ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,, ତା ୧୧/୦୫ : ମାଲକାନଗିରି ଜିଲ୍ଲାର କାଲିମେଳା ଓ ଏମ୍ଭି-୭୯ କେନ୍ଦୁପତ୍ର ରେଞ୍ଜ ଅଧୀନରେ ଥିବା ସରକାରୀ ଓ ଘରୋଇ ଫଡ଼ିରେ କେନ୍ଦୁପତ୍ର କିଣା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପଟେ ବେପାରୀମାନେ ଚୋରାରେ ଛତିଶଗଡ଼ରୁ କେନ୍ଦୁପତ୍ର କିଣି ମାଲାମାଲ ହେଉଛନ୍ତି । କେନ୍ଦୁପତ୍ର ଚାଲାଣର ଗଳାବାଟ ପାଲଟିଛି ସାବେରୀ ନଦୀ । ପଡିଆ ବ୍ଲକ ସୀମାନ୍ତକୁ ଛତିଶଗଡ଼ ରାଜ୍ୟ ଲାଗିଥିବାରୁ ଓଡ଼ିଶାର ବେପାରୀ ମାନେ ଚୋରାରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର କମ୍ ଦରରେ କିଣି ସାବେରୀ ନଦୀର ବିଭିନ୍ନ ଘାଟ ଦେଇ ଚାଲାଣ କରି ମାଲାମାଲ ହେଉଛନ୍ତି। ଛତିଶଗଡ଼ର ଏରାବୁର ନଦୀ ଘାଟରୁ ଓଡ଼ିଶାର ତାଣ୍ଡାବାଇ ପଞ୍ଚାୟତ ମେଟାଗୁଡ଼ା ନଦୀ ଘାଟକୁ ଦୈନିକ କେନ୍ଦୁପତ୍ର ଚୋରା ଚାଲାଣ ହେଉଛି। ବେପାରୀମାନେ ଡଙ୍ଗାରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର କିଣି ଏହି ନଦୀ ଘାଟ ଦେଇ ଓଡ଼ିଶା ଭିତରକୁ ଆସୁଥିଲେ ହେଁ ଏଥି ପ୍ରତି କାହାର ନଜର ପଡ଼ୁନି ଅନ୍ୟପଟେ ଡଙ୍ଗାରେ କେନ୍ଦୁପତ୍ର ଚାଲାଣ କରାଯାଉଥିବା ବେଳେ ସେହି ଡଙ୍ଗାରେ ଯିବା ଆସିବା ସମୟରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତକୁ ମାତ୍ର ୪୦ ହଜାର ଟଙ୍କାର ଟିକସ ଦେଇ କୋଟି କୋଟି ଟଙ୍କାର କେନ୍ଦୁପତ୍ର କିଣି ଚାଲାଣ କରୁଛନ୍ତି ବେପାରୀ | କାଲିମେଳା ଓ ପଡିଆ ବ୍ଳକର ଅଧିକାଂଶ ପଂଚାୟତ ରେ ବେପାରୀ ମାନେ ଏଭଳି ଭାବେ କୋଟିକୋଟି ଟଙ୍କାର କେନ୍ଦୁପତ୍ର କିଣି ନେଉଛନ୍ତି। ତୋଳାଳୀ ମାନେ ସରକାରୀ ଫଡ଼ିରେ କେନ୍ଦୁପତ୍ର କମ ବିକ୍ରି କରୁଥିବା ବେଳେ ଘରୋଇ ଫଡ଼ିରେ ଅଧିକ କେନ୍ଦୁପତ୍ର ବିକ୍ରି କରୁଛନ୍ତି। ଚଳିତ ମାସରେ ଏମ୍ଭି-୭୯ କେନ୍ଦୁପତ୍ର ରେଞ୍ଜ ଅଧୀନରେ ମାତ୍ର ୭୦ ପ୍ରତିଶତ କେନ୍ଦୁପତ୍ର କିଣା ଯାଇଥିବା କହିଛନ୍ତି ରେଞ୍ଜର ଆଶୁତୋଷ ସିଂ କିନ୍ତୁ କେନ୍ଦୁପତ୍ର ଚୋରା ଚାଲାଣ ରୋକିବାକୁ ତାଙ୍କର କ୍ଷମତା ନାହିଁ। ଜିଲ୍ଲା ପଞ୍ଚାୟତ ଅଧିକାରୀ କିମ୍ବା ପ୍ରଶାସନ ଚାହିଁଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ଶ୍ରୀ ସିଂ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.