ଭିନ୍ନକ୍ଷମ ଦେବବ୍ରତଙ୍କୁ ପରିବାରକୁ ହସ୍ତାନ୍ତର କଲା ଓଡ଼ଗାଁ ପୋଲିସ,

0 1

ଶୁକ୍ରବାର ଥାନାରୁ ବାଇକ୍ ନେବାକୁ ଆସିଲେ ପରିବାର ଲୋକେ

ଓଡ଼ଗାଁ, ୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସର ମାନବୀୟ କାର୍ଯ୍ୟ ପାଇଁ ଦୀର୍ଘଦିନ ଧରି ରାଜରାସ୍ତାରେ ଗାଁକୁ ଗାଁ ଉତ୍ପାତ କରି ଘୁରି ବୁଲୁଥିବା ନିଖୋଜ ମାନସିକଧାରୀ ଭିନ୍ନକ୍ଷମ ଯୁବକ ନିଜ ପରିବାରରେ ସମ୍ମିଳିତ ହୋଇପାରିଛନ୍ତି । ପୁଅକୁ ଫେରି ପାଇ ପରିବାର ଲୋକେ ଆନନ୍ଦ ବ୍ୟକ୍ତ କରିବା ସହ ଓଡ଼ଗାଁ ପୋଲିସର କାର୍ଯ୍ୟପାଇଁ କୃତଜ୍ଞତା ଜଣାଇଛନ୍ତି। ପ୍ରାୟ ୧୫ରୁ ଉର୍ଦ୍ଧ୍ବ ଦିନଧରି କେବଳ ଗୋଟିଏ ପୁରାପ୍ୟାଣ୍ଟ ସହିତ କାନ୍ଧରେ ପଇତା ଟିଏ ପକାଇ ରାଗ ଜର୍ଜରିତ ଶୈଳୀରେ ଓଡ଼ଗାଁ ଏନଏସି ସହ ବ୍ଲକର ନନ୍ଦିଘୋର, କୋମଣ୍ଡ, ରୋହିବାଙ୍କ ଓ କୁରାଳ ଅଞ୍ଚଳରେ ଉତ୍ପାତ ମଚାଇ ଲୋକଙ୍କୁ ଗୋଡ଼ାଇ ମାରିବାକୁ ଉଦ୍ୟମ କରି ଆତଙ୍କ ସୃଷ୍ଟି କରୁଥିଲେ। ସୂଚନା ପାଇ ଓଡ଼ଗାଁ ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ତାଙ୍କୁ ଖାଦ୍ୟ, ପାଣି ଓ ପୋଷାକ ଯୋଗାଇ ଦେବା ସହିତ ସତର୍କତାର ସହ ସମସ୍ତ ଯତ୍ନ ନିଆଯାଉଥିଲା। ପରେ ନିଜ ନାମ କହିପାରୁ ନଥିବା ଯୁବକ ଜଣକ ପୋଲିସ ପୋଷାକ ଦେଖି “ସୌମ୍ୟ ରଞ୍ଜନ” ନାମକ ଜଣେ ପୋଲିସ ଅଧିକାରୀଙ୍କ ନାମ କହିଥିଲେ। ଏହାକୁ ଆଧାର କରି ଏସଆଇ ଚକ୍ରଧର ସିଂ ଯୁବକଙ୍କ ପରିଚୟ ଖୋଜିବାରେ ସଫଳ ହୋଇଥିଲେ। ତଦନ୍ତରୁ ଯୁବକ ଜଣକ କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳର ଦତ୍ତ ହରିଚନ୍ଦନଙ୍କ ପୁଅ ଦେବବ୍ରତ ହରିଚନ୍ଦନ (୪୨) ବୋଲି ଜଣାପଡ଼ିଥିଲା। ପରେ ବାରଙ୍ଗ ଥାନା ମାଧ୍ୟମରେ ପରିବାରକୁ ସୂଚନା ଦିଆଯାଇଥିଲା। ଖବର ପାଇ ପରିବାର ଲୋକେ ଓଡ଼ଗାଁ ଥାନାରେ ପହଞ୍ଚିବା ପରେ ପୋଲିସ ଦେବବ୍ରତଙ୍କୁ ହସ୍ତାନ୍ତର କରିଥିଲେ। ପୁଅ ଘରକୁ ଫେରିବା ପରେ ଦେବବ୍ରତ ଙ୍କ ବାପା, ମା’, ଭାଇ ଓ ଭଉଣୀ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ଓଡ଼ଗାଁ ପୋଲିସର ସହଯୋଗ ସର୍ବଦା ସ୍ମରଣୀୟ ରହିବ ବୋଲି କହିଥିଲେ। ଦେବବ୍ରତ ଆସିବା ସମୟରେ ଆଣିଥିବା ଓଡି–୦୫–ଏଭି–୫୫୩୧ ନମ୍ବର ବିଶିଷ୍ଟ ବାଇକକୁ ପାଇ ଓଡ଼ଗାଁ ପୋଲିସ ଥାନାରେ ରଖିଥିଲେ। ପରିବାର ଲୋକେ ଶୁକ୍ରବାର ବାଇକ୍‌ଟି ନେବାକୁ ଆସିଥିବା ଜଣାପଡ଼ିଛି।

Leave A Reply

Your email address will not be published.