ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା ସଭା,କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ ସମ୍ମାନିତ

0 2

କୋଲାବିରା: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୋଲାବିରା ବ୍ଲକର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ବିଦ୍ୟାର୍ଥୀ ଓ ବିଦ୍ୟାଳୟଗୁଡ଼ିକୁ ଶିକ୍ଷା ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ଲକର ମୋଟ ୨୮ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ ପାଇଥିବା ବେଳେ ୧୨ଟି ବିଦ୍ୟାଳୟ ଶତପ୍ରତିଶତ ପାସ୍ ହାର ବଜାୟ ରଖିଛନ୍ତି। ଏହି ଉପଲକ୍ଷେ ସମାସିଂହା ସ୍ଥିତ କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗତ ଶନିବାର ଦିନ ଏକ ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି।​ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷାଧିକାରୀ ଡ଼.ରାଧାକାନ୍ତ ଗର୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏହି ସମ୍ବର୍ଦ୍ଧନା କେବଳ ପୁରସ୍କାର ନୁହେଁ, ବରଂ ପିଲାଙ୍କ ପରିଶ୍ରମ ଓ ଅନୁଶାସନର ପ୍ରତିଫଳନ। ଛାତ୍ରଛାତ୍ରୀମାନେ ନିଜର ଜ୍ଞାନ ଓ ସଂସ୍କାର ଦ୍ୱାରା ଦେଶକୁ ଗୌରବାନ୍ୱିତ କରିବା ଆବଶ୍ୟକ। ସଭାରେ ମୁଖ୍ୟବକ୍ତା ଭାବେ ବେଦାନ୍ତର ସୌମ୍ୟ ମାତାମ ଏବଂ ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ବିଇଓ ଅନିଲ କୁମାର ପଟେଲ, କିର୍ମିରା ବିଇଓ ଜୟନାରାୟଣ ପଣ୍ଡା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିରୋଜ କୁମାର ପଟେଲ ପ୍ରମୁଖ ଯୋଗ ଦେଇଥିଲେ।ଅତିଥିମାନେ ଜିଲ୍ଲାରେ କ୍ଷୀରୋଦ ଗୌନ୍ତିଆ ବାଳିକା ଉଚ୍ଚ ବିଦ୍ୟାଳୟର ସଫଳତାକୁ ଭୂୟସୀ ପ୍ରଶଂସା କରିଥିଲେ। ଚଳିତ ବର୍ଷ ଏହି ବିଦ୍ୟାଳୟର ୯୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ଜଣ ଛାତ୍ରୀ ଏ-୧ ଗ୍ରେଡ୍ ପାଇ ବ୍ଲକର ଶୀର୍ଷରେ ରହିଛନ୍ତି।ଏହି ଅବସରରେ ଏ-୧ ପାଇଥିବା କ୍ଷୀରୋଦ ଗୌନ୍ତିଆ ହାଇସ୍କୁଲର ୨୨ ଜଣ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪ ଜଣ, ରଘୁନାଥପାଲି ହାଇସ୍କୁଲର ଜଣେ ଓ ସୋଢ଼ାମାଲ ସରକାରୀ ହାଇସ୍କୁଲର ଜଣେ ଛାତ୍ରଙ୍କ ସମେତ ଏ-୨ ଗ୍ରେଡ୍ ପାଇଥିବା ୯୬ ଜଣଙ୍କୁ ମିଶାଇ ମୋଟ ୧୫୬ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପିତାମାତାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ୧୦୦ ପ୍ରତିଶତ ରେଜଲ୍ଟ କରିଥିବା ୧୨ଟି ବିଦ୍ୟାଳୟ ଏବଂ ବ୍ଲକର ୨୦ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷା ବିଭାଗ ଓ ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସିଆରସିସି ସହଯୋଗ କରିଥିଲେ।

Leave A Reply

Your email address will not be published.