ଝାରସୁଗୁଡା ବିମାନବନ୍ଦର ଥାନା ପୋଲିସର ତତ୍ପରତା, ପକ୍ସୋ ଆଇନରେ ମାମଲା
ଝାରସୁଗୁଡା, ୨୧ ମଇ: ଝାରସୁଗୁଡା ଜିଲ୍ଲାରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଝାରସୁଗୁଡା ବିମାନବନ୍ଦର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବେ ବୁରୋମାଲ ଅଞ୍ଚଳର ରାଜା ବେସନ (୨୪)ଙ୍କୁ ଚିହ୍ନଟ କରିଥିବାବେଳେ ତାଙ୍କ ସମ୍ପର୍କୀୟ ଭଉଣୀ ତୃପ୍ତି ନାୟକ (୧୯) ଓ ସାଙ୍ଗ ଆକାଶ ପ୍ରଧାନ (୨୦)ଙ୍କୁ ମଧ୍ୟ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ନାବାଳିକାଙ୍କ ପିଉସିଙ୍କ ଲିଖିତ ଅଭିଯୋଗ ଆଧାରରେ ୧୮ ମଇରେ ଝାରସୁଗୁଡା ବିମାନବନ୍ଦର ଥାନାରେ ପକ୍ସୋ ଆଇନ ଓ ବିଏନଏସର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିଲା। ପରେ ୧୯ ମଇରେ ନାବାଳିକାଙ୍କ ବୟାନ ରେକର୍ଡ ଓ ଡାକ୍ତରୀ ପରୀକ୍ଷା ପରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଝାରସୁଗୁଡା ଏସପି ଜି.ଆର. ରାଘବେନ୍ଦ୍ର କହିଛନ୍ତି ଯେ, ଘଟଣାଟି ୧୭ ମଇ ସନ୍ଧ୍ୟାରେ ଘଟିଥିଲା। ସେହିଦିନ ନାବାଳିକା ତାଙ୍କ ଜେଜେବାପା ଙ୍କ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ଏହି ସମୟରେ ତୃପ୍ତି ନାୟକ ନାବାଳିକାଙ୍କୁ ଚା ପିଇବା ନାମରେ ହସ୍ପିଟାଲ ନିକଟର ଏକ ଚା ଦୋକାନକୁ ନେଇଥିଲେ।
ପୋଲିସ ଅଭିଯୋଗ ଅନୁଯାୟୀ, ସେଠାରେ ପୂର୍ବରୁ ଉପସ୍ଥିତ ଥିବା ରାଜା ବେସନ ଜବରଦସ୍ତି ନାବାଳିକାଙ୍କୁ ନିକଟସ୍ଥ ଶାଗୁଆନ ଜଙ୍ଗଳକୁ ନେଇଯାଇଥିଲେ। ସେଠାରେ ଆକାଶ ପ୍ରଧାନ ଓ ତୃପ୍ତି ନାୟକଙ୍କ ସହଯୋଗରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ପୋଲିସ କହିଛି।
ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ରାଜା ବେସନ ଓ ନାବାଳିକା ପୂର୍ବରୁ ପରସ୍ପରକୁ ଜାଣୁଥିଲେ। କିଛି ବିବାଦ ପରେ ନାବାଳିକା ରାଜାଙ୍କୁ ଏଡ଼ାଇ ଚାଲୁଥିବାବେଳେ ତୃପ୍ତି ନାୟକଙ୍କ ମାଧ୍ୟମରେ ତାଙ୍କୁ ଡାକି ନିଆଯାଇଥିଲା।
ଗିରଫ ପରେ ତିନିଜଣ ଅଭିଯୁକ୍ତଙ୍କୁ ଅଦାଲତକୁ ପଠାଯାଇଥିଲା ଏବଂ ଅଦାଲତ ସେମାନଙ୍କୁ ନ୍ୟାୟିକ ହିରାସତକୁ ପଠାଇଛନ୍ତି। ପୋଲିସ କହିଛି ଯେ, ମାମଲାଟିକୁ ଫାସ୍ଟ ଟ୍ରାକ୍ରେ ଚାଲାଇ ଅଭିଯୁକ୍ତମାନଙ୍କ ବିରୋଧରେ ଶୀଘ୍ର ଦୋଷ ସାବ୍ୟସ୍ତ କରିବାକୁ ପ୍ରୟାସ କରାଯିବ।