କେନ୍ଦ୍ରାପଡ଼ା:୨୫.୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ବିଲବଳରାମପୁର ଅଞ୍ଚଳରେ ଲୁଣା ନଦୀ ପାର୍ଶ୍ୱ ସୁରକ୍ଷା ପାଇଁ ଚାଲିଥିବା କୋଟି କୋଟି ଟଙ୍କାର ପଥର ପ୍ୟାକିଂ କାମକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନଦୀ ବନ୍ଧ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିପୁଳ ଅର୍ଥ ବ୍ୟୟ ହେଉଥିବା ବେଳେ କାମର ଗୁଣମାନକୁ ନେଇ ଉଠିଥିବା ପ୍ରଶ୍ନ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ସ୍ଥାନୀୟ ଅଭିଯୋଗ ଅନୁସାରେ, ନିର୍ଦ୍ଧାରିତ ମାନର ବଡ଼ ପଥର ପରିବର୍ତ୍ତେ ଛୋଟ ଛୋଟ ପଥର ଓ ମେଣ୍ଟାଲ ଜାତୀୟ ସାମଗ୍ରୀ ଦ୍ୱାରା କାମ ଚାଲିଥିବାରୁ କାମର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିଛି। ବର୍ଷା ଓ ବନ୍ୟା ସମୟରେ ଏପରି ନିମ୍ନମାନର କାମ ନଦୀ ପାର୍ଶ୍ୱ ସୁରକ୍ଷାକୁ ବିପଦରେ ପକାଇପାରେ ବୋଲି ସ୍ଥାନୀୟ ମାନେ ଆଶଙ୍କା କରୁଛନ୍ତି।
ସବୁଠାରୁ ଚିନ୍ତାର ବିଷୟ ହେଲା, ଏତେ ବଡ଼ ପ୍ରକଳ୍ପ ଚାଲିଥିଲେ ମଧ୍ୟ ବିଭାଗୀୟ ତଦାରଖକୁ ନେଇ ପ୍ରଶ୍ନ ଉଠୁଛି। ଅଭିଯୋଗ ଅଛି ଯେ, ସମ୍ପୃକ୍ତ ଠିକାଦାର ମନଇଛା କାମ କରୁଥିବାବେଳେ ଅଧିକାରୀମାନଙ୍କ ନିରୀକ୍ଷଣ ପ୍ରାୟ ଦୃଶ୍ୟମାନ ନୁହେଁ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସନ୍ତୋଷଜନକ ପ୍ରତିକ୍ରିୟା ମିଳିନଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ସ୍ଥାନୀୟ ଲୋକ ଓ ସଚେତନ ନାଗରିକମାନେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସରକାରୀ ଅର୍ଥରେ ଚାଲିଥିବା କାମରେ ଯଦି ଅନିୟମିତତା ହୋଇଥାଏ, ତେବେ ଏହା କେବଳ ଦୁର୍ନୀତି ନୁହେଁ, ଲୋକଙ୍କ ସୁରକ୍ଷା ସହ ଖେଳ ବୋଲି ମତ ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ସହ ମାନଦଣ୍ଡ ଅନୁଯାୟୀ ପୁନର୍ବାର କାମ କରାଯିବାକୁ ଦାବି ଜୋର ଧରିଛି।
Sign in
Sign in
Recover your password.
A password will be e-mailed to you.