ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରି ନାରୀମାନେ ଭକ୍ତିଭାବରେ ପାଳିଲେ ସାବିତ୍ରୀ ବ୍ରତ

0 2

ଓଡ଼ଗାଁ, ୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ହିନ୍ଦୁ ପରମ୍ପରା ଓ ଆସ୍ଥାର ପ୍ରତୀକ ପବିତ୍ର ସାବିତ୍ରୀ ବ୍ରତ ଶନିବାର ଭକ୍ତିମୟ ପରିବେଶରେ ପାଳିତ ହୋଇଛି। ସ୍ୱାମୀଙ୍କ ଦୀର୍ଘାୟୁ ଓ ସୁଖମୟ ଜୀବନ କାମନା କରି ସଧବା ନାରୀମାନେ ଉପବାସ ରହି ବିଭିନ୍ନ ମନ୍ଦିର ଓ ଘରୋଇ ପରିବେଶରେ ପୂଜାର୍ଚ୍ଚନା କରିଥିଲେ।
ଓଡ଼ଗାଁର ସାବିତ୍ରୀ ମନ୍ଦିରରେ ପ୍ରଭାତରୁ ସଧବା ନାରୀମାନଙ୍କ ଭିଡ଼ ଲାଗି ରହିଥିଲା। ନୂଆ ବସ୍ତ୍ର, ସିନ୍ଦୁର, ଚୁଡ଼ି, ଫଳ ଓ ଫୁଲ ଧରି ସେମାନେ ମନ୍ଦିରକୁ ଆସି ପୂଜକଙ୍କ ଦ୍ୱାରା ଭୋଗ ଲଗାଇ ପୂଜା କରିଥିଲେ। ମନ୍ଦିର ପରିସର ଭକ୍ତିମୟ ମାହୋଲରେ ମୁଖରିତ ହୋଇଯାଇଥିଲା। ସେହିପରି କେତେକ ଘରେ ପରମ୍ପରା ଅନୁଯାୟୀ ସଧବା ନାରୀମାନେ ଏକତ୍ରିତ ହୋଇ ଶିଳ ଓ ଶିଳପୁଆକୁ ସତ୍ୟବାନ–ସାବିତ୍ରୀ ରୂପେ ସଜାଇ ପୂଜା କରିଥିଲେ। ପ୍ରଥମେ ପଞ୍ଚାମୃତ ଜଳରେ ସ୍ନାନ କରାଇ ବଟା ହଳଦୀରେ ସତ୍ୟବାନ ଓ ସାବିତ୍ରୀଙ୍କ ରୂପ ଦିଆଯାଇଥିଲା। ପରେ ନୂତନ ବସ୍ତ୍ର ଓ ଅଳଙ୍କାର ପିନ୍ଧାଇ ଧୂପ, ଦୀପ, ପୁଷ୍ପ ଓ ନୈବେଦ୍ୟ ଅର୍ପଣ କରାଯାଇଥିଲା। ବ୍ରତଧାରୀ ନାରୀମାନେ ଉପବାସ ରହି ପ୍ରଭୁଙ୍କ ନିକଟରେ ସ୍ୱାମୀଙ୍କ ସୁସ୍ଥତା ଓ ମଙ୍ଗଳ କାମନା କରିଥିଲେ। ଜୀବନର ଶେଷ ଯାତ୍ରା ପର୍ଯ୍ୟନ୍ତ ପତିଙ୍କ ସହ ସାଥି ହୋଇ ରହିବା ପାଇଁ ସେମାନେ ପ୍ରାର୍ଥନା କରିଥିଲେ। ଓଡ଼ଗାଁର ଶ୍ରୀରଘୁନାଥ ଜିଉଙ୍କ ପୀଠ ଓ ଲକ୍ଷ୍ମୀ ମନ୍ଦିର, ଗୟଳ ସିଂହ ମନ୍ଦିର ସହ ଅଞ୍ଚଳରେ ବିଭିନ୍ନ ମନ୍ଦିର ପରିସରରେ ଥିବା ସତ୍ୟବାନ–ସାବିତ୍ରୀ ମନ୍ଦିରରେ ମଧ୍ୟ ସକାଳୁଠାରୁ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳିଥିଲା। ଶୃଙ୍ଖଳାବଦ୍ଧ ଭାବେ ପୂଜାର୍ଚ୍ଚନା ସରିବା ପରେ ସମସ୍ତେ ଘରକୁ ଫେରି ସ୍ବାମୀଙ୍କୁ ସମ୍ମାନ ଜଣାଇ ପ୍ରସାଦ ସେବନ କରିଥିଲେ ।

Leave A Reply

Your email address will not be published.