଛି ହାତୀ-ମଣିଷ ଲଢେଇ
ଭୁବନେଶ୍ୱର, ୨୮/୦୫/୨୦୨୬: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗତ କିଛି ବର୍ଷ ଧରି ବୃଦ୍ଧି ପାଉଥିବା ମାନବ-ହାତୀ ସଂଘର୍ଷ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି ବିଜେଡି । ହାତୀ ଆକ୍ରମଣ ଯୋଗୁଁ ମଣିଷର ମୃତ୍ୟୁ, ଫସଲ ନଷ୍ଟ ଓ ଘରବାଡ଼ି କ୍ଷତିଗ୍ରସ୍ତ ହେବା ଘଟଣା ନିରନ୍ତର ବଢ଼ିଚାଲିଛି, ବିଶେଷକରି ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାରେ ଏହା ଅଧିକ ଗୁରୁତର ଆକାର ନେଇଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ବର୍ତ୍ତମାନର ରାଜ୍ୟ ସରକାର ହାତୀ କରିଡର ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ବନ୍ୟଜନ୍ତୁ ଆବାସସ୍ଥଳୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଖଣି ଖନନ କାର୍ଯ୍ୟକଳାପ, ବ୍ୟାପକ ଜଙ୍ଗଲ ଧ୍ୱଂସ ଓ ହାତୀ ଚଳପ୍ରଚଳ ଅଞ୍ଚଳରେ ଅନିୟନ୍ତ୍ରିତ ବିକାଶମୂଳକ ପ୍ରକଳ୍ପ ଯୋଗୁଁ ହାତୀମାନେ ମାନବ ବସତି ମଧ୍ୟରେ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି, ଯାହା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କ ଜୀବନ ଓ ଜୀବିକା ଗୁରୁତର ସଙ୍କଟରେ ପଡ଼ିଛି ।
ଶ୍ରୀ ମିଶ୍ର କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ସମୟରେ ହାତୀ ସଂରକ୍ଷଣ ଓ ଆବାସସ୍ଥଳୀ ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ହାତୀ କରିଡର ଚିହ୍ନଟ, ସୁରକ୍ଷା, ଶିମିଳିପାଳ ଜାତୀୟ ଉଦ୍ୟାନ ଓ ସାତକୋଶିଆ ପରିସରର ସଂରକ୍ଷଣ, ଜଙ୍ଗଲ ଆବାସସ୍ଥଳୀକୁ ସୁଦୃଢ଼ କରିବା ସହିତ ବନ୍ୟଜନ୍ତୁ ପରିଚାଳନା ପଦକ୍ଷେପ କାର୍ଯ୍ୟକରୀ କରାଯାଇଥିଲା । ୨୦୨୪ ମସିହାରେ ହୋଇଥିବା ହାତୀ ଗଣନା ଅନୁସାରେ ଓଡ଼ିଶାରେ ହାତୀ ସଂଖ୍ୟା ୨,୧୦୩ ରେକର୍ଡ କରାଯାଇଥିଲା ।
ହାତୀ ମୃତୁ୍ୟ ବୃଦ୍ଧି ପ୍ରସଙ୍ଗରେ ଗଭୀର ଚିନ୍ତା ପ୍ରକାଶ କରି ଶ୍ରୀ ମିଶ୍ର କହିଥିଲେ ଯେ ଗତ ଦୁଇ ବର୍ଷରେ ପ୍ରାୟ ୧୮୫ଟି ହାତୀ ମୃତୁ୍ୟ ଘଟିଛି, ଯାହା ଓଡ଼ିଶାକୁ ଦେଶର ସର୍ବାଧିକ ହାତୀ ମୃତୁ୍ୟ ଘଟୁଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି । ବିଦୁ୍ୟତ ଆଘାତ, ଟ୍ରେନ୍ ଦୁର୍ଘଟଣା, ଶିକାର, ଜଳାଭାବ, ଖାଦ୍ୟ ଅଭାବ ଓ ଜଙ୍ଗଲ ଭିତରେ ତୀବ୍ର ପାଣି ସଙ୍କଟ ଏହି ମୃତୁ୍ୟର ପ୍ରମୁଖ କାରଣ । ଜଙ୍ଗଲ ଭିତରେ ପାଣି ଧାରଣ କ୍ଷମତା କମିଯିବା ଓ ପ୍ରାକୃତିକ ଜଳସ୍ରୋତ ଓ କୂଅାଁ ଶୁଖିଯାଇଥିବାରୁ ହାତୀମାନେ ଖାଦ୍ୟ ଓ ପାଣି ଖୋଜିବା ପାଇଁ ମାନବ ବସତି ମଧ୍ୟରେ ପ୍ରବେଶ କରୁଛନ୍ତି ।
ସେ ଆହୁରି କହିଥିଲେ ଯେ ଉଇଗଚଇ (ଉକ୍ଟଜ୍ଞକ୍ଟ୍ରରଦ୍ଭଗ୍ଦବଗ୍ଧକ୍ଟକ୍ସଚ୍ଚ ଇଲଲକ୍ଟକ୍ସରଗ୍ଦଗ୍ଧବଗ୍ଧସକ୍ଟଦ୍ଭ ୠଙ୍କଦ୍ଭୟ ଗବଦ୍ଭବଶରଜ୍ଞରଦ୍ଭଗ୍ଧ ବଦ୍ଭୟ ଚକ୍ଷବଦ୍ଭଦ୍ଭସଦ୍ଭଶ ଇଙ୍କଗ୍ଧଷକ୍ଟକ୍ସସଗ୍ଧଚ୍ଚ) ଅଧୀନରେ ମିଳୁଥିବା ଅର୍ଥ ହାତୀ ଆବାସସ୍ଥଳୀ ସଂରକ୍ଷଣ, ସଂଘର୍ଷ ନିୟନ୍ତ୍ରଣ, ଜଳ ପରିଚାଳନା ଓ ଚାରା ବିକାଶ ପାଇଁ ବ୍ୟବହୃତ ହେବା ଉଚିତ, କିନ୍ତୁ ବର୍ତ୍ତମାନ ସରକାର ଏହି ସମ୍ପଦକୁ ସଠିକ ଭାବରେ ବ୍ୟବହାର କରିବାରେ ବିଫଳ ହୋଇଛନ୍ତି । ଶ୍ରୀ ମିଶ୍ର କହିଥିଲେ ଯେ ଓଡ଼ିଶାରେ ମାନବ-ହାତୀ ସଂଘର୍ଷ ଏବେ ଭୟାବହ ସ୍ତରକୁ ପହଞ୍ଚିଛି । ୨୦୨୪–୨୫ ମଧ୍ୟରେ ହାତୀ ଆକ୍ରମଣ ଯୋଗୁଁ ୧୭୧ ଜଣ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ପ୍ରାୟ ୫୦୦ ଜଣ ଆହତ ହୋଇଛନ୍ତି । ଗତ ଦୁଇ ବର୍ଷରେ ବନ୍ୟଜନ୍ତୁ ଆକ୍ରମଣରେ ୫୨୩ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ସେଥିରୁ ୪୪୩ ଜଣଙ୍କ ମୃତୁ୍ୟ କେବଳ ହାତୀ ଆକ୍ରମଣ ଯୋଗୁଁ ଘଟିଛି । ସେହି ସମୟରେ ରାଜ୍ୟରେ ୨୬୪ଟି ହାତୀ ମୃତୁ୍ୟ ମଧ୍ୟ ରେକର୍ଡ ହୋଇଛି । ୨୦୨୪ ଗଣନା ଅନୁସାରେ ୨,୧୦୩ ହାତୀ ସଂଖ୍ୟା ଥିବା ଓଡ଼ିଶାରେ ପ୍ରତି ୧୦୦ ହାତୀ ପିଛା ୧୭ ଜଣ ମଣିଷଙ୍କ ମୃତୁ୍ୟ ଘଟିଛି, ଯାହା ଦେଶରେ ସର୍ବାଧିକ ।
ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ହାତୀ ସୁରକ୍ଷା ଓ ଲୋକମାନଙ୍କ ସୁରକ୍ଷା ପାଇଁ ହାତୀ କରିଡର ଚିହ୍ନଟ, ହାତୀ ଟ୍ରାକିଂ ବ୍ୟବସ୍ଥା, ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ବୃଦ୍ଧି ଓ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପରି ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ ପରିସ୍ଥିତି ଗୁରୁତର ଭାବେ ଅବନତି ଘଟିଛି ।
ସେ ଦାବି କରିଥିଲେ ଯେ ସମସ୍ତ ଚିହ୍ନଟ ହୋଇଥିବା ହାତୀ କରିଡରକୁ ତୁରନ୍ତ ଆଇନଗତ ସୁରକ୍ଷା ପ୍ରଦାନ କରାଯାଉ ଏବଂ ହାତୀ ଆକ୍ରମଣ ଓ ଫସଲ କ୍ଷତିରେ ପ୍ରଭାବିତ ପରିବାରମାନଙ୍କୁ ଯଥେଷ୍ଟ ଓ ସମୟୋପଯୋଗୀ କ୍ଷତିପୂରଣ ଦିଆଯାଉ । ବନ୍ୟଜନ୍ତୁ ସମ୍ୱେଦନଶୀଳ ଅଞ୍ଚଳରେ ଖଣି ଖନନ ଓ ଜଙ୍ଗଲ ଧ୍ୱଂସକୁ ବନ୍ଦ କରାଯାଉ ଏବଂ ହାତୀ ଚଳପ୍ରଚଳ ଅଞ୍ଚଳରେ ନିରୀକ୍ଷଣ ଓ ପୂର୍ବ ସତର୍କତା ବ୍ୟବସ୍ଥା କାର୍ଯ୍ୟକରୀ କରାଯାଉ । ଜନସୁରକ୍ଷା ଓ ପ୍ରଭାବଶାଳୀ ବନ୍ୟଜନ୍ତୁ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଉ ।
ଶ୍ରୀ ମିଶ୍ର ସରକାରଙ୍କୁ ଅନୁରୋଧ କରିଥିଲେ ଯେ ଏହି ଗୁରୁତର ସମସ୍ୟାକୁ କେବଳ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ, ବରଂ ମାନବିକ ଓ ପରିବେଶଗତ ଦୃଷ୍ଟିକୋଣରୁ ବିଚାର କରି ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯାଉ, ଯାହା ମାନବ ଜୀବନ ଓ ବନ୍ୟଜନ୍ତୁ ଉଭୟଙ୍କ ସୁରକ୍ଷା ସୁନିଶ୍ଚିତ କରିପାରିବ ।