ଓଡଗାଁ, ୧୧।୫ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲାର ପବିତ୍ର ଧାର୍ମିକ ପୀଠ ଓଡଗାଁରେ ବିଜେ ଶ୍ରୀଶ୍ରୀ ରଘୁନାଥ ଜିଉଙ୍କ ପାରମ୍ପରିକ ଭଉଁରୀ ଯାତ୍ରା ଓ ଚାଚେରୀ ଭୋଗ ନୈବେଦ୍ୟ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧା ଓ ଆଡ଼ମ୍ବରର ସହ ସମ୍ପନ୍ନ ହୋଇଯାଇଛି। ଓଡଗାଁର ପ୍ରାଚୀନ ଧାର୍ମିକ ପରମ୍ପରାରେ ୧୨ ମାସରେ ୧୩ ପର୍ବ ମଧ୍ୟରୁ ଏହି ଭଉଁରୀ ଯାତ୍ରା ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛି। ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପରୁ ପ୍ରଭୁଙ୍କୁ ଶୀତଳତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇ ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ପାଳିତ ହୋଇଥାଏ। ପ୍ରତିଦିନ ଅପରାହ୍ନରେ ପ୍ରଭୁ ଶ୍ରୀ ରଘୁନାଥ ଜିଉ, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ଚଳନ୍ତି ପ୍ରତିମା ସୁସଜ୍ଜିତ ବିମାନରେ ବିଜେ କରି ରାମସାଗର ପୁଷ୍କରିଣୀ ମଣ୍ଡପକୁ ଯାଇଥାନ୍ତି। ସେଠାରେ ଭୋଗ ନୈବେଦ୍ୟ, ଆଳତି ବନ୍ଦାପନା ଓ ପବିତ୍ର ନୌକାବିହାର ପରେ ପ୍ରଭୁ ଭକ୍ତମାନଙ୍କ ଗୃହରୁ ଚାଚେରୀ ଭୋଗ ଗ୍ରହଣ କରିଥାନ୍ତି।
ଗତ ରବିବାର ୨୧ ଦିନିଆ ଚନ୍ଦନଯାତ୍ରାର ସମାପନ ଅବସରରେ ଶ୍ରୀ ରଘୁନାଥ ଜିଉ, ମାତା ସୀତା, ଅନୁଜ ଲକ୍ଷ୍ମଣଙ୍କ ସହ ରାମେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଙ୍କ ଚଳନ୍ତି ପ୍ରତିମା ଏକତ୍ରିତ ଭାବେ ଚାପଖେଳି ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଥିଲେ। ଏହି ପବିତ୍ର ଅବସରରେ ମନ୍ଦିର ଅହୋରାତ୍ର ଖୋଲା ରହିଥିଲା ଏବଂ ଅସଂଖ୍ୟ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ଲାଭ କରି ଧନ୍ୟ ହୋଇଥିଲେ।
ସୋମବାର ପ୍ରଭାତରୁ ସମସ୍ତ ଦେବାଦେବୀ ସ୍ୱତନ୍ତ୍ର ବିମାନରେ ନଗର ପରିକ୍ରମା କରି ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ପୂର୍ବ ଅନୁମତିପ୍ରାପ୍ତ ଗୃହଗୁଡ଼ିକୁ ବିଜେ କରି ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ବର୍ଷକୁ ଥରେ ଆସୁଥିବା ଏହି ଦୁର୍ଲଭ ଅବସର ପାଇଁ ଭକ୍ତମାନେ ଅତ୍ୟନ୍ତ ଆଗ୍ରହର ସହ ଅପେକ୍ଷା କରିଥାନ୍ତି। ଭୋଗସ୍ଥଳୀକୁ ପରିଷ୍କାର ପରିଚ୍ଛନ୍ନ କରି ଚିତାକାଟି ସୁସଜ୍ଜିତ କରାଯାଇଥିବା ବେଳେ ଫଳ, କାକରା, ଖଇ, ବୁନ୍ଦି ଓ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ପ୍ରଭୁଙ୍କୁ ନୈବେଦ୍ୟ ଭାବେ ଅର୍ପଣ କରାଯାଇଥିଲା। ସମସ୍ତ ସ୍ଥାନରୁ ଭୋଗ ଗ୍ରହଣ ପରେ ପ୍ରଭୁ ଶ୍ରୀ ରଘୁନାଥ ସମସ୍ତ ଦେବାଦେବୀଙ୍କ ସହ ଛତିତ୍ରାସ, ବାଜାବାଣ ଓ ହରିବୋଲ ଧ୍ୱନି ମଧ୍ୟରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଭୁଙ୍କ ଏହି ପବିତ୍ର ମାନବୀୟ ଲୀଳା ଓ ନଗର ଭ୍ରମଣ ସମଗ୍ର ଓଡଗାଁକୁ ଏକ ଅଲୌକିକ ଭକ୍ତିମୟ ଉତ୍ସବରେ ପରିଣତ କରିଥିଲା। ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକତାର ଏହି ଅନନ୍ୟ ସମାଗମ ଓଡଗାଁର ସମୃଦ୍ଧ ଧାର୍ମିକ ପରମ୍ପରାକୁ ଉଜାଗର କରିବାରେ ସହାୟକ ହୋଇପାରିଛି।
Sign in
Sign in
Recover your password.
A password will be e-mailed to you.