ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଝାରସୁଗୁଡ଼ାରେ ବିଜେଡିର ବିକ୍ଷୋଭ

0 2

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ, ଭାଜପା ସରକାର ବିରୋଧରେ ନାରାବାଜି

ଝାରସୁଗୁଡ଼ା, ଗୁରୁବାର: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ପରୀକ୍ଷା ବାତିଲ୍‌କୁ ନେଇ ସାରା ଦେଶରେ ଅସନ୍ତୋଷ ଜାରି ରହିଥିବା ବେଳେ ଝାରସୁଗୁଡ଼ାରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁବାର ଏକ ତୀବ୍ର ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।

ସହରର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆୟୋଜିତ ପ୍ରତିବାଦ ସଭାରେ ବିଜେଡି କର୍ମକର୍ତ୍ତାମାନେ କେନ୍ଦ୍ରର ଭାଜପା ସରକାରଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଥିବା ସହ ସେମାନେ ମାନସିକ ଆଘାତର ସମ୍ମୁଖୀନ ହୋଇଥିବା ବୋଲି ବିଜେଡି ନେତୃବୃନ୍ଦ ଅଭିଯୋଗ କରିଥିଲେ।

ଏହି ଅବସରରେ ବିଜେଡି କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘଟଣା ପାଇଁ ଦାୟୀ କରି ତାଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଇଥିବାରୁ କେନ୍ଦ୍ର ସରକାର ଯୁବ ସମାଜର ଆସ୍ଥା ହରାଇ ସାରିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।

ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ପୂର୍ବତନ ଜିଲ୍ଲା ସଭାପତି ରବି ସିଂ, ପୌରାଧ୍ୟକ୍ଷା ରାନି ହାତୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ଅଶୋକ ଦାସ, ତୁଳସୀ ଦାସ, ମଦନ ହାତୀ, ଆଲୋକ ତ୍ରିପାଠୀ, ପବନ ଶର୍ମାଙ୍କ ସହ ଜିଲ୍ଲା ବିଜେଡି ଛାତ୍ର ସଭାପତି ଶିବାଶିଷ ପଟ୍ଟନାୟକ, କାହ୍ନା ପୋଢ଼, ସମ୍ବିତ ମିଶ୍ର, ପୁରୁଷୋତ୍ତମ ନାଏକ ଓ ମଣ୍ଟୁ ନାଏକ ପ୍ରମୁଖ ଯୋଗଦେଇଥିଲେ।

ବିକ୍ଷୋଭ ଶେଷରେ ନିଟ୍ ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.