ଖଲିଆପାଲି ପଂଚାୟତ କିରାବାହାଲ ରେ ସମସ୍ୟା ଶୁଣିଲେ ନରସିଂହ

0 2

ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ – ନରସିଂହ

ବଲାଙ୍ଗିର,ତା.୦୭.୦୫.୨୬- ସରକାର ସମାଜର ଅବହେଳିତ, ଭିନ୍ନକ୍ଷମ, ବିଧବା ଙ୍କ ପାଇଁ ବିଭିନ୍ନ ପ୍ରକାର ସରକାରୀ ଯୋଜନା ରଖିଛନ୍ତି କିନ୍ତୁ ଦେଖାଦେଉଛି ଅନେକ ହିତାଧିକାରୀ ସେଥିରୁ ଲାଭ ପାଉ ନାହାନ୍ତି । ଅନେକ ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜର ଆବେଦନ କରିପାରନ୍ତି ନାହିଁ । ଏପରି ସ୍ଥଳେ ବିଭାଗୀୟ କର୍ମଚାରୀମାନେ ତାଙ୍କ ପାଖକୁ ଆସି ଏହି ଯୋଜନାରୁ ଲାଭ ପାଇବା ପାଇଁ ଦରକାର ହେଉଥିବା କାଗଜପତ୍ର ସବୁ ପ୍ରସ୍ତୁତ କରିବା ଦରକାର କିନ୍ତୁ ଆମ ସରକାରୀ କର୍ମଚାରୀ ହୁଅନ୍ତୁ କି ଅଧିକାରୀ ହୁଅନ୍ତୁ ଏଥିରେ ଫେଲ ମାରୁଛନ୍ତି ତେଣୁ ଏହି ଯୋଜନା ଯେଉଁମାନଙ୍କ ପାଇଁ ତିଆରି ହୋଇଛି ସେମାନଙ୍କ ପାଇଁ ସମ୍ବେଦନଶୀଳ ହୋଇ ଜିଲ୍ଲା ପ୍ରଶାସନ କାମ କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଖଲିଆପାଲି ପଂଚାୟତର କିରାବାହାଲ ଠାରେ ଲୋକଙ୍କ ଠାରୁ ଅଭିଯୋଗ ଶୁଣି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବ୍ଲକ ସ୍ତରରେ ଯେତେ ବି ଜନହିତ ଯୋଜନା ଅଛି ଲୋକେ ତାର ସୁବିଧା ପାଉନାହାନ୍ତି । ଉଦାହରଣ ସ୍ୱରୁପ ଏ ଅଂଚଳରେ ଅନେକ ଲୋକ ତାଙ୍କ ଗୃହପାଳିତ ପଶୁ ପାଇଁ ଗୁହାଳ ତିଆରି କରିଛନ୍ତି କିନ୍ତୁ ଦେଖାଯାଉଛି ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ଆସୁଥିବା ଟଙ୍କା ସେମାନେ ପାଇ ପାରୁନାହାନ୍ତି । ଏହି ଯୋଜନାରେ ଶ୍ରମ କାମ ପାଇଁ ଆସୁଥିବା ଟଙ୍କା ଆସିଯାଉଥିବା ବେଳେ ବର୍ଷ ବର୍ଷ ଧରି ସାମଗ୍ରୀ ପାଇଁ ଅନୁଦାନ ଆସୁନାହିଁ ତେଣୁ ଅନେକ ହିତାଧିକାରୀ ଟଙ୍କା ଖର୍ଚ୍ଚ କରି ଘୋର ଅସୁବିଧାରେ ଅଛନ୍ତି । ଏହି ଅଂଚଳରେ ଷ୍ଟ୍ରିଟ ଲାଇଟ ମରାମତି ପାଇଁ ବ୍ଲକ ପ୍ରଶାସନ ମୋଟେ ଧ୍ୟାନ ଦେଉନାହାନ୍ତି ବୋଲି ଲୋକ ଅଭିଯୋଗ କରିଥିଲେ । ପିଇବା ପାଣି ସମସ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗୁଛି । ୨୦୨୪ ନିର୍ବାଚନ ପରବର୍ତ୍ତି ସମୟରୁ ଅଂଚଳର ବିକାଶ ପାଇଁ କୌଣସି ନୂତନ ପ୍ରକଳ୍ପ ଆସୁନଥିବା ଆଲୋଚନାରେ ଲୋକେ କହିଥିଲେ । ଏ ଅଂଚଳର ଜୀବନରେଖା କୁହାଯାଉଥିବା ଛତାମଖନା ବ୍ୟାରେଜ ର ସୌନ୍ଦର୍ଯିକରଣ ତଥା ମାଟି ବନ୍ଧ ପାଇଁ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଉ ନ ଥିବାରୁ ଏ ଅଂଚଳବାସୀଙ୍କ ମନରେ ଧିରେ ଧିରେ ଅସନ୍ତୋଷର ଦାନା ବାନ୍ଧୁଛି । ଏ ସବୁ ଅଭିଯୋଗ ଶୁଣିଲା ପରେ ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ର ନିଶ୍ଚିତ ଭାବରେ ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀମାନଙ୍କ ସହିତ କଥା ହୋଇ ଯେତେ ଶିଘ୍ର ହେବ ଏ ସବୁର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନା ବେଳେ ଶ୍ରୀ ମିଶ୍ରଙ୍କ ବ୍ୟତିତ ଅଂଚଳର ସୁଶିଲ ମହାକୁର, ସୂର୍ଯ୍ୟନାରାୟଣ ବଗର୍ତ୍ତି, ଦିନବନ୍ଧୁ ମହାକୁର, ବାଳଗୋପାଳ ମହାକୁର, ସତ୍ୟନାରାୟଣ ମହାକୁର, ଉମେଶ ବାରିକ ଙ୍କ ସମେତେ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.