ଝାରସୁଗୁଡ଼ାରେ ଭାଜପା ମହିଳା ମୋର୍ଚ୍ଚାର ଜନ ଆକ୍ରୋଶ ସମାବେଶ

0 1

ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ, ପଦଯାତ୍ରାରେ ଶତାଧିକ ମହିଳାଙ୍କ ସାମିଲ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ପକ୍ଷରୁ ରବିବାର ଝାଡ଼େଶ୍ୱର ମଣ୍ଡଳ ଅଞ୍ଚଳରେ ଏକ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହିଳା ବିଲକୁ ବିରୋଧ କରାଯାଇଥିବା ପ୍ରସଙ୍ଗକୁ ନେଇ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ରବିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ସ୍ଥାନୀୟ କାଳୀ ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରା ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ ଓ ନେତୃବୃନ୍ଦ ସାମିଲ ହୋଇ ବିରୋଧୀ ଦଳଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ।

ପରେ ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଭାଜପା ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ସଂସଦରେ ମହିଳା ବିଲକୁ ବିରୋଧ କରି ମହିଳାମାନଙ୍କ ସ୍ୱାଭିମାନକୁ ଆଘାତ କରାଯାଇଛି ବୋଲି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଥିଲା।

ଏହି ସମାବେଶରେ ମହିଳା ନେତ୍ରୀ ରୁବି ମହାନ୍ତି, ସୁଦେଶନା ମହାପାତ୍ର, ଦୋଷିଲା ମାଝୀ, ମମତା ପଟେଲ, ଅନିତା ପ୍ରଧାନ, ସୁଲୋଚନା ପ୍ରଧାନ, ସ୍ୱୀଟି ଗୌଡ଼, ବେବି ତନ୍ତୀ, କୁନି ମଲ୍ଲିକ, କଳ୍ପନା ମାଝୀ, ବନ୍ଦନା ମୁନ୍ଦ୍ରା ଓ ତରଙ୍ଗ ଦୁବେ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଝାଡ଼େଶ୍ୱର ମଣ୍ଡଳ ସଭାପତି ବିମଳେନ୍ଦୁ ଭୋଲ, ରାଜେନ୍ଦ୍ର ସା, ପ୍ରେମସେନ ରାୟ ଓ ବିବେକ ଶ୍ରୀବାସଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.