ଜାତୀୟ ତାଇକ୍ୱାଣ୍ଡୋରେ ସ୍ୱର୍ଣ୍ଣ ଜିତି ରାଜ୍ୟ ପାଇଁ ଆଣିଲେ ଗୌରବ
ଝାରସୁଗୁଡା, ୨୮ ମଇ : ଝାରସୁଗୁଡା ଜିଲ୍ଲାର ଯୁବ ତାଇକ୍ୱାଣ୍ଡୋ ଖେଳାଳି ବିଦ୍ୟୁତ ବେହେରା ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତି ଜିଲ୍ଲା ସହ ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି। ପଞ୍ଜାବରେ ଗତ ୨୨ ରୁ ୨୪ ମଇ ପର୍ଯ୍ୟନ୍ତ ଆୟୋଜିତ ନବମ ଜାତୀୟ ତାଇକ୍ୱାଣ୍ଡୋ ପ୍ରତିଯୋଗିତାରେ ଓଡିଶା ଦଳ ପକ୍ଷରୁ ଅଂଶଗ୍ରହଣ କରିଥିବା ବିଦ୍ୟୁତ ବେହେରା କ୍ୟୋରୁଗି ଜୁନିୟର ୫୪ କିଲୋଗ୍ରାମ ବର୍ଗରେ ଅସାଧାରଣ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
ଆଜି ପଞ୍ଜାବରୁ ଫେରିବା ପରେ ବିଦ୍ୟୁତ ନିଜ ପ୍ରଶିକ୍ଷକଙ୍କ ସହ ଝାରସୁଗୁଡା ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ କ୍ରୀଡାପ୍ରେମୀ, ସ୍ଥାନୀୟ ଅଞ୍ଚଳବାସୀ ଓ ଏକାଡେମୀ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଦ୍ୟୁତଙ୍କ ଏହି ସଫଳତାକୁ ନେଇ କ୍ରୀଡା ମହଳରେ ଖୁସିର ଲହରୀ ଖେଳିଯାଇଛି।ବିଦ୍ୟୁତଙ୍କ ଏହି ଜୟର ପଛରେ ତାଙ୍କର କଠିନ ପରିଶ୍ରମ, ନିୟମିତ ଅଭ୍ୟାସ ଓ ଦୃଢ଼ ମନୋବଳ ରହିଥିବା କୁହାଯାଉଛି।ଏହି ସଫଳତା ପଛରେ ପ୍ରଶିକ୍ଷକ ମନୀଷ ମହାନ୍ତି ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ବିଦ୍ୟୁତ୍ କହିଛନ୍ତି । ତାଙ୍କର ସଠିକ୍ ପ୍ରଶିକ୍ଷଣ ଓ ନିର୍ଦ୍ଦେଶନାରେ ବିଦ୍ୟୁତ ଏହି ସଫଳତା ହାସଲ କରିପାରିଥିବା କଥା ଏକାଡେମୀ ପକ୍ଷରୁ କୁହାଯାଇଛି। ବିଦ୍ୟୁତ ବେହେରାଙ୍କ ଏହି ଉପଲବ୍ଧି ପାଇଁ ବିଭିନ୍ନ କ୍ରୀଡା ସଂଗଠନ, ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି। ସ୍ୱର୍ଣ୍ଣ ପଦକ ବିଜେତା ବିଦ୍ୟୁତ୍ ଙ୍କ ପିତା ନିର୍ମଳ ସାହୁ ଓ ମାତା ବିଜୟା ସାହୁ ଅଟନ୍ତି ଓ ତାଙ୍କ ଘର ବ୍ରଜରାଜନଗର ନୂଆଁଡିହି ଗ୍ରାମରେ ଅଟେ l ବିଦ୍ୟୁତ୍ କୋଲାବିରାରେ ରହି ମାମୁଁ ଘରେ ରହି ଅଜା ତେଜରାଜ ସାହୁ ଙ୍କ ତତ୍ତ୍ଵାବଧାନରେ ପାଠ ପଢୁଛନ୍ତି l