ରକ୍ତ ଭଣ୍ଡାରରେ ସ୍ଥାୟୀ ଡାକ୍ତର ଅଭାବ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା: ସିଡିଏମଓଙ୍କୁ ଘେରିଲା ନିଷ୍ଠା ପରିବାର

0 2

ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରକ୍ତ ଭଣ୍ଡାରରେ ଦୀର୍ଘଦିନ ଧରି ଚାଲିଆସୁଥିବା ଅବ୍ୟବସ୍ଥାକୁ ନେଇ ଆଜି ‘ନିଷ୍ଠା ପରିବାର’ ପକ୍ଷରୁ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି। ସଂଗଠନର ସଦସ୍ୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ସହ ଦୁଇଟି ଦାବିପତ୍ର ପ୍ରଦାନ କରି ତତ୍କାଳ ସମାଧାନ ଦାବି କରିଥିଲେ।ସଂଗଠନ ପକ୍ଷରୁ ପ୍ରଶ୍ନ ଉଠିଛି—ରକ୍ତ ଭଣ୍ଡାରରେ ସ୍ଥାୟୀ ବ୍ଲଡ୍ ବ୍ୟାଙ୍କ ଅଧିକାରୀ କାହିଁକି ନାହିଁ? ଅଭିଯୋଗ ଅନୁଯାୟୀ, ଡାକ୍ତର ଚିତ୍ତରଞ୍ଜନ ପଣ୍ଡାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ନିୟମିତ ଭାବେ ଉପସ୍ଥିତ ହେଉନାହାନ୍ତି। ତାଙ୍କ କହିବା ଅନୁଯାୟୀ ଅନ୍ୟାନ୍ୟ ଦାୟିତ୍ୱ ଥିବାରୁ ସେ ସମୟ ଦେଇପାରୁନାହାନ୍ତି। ତେବେ ପ୍ରଶ୍ନଏତେ ଗୁରୁତ୍ୱପୂର୍ଣ୍ଣ ସେବା କେବଳ ନାମକୁ ଚାଲିଛି କି?
ଏହା ସହ ରକ୍ତ ଭଣ୍ଡାରରେ ଦଲାଲମାନଙ୍କ ଦାଖଲ ବଢ଼ୁଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠିଛି। ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କାହିଁକି ନାହିଁ? କେଉଁଠି ହେଉଛି ନିୟନ୍ତ୍ରଣ? ଏନେଇ ସଂଗଠନ କଠୋର ପଦକ୍ଷେପ ଦାବି କରିଛି।ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେବା ବ୍ୟବସ୍ଥା ମଧ୍ୟ ପ୍ରଶ୍ନର ସମ୍ମୁଖୀନ। ରୋଗୀମାନେ ଆସିଲେ ସତେଜ ବୁର୍ଲାକୁ ରେଫର କାହିଁକି? ଏହା କି ଜିଲ୍ଲା ହସ୍ପିଟାଲ ନା କେବଳ ରେଫର ସେଣ୍ଟର? ଏହା ଫଳରେ ଗରିବ ଓ ଦୂରଦୂରାନ୍ତର ରୋଗୀମାନେ ଅସୁବିଧାରେ ପଡ଼ୁଥିବା କୁହାଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମିତ କ୍ୟାନସର ହସ୍ପିଟାଲ ନେଇ ମଧ୍ୟ ପ୍ରଶ୍ନ ବିରାଟ ଭବନ ଥିଲେ ମଧ୍ୟ ସେବା କାହିଁକି ଅଚଳ? ପ୍ରଶିକ୍ଷିତ ଅଙ୍କୋଲୋଜିଷ୍ଟ କେଉଁଠି?ରୋଗୀ ସେବା ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ରକ୍ତ ପରୀକ୍ଷା ପାଇଁ ଘଣ୍ଟା ଘଣ୍ଟା ଲାଇନ କାହିଁକି? ରିପୋର୍ଟ ଆସିଲେ ଡାକ୍ତର ମିଳୁନାହିଁ କାହିଁକି? ଫଳରେ ରୋଗୀମାନେ ପୁଣି ପୁଣି ହସ୍ପିଟାଲ ଆସିବାକୁ ବାଧ୍ୟ ହେଉଛନ୍ତି।ହସ୍ପିଟାଲ ପରିସରରେ ଅସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନ ସାଫସଫାଇର ଦାୟିତ୍ୱ କାହାର? କାହିଁକି ଅଳିଆ ଆବର୍ଜନା ସଫା ହେଉନାହିଁ?ନିଷ୍ଠା ପରିବାର ପକ୍ଷରୁ ଦାବି ପୁରୁଣା ଓ ନୂତନ ରକ୍ତ ଭଣ୍ଡାରକୁ ସଚଳ କରାଯାଉ। ନୂତନ ରକ୍ତ ଭଣ୍ଡାର କେବେ କାର୍ଯ୍ୟକ୍ଷମ ହେବ? ସଠିକ୍ ମ୍ୟାନେଜମେଣ୍ଟ କେବେ ଆସିବ?
ସଂଗଠନର ସଭାପତି ଅଶ୍ୱିନୀ ତ୍ରୀପାଠୀ ସଚେତନ କରିଛନ୍ତି ଯେ, ସମସ୍ୟାର ସମାଧାନ ନ ହେଲେ ବଡ଼ ଆନ୍ଦୋଳନ ହେବ। ତାହାର ଦାୟୀ କିଏ ହେବ?ଆଲୋଚନା ସମୟରେ ସିଡିଏମଓ କୁବେର ଚନ୍ଦ୍ର ମହନ୍ତଙ୍କ ଅନାଗ୍ରହୀ ମତାମତ ନେଇ ମଧ୍ୟ ପ୍ରଶ୍ନ ଉଠିଛି ଯଦି ସେ ଏଠାରେ ରହିବାକୁ ଇଚ୍ଛୁକ ନୁହନ୍ତି, ତେବେ ପରିଚାଳନା କିପରି ସୁଧରିବ?
ତେବେ ସିଡିଏମଓଙ୍କ ପକ୍ଷରୁ ସେଇ ଦିନେ ଦାବିପତ୍ର ଉପରେ ଉତ୍ତର ଦେବା ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା ଉଲ୍ଲେଖନୀୟ ଯେ, ଦାବିପତ୍ରର ନକଲ ଜିଲ୍ଲାପାଳ, ବିଧାୟକ, ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଛି। ବର୍ତ୍ତମାନ ସମସ୍ତଙ୍କ ନଜର ଏହି ସମସ୍ୟାର ସମାଧାନ କେବେ ହେବ?

Leave A Reply

Your email address will not be published.