ନୃସିଂହନାଥ ପୀଠରେ ବୈଶାଖ ମେଳାର ତୃତୀୟ ଦିବସ: ମାର୍ଜାର କେଶରୀ ସାଂସ୍କୃତିକ ମଞ୍ଚ ଆରମ୍ଭ ।

0 2

 

ଜମିଲା କଳାକାରଙ୍କ ଆସର, ଦର୍ଶକଙ୍କୁ ବାନ୍ଧି ରଖିଲା ଲୋକ ନାଟକ

 ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ନୃସିଂହନାଥ ପୀଠରେ ମହାପ୍ରଭୁ ଶ୍ରୀଶ୍ରୀ ମାର୍ଜାର କେଶରୀଙ୍କ ଜନ୍ମୋତ୍ସବ ଅବସରରେ ବୈଶାଖ ମେଳା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ ମଞ୍ଚ ଉତ୍ସବମୁଖର ହୋଇଉଠିଛି। ମେଳାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ସମ୍ମାନିତ ଅତିଥି ଭାବେ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନା କୁଲ୍ଲୁ, ପଦ୍ମପୁର ଉପ-ଜିଲ୍ଲାପାଳ ହେମସାଗର ଭୋଇ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗୁରୁଜୀ ଶ୍ରୀମାନ୍ ସଦନ ତିୱାରୀ ଗୁରୁଜୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମନ୍ଦିରର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ଦେବାଶିଷ ସିହ୍ନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।

ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର କଳାକାରମାନେ ନିଜର ଚିତ୍ତାକର୍ଷକ କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ମାଣ୍ଡୋସିଲ୍ ସ୍ଥିତ ଉପାୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ‘ନରସିଂହ ଅବତାର’ ପରିବେଷଣ କରାଯାଇଥିବା ବେଳେ ନଟରାଜ ଡାନ୍ସ ଏକାଡେମୀ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଏଥିସହ ମୟୂରଭଞ୍ଜରୁ ଆସିଥିବା ଦି. ପଲ୍ଲବୀ ଅନୁଷ୍ଠାନ ପକ୍ଷରୁ ସାହସିକ ମାଲଖମ୍ବ କ୍ରୀଡ଼ା ଏବଂ ଛତିଶଗଡ଼ ଗରିଆବନ୍ଧର ଶୁରସୁରଭି ମଣ୍ଡଳୀ ପକ୍ଷରୁ ପାରମ୍ପରିକ ‘ପଣ୍ଡବାନି’ ଗାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକକଳାର ପ୍ରସାର ପାଇଁ “ଶ୍ରୀ ଶ୍ରୀ ନୃସିଂହନାଥ ଚରିତ ଓ ମୂଷିକ ଦତ୍ୟ ଦରବାର” ନାମକ ଲୋକ ନାଟକ ମଞ୍ଚସ୍ଥ ହୋଇଥିଲା, ଯାହାକୁ ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉପଭୋଗ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଶାନ୍ତ ମିଶ୍ର ସଫଳତାର ସହ ମଞ୍ଚ ପରିଚାଳନା କରିଥିଲେ। ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମେଳା କମିଟି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।ଏହି ସ୍ୱତନ୍ତ୍ର ସନ୍ଧ୍ୟାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ବିବିଧ ପ୍ରତିଭା ପାଇଁ ବିଶିଷ୍ଟ ବ୍ୟକ୍ତିତ୍ୱ ସୁଜିତ୍ ପୃଷେଠ, ଡ. ଭକ୍ତ ପୁରଣ ସାହୁ ଏବଂ କେଶରଞ୍ଜନ ପ୍ରଧାନଙ୍କୁ ମେଳା କମିଟି ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିବା ସହ ସେମାନଙ୍କ କୃତିର ପ୍ରଶଂସା କରିଥିଲେ।

Leave A Reply

Your email address will not be published.