କୁଚିଣ୍ଡା,(ଅଜୟ କୁମାର ବାଘ): ସାଇବର ଠକେଇର ନୂଆ ଚାଳ ଏବେ ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛି। ଗ୍ୟାସ ବୁକିଙ୍ଗ ନାଁରେ ଓଟିପି ମାଗି ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ୩୬ ହଜାରରୁ ଅଧିକ ଟଙ୍କା ଲୁଟିନେଇଥିବା ଘଟଣା ବାମରା ବ୍ଲକ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ପୀଡ଼ିତ ବ୍ୟକ୍ତି ଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଟାଙ୍ଗରମୁଣ୍ଡା ଗ୍ରାମର ଅକ୍ଷୟ ସେଠଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଗ୍ୟାସ ଏଜେନ୍ସି କର୍ମଚାରୀ ବୋଲି ପରିଚୟ ଦେଇ ଗ୍ୟାସ ଟାଙ୍କି ବୁକିଙ୍ଗ ପାଇଁ ମୋବାଇଲକୁ ଆସିଥିବା ଓଟିପି ନମ୍ବର କହିବାକୁ ଅନୁରୋଧ କରିଥିଲେ। ଠକେଇ ବିଷୟରେ ଅବଗତ ନଥିବା ଅକ୍ଷୟ ତାଙ୍କ କଥାରେ ବିଶ୍ୱାସ କରି ଓଟିପି ସେୟାର କରିଦେଇଥିଲେ।
ଓଟିପି ମିଳିବା ପରେ ସାଇବର ଠକମାନେ କିଛି ସମୟ ମଧ୍ୟରେ ଅକ୍ଷୟଙ୍କ ବ୍ୟାଙ୍କ ଖାତାରୁ ବିଭିନ୍ନ ପର୍ଯ୍ୟାୟରେ ୩୨ ହଜାର ୫ ଶହ ଟଙ୍କା ଲୁଟିନେଇଥିଲେ। ତେବେ ଘଟଣା ଏଠାରେ ଥମିନଥିଲା। ପରଦିନ ପୁଣି ସେହି ନମ୍ବରରୁ ଫୋନ୍ ଆସିଥିବା ବେଳେ ଅକ୍ଷୟଙ୍କ ସ୍ତ୍ରୀ ଫୋନ୍ ରିସିଭ୍ କରିଥିଲେ। ପୂର୍ବ ଦିନର ଠକେଇ ବିଷୟରେ ଅବଗତ ନଥିବାରୁ ସେ ମଧ୍ୟ ଫୋନ୍ କରୁଥିବା ବ୍ୟକ୍ତିଙ୍କୁ ଓଟିପି ଦେଇଦେଇଥିଲେ। ଏହାପରେ ତାଙ୍କ ଖାତାରୁ ଆହୁରି ୪ ହଜାର ଟଙ୍କା କଟିଯାଇଥିଲା। ମୋବାଇଲକୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ମେସେଜ ଆସିବା ପରେ ଅକ୍ଷୟ ନିଜେ ସାଇବର ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ପରେ ସେ ତୁରନ୍ତ ଗୋବିନ୍ଦପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଥିବା ବେଳେ ମୋବାଇଲ ନମ୍ବର ଓ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ର ତଥ୍ୟ ଆଧାରରେ ସାଇବର ଠକଙ୍କୁ ଚିହ୍ନଟ କରିବା ପ୍ରୟାସ ଚାଲିଥିବା ସୂଚନା ମିଳିଛି।
ଏହି ଘଟଣା ପରେ ଗୋବିନ୍ଦପୁର ଥାନା ପକ୍ଷରୁ ସାଧାରଣ ଲୋକଙ୍କୁ ସାଇବର ସଚେତନତା ବାର୍ତ୍ତା ଦିଆଯାଇଛି। ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି ଯେ, ବ୍ୟାଙ୍କ, ଗ୍ୟାସ ଏଜେନ୍ସି, ଆଧାର, ପାନ୍ କାର୍ଡ କିମ୍ବା କୌଣସି ସରକାରୀ ସଂସ୍ଥା କେବେ ମଧ୍ୟ ଫୋନ୍ କରି ଓଟିପି, ଏଟିଏମ୍ ପିନ୍, ସିଭିଭି ନମ୍ବର କିମ୍ବା ବ୍ୟାଙ୍କ ତଥ୍ୟ ମାଗନ୍ତି ନାହିଁ। ଅଜଣା ନମ୍ବରରୁ କଲ୍ ଆସିଲେ କୌଣସି ପ୍ରକାରର ଗୋପନୀୟ ସୂଚନା ସେୟାର ନ କରିବାକୁ ସେ ଅନୁରୋଧ କରିଛନ୍ତି।
ସେ ଆହୁରି କହିଛି ଯେ, ଯଦି କାହାରି ସହ ଏପରି ସାଇବର ଠକେଇ ଘଟେ, ତେବେ ସେମାନେ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରନ୍ତୁ କିମ୍ବା ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ। ସମୟ ମଧ୍ୟରେ ଅଭିଯୋଗ କଲେ ଲୁଟ ହୋଇଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଥାଏ। ଏହା ସହିତ ଅଜଣା ଲିଙ୍କ୍, ଫେକ୍ ଆପ୍ ଓ ସନ୍ଦେହଜନକ ଫୋନ୍ କଲ୍ରୁ ସତର୍କ ରହିବାକୁ ଗୋବିନ୍ଦପୁର ଥାନା ପକ୍ଷରୁ ପରାମର୍ଶ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.